• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ନଜର ପକାନ୍ତୁ ଏହି ଘରକୁ। ଟିଣ ପଡିଛି ତା’ ଉପରେ ପୁଣି ପଲିଥିନ ଟଣା ଯାଇଛି । ଝାଟି ମାଟି ଦେଇ ବାଉଁଶ ରେ ତିଆରି ହୋଇଛି ଘର। ଅଳ୍ପ ବର୍ଷା ହେଲେ ପାଣିରେ ଭିଜି ଯାଉଛି ଘର । ବହୁତ ପୁରୁଣା ଘର ହୋଇଥିବାରୁ ଟିଣ ଉଠିଗଲାଣି । ଏ ହେଉଛି ବେଲଗୁଣ୍ଠା ବ୍ଲକ ମଙ୍ଗଳପୁର ଗ୍ରାମର ଜାଇ ପାତ୍ରଙ୍କ ଘର । ଏହି ଭଙ୍ଗା ଦଦରା ଘରେ ଦୁଇ ଝିଅ ଓ ଶାଶୁଙ୍କ ସହ ଜୀବନ ଯାପନ କରୁଛନ୍ତି । ସ୍ୱାମୀ ଆରପାରକି ଚାଲିଯିବା ପରେ ପୁରୁଷ ଶୂନ୍ୟ ହୋଇପଡିଛି ଘର ।

ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଅନେକ ବର୍ଷ ହେଲା ସରକାରୀ ବାବୁଙ୍କୁ ଗୁହାରି କରିକରି ଥକି ପଡିଲେଣି। ହେଲେ କେହି ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି । ଜାଇ ପାତ୍ରଙ୍କ ଭଳି ଅନେକ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ସମାନ ସ୍ଥିତି ଏହି ଗାଁର ସଦା ଜେନାଙ୍କର।ପତ୍ନୀଙ୍କ ବିୟୋଗ ପରେ ଝିଅମାନେ ଶାଶୁ ଘର ଚାଲି ଗଲେ। ଏବେ ଏକାକୀ ହୋଇପଡିଛନ୍ତି ।

ପୁରୁଣା ଘରଟି ଭାଙ୍ଗି ଯାଇଥିବା ବେଳେ ଭାରି କଷ୍ଟରେ ଏକ ବଖରା ଘରେ ରହୁଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ସହ ରାସନ କାର୍ଡ଼ରେ ଚାଉଳ ମିଳୁଛି। ସେଥିରେ କଷ୍ଟେ ମଷ୍ଟେ ଜୀବନ ବିତୁଛି । ଭଙ୍ଗା ଘରେ ରହିବା ସମ୍ଭବ ହେଉନଥିବାରୁ ଆବାସ ଖଣ୍ଡେ ପାଇଁ ବାରମ୍ବାର ଆବେଦନ କଲେଣି। ଲିଷ୍ଟରେ ନାମ ଥିବା ସତ୍ୱେ ବି ବ୍ଲକ ପ୍ରଶାସନ ଦେଉନଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ଅସହାୟ ଓ ବାସହିନଙ୍କୁ ଗୃହ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଗୃହ ଯୋଜନା କରାଯାଇଛି। ବର୍ତମାନ ଅନ୍ତୋଦୟ ଗୃହ ଯୋଜନାରେ ଠିକ ଭାବରେ ସର୍ଭେ କରାଯାଇନି । ବେଲଗୁଣ୍ଠା ବ୍ଲକ ପ୍ରଶାସନର ପାତରଅନ୍ତର ନୀତି ଯୋଗୁ ଅଯୋଗ୍ୟଙ୍କୁ ଏହି ଯୋଜନାରେ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଯୋଗ୍ୟ ବାଦ ପଡିଛନ୍ତି । ସରକାର ଏଥିପ୍ରତି ନଜର ଦେବାକୁ ଦାବି ହୋଇଛି ।

ବେଲଗୁଣ୍ଠା ବ୍ଲକ ବିଡ଼ିଓଙ୍କୁ ଏ ସମ୍ପର୍କରେ ବୁଝିବାକୁ ଚେଷ୍ଟା କରିଥିଲୁ ହେଲେ ସେ ଫିଲଡ଼ରେ ଥିବା କହି ଉତ୍ତର ଦେଇନଥିଲେ । ଭଂଜନଗର ଉପଜିଲ୍ଲାପାଳଙ୍କୁ ବୁଝିବାରୁ ଘଟଣା ସମ୍ପର୍କରେ ବ୍ଲକ ବିଡ଼ିଓଙ୍କ ସହ ଆଲୋଚନା କରି ଯୋଗ୍ୟ ହୋଇଥିଲେ ନିଶ୍ଚିତ ଅନ୍ତୋଦୟ ଯୋଜନାରେ ଆବାସ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

  • Reported by:
  • Rajesh Kumar Panda
ଓଟିଭି ବିଜ୍ଞାପନ