• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟ୍ୱିନ୍ ସିଟିରେ ବାୟୁ ପ୍ରଦୂଷଣର ଭୟଙ୍କର ସ୍ଥିତି । ଭୁବନେଶ୍ୱର ଓ କଟକରେ ଯୁଆଡ଼େ ଚାହିଁବେ, ଖାଲି ଧୂଆଁ ଆଉ ଧୂଆଁ । ବିଗିଡ଼ିଯାଇଛି ପରିବେଶ, ପୁଣି ପ୍ରଦୂଷିତ ହୋଇଛି ଟ୍ୱିନ ସିଟିର ବାୟୁ ମଣ୍ଡଳ । ଦୁଇ ଦିନ ଧରି ଦୀପାବଳି ପାଳନ ବେଳେ ବାଣ ଫୁଟାଇବା ପରେ ବିଗିଡ଼ିଯାଇଛି ପୁରା ପରିବେଶ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି ଟ୍ୱିନ୍ ସିଟି ବାସିନ୍ଦା ।

ରାତି ୯ ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ନିର୍ଦ୍ଦେଶନାମା ଜାରୀ ହୋଇଥିବା ବେଳେ ଏହି ନିୟମକୁ ଖୋଲାଖୋଲି ଉଲଂଘନ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଧୂଆଁମୟ ପରିବେଶ ଭିତରେ ଲୋକେ ଅଣନିଶ୍ୱାସୀ ଅନୁଭବ କରିଛନ୍ତି । ଏମିତିକି ଗତକାଲି ସନ୍ଧ୍ୟା ପରଠୁ ଦୃଶ୍ୟମାନ କ୍ଷମତା ହ୍ରାସ ପାଇଥିଲା ।

ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଦୀପାବଳୀରେ ଫୁଟିଥିବା ବାଣର ପ୍ରଭାବ ଅନେକ ଥିବାରୁ ୬୦ରୁ ୭୦ ଭିତରେ ଥିବା ଭୁବନେଶ୍ୱରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବଢି ୨ ଶହକୁ ଟପିଛି । ଗତକାଲି ସକାଳ ଯଦିଓ ଭୁବନେଶ୍ୱରର କିଛି ଅଞ୍ଚଳରେ ବର୍ଷା ହୋଇଥିଲା, କିନ୍ତୁ ରାତିରେ ପୁଣି ଥରେ ବାଣ ଫୁଟାଇବା ଫଳରେ ପ୍ରଦୂଷଣ ଆକାଶ ଛୁଇଁଛି ।

ସନ୍ଧ୍ୟା ୭ରୁ ୯ ପର୍ଯ୍ୟନ୍ତ ବାଣ କଟକଣା ରହିଥିଲା । କମ୍ ଶବ୍ଦ ବିଶିଷ୍ଟ ବାଣ ଫୁଟାଇବାକୁ କୁହାଯାଇଥିଲା । ଡାକ୍ତରଖାନା, କୋର୍ଟ, ଶିକ୍ଷାନୁଷ୍ଠାନ ଆଦି ସ୍ଥଳରେ ୧୦୦ ମିଟର ପରିସୀମା ବାହାରେ ବାଣ ଫୁଟାଇବାକୁ କୁହାଯାଇଥିଲା । ତେବେ ଅମାନିଆଙ୍କ ଉପରେ କଟକଣାର କୌଣସି ପ୍ରଭାବ ପଡ଼ିନଥିଲା । ସବୁଜବାଣ ବଦଳରେ ନିଷିଦ୍ଧ ବାଣ ମଧ୍ୟ ଫୁଟିଲା ।

ଦୁଇଦିନ କାଳ ବାଣ ଫୁଟାଇ ଫୁଟାଇ ପରିବେଶକୁ ପ୍ରଦୂଷଣ କରିଦେଲେ । ସେପଟେ ଦୀପାବଳିରେ ୩୫୦ କୋଟି ଟଙ୍କାର ବାଣ ଜଳିଥିବା ଜଣା ପଡ଼ିଛି । ଏହା ମଧ୍ୟରେ ଅଧିକ ସବୁଜ ବାଣ ରହିଥିବା ବେଳେ ଦେଶୀ ବାଣ ମଧ୍ୟ ବାଦ୍ ପଡ଼ିନାହିଁ । ସବୁ ବର୍ଷ ପ୍ରାୟ ୩୦୦ ଭିତରେ ସୀମିତ ରହୁଥିବା ବାଣ ବେପାର ଏଥର ୩୫୦ କୋଟି ପାର୍ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now