• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାବଧାନ ଅଭିଭାବକ । ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ । କାରଣ, ରାଜ୍ୟରେ ଆଜିଠୁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ୧୮ ବର୍ଷରୁ କମ୍ ପିଲା ଗାଡି ଚଳାଉଥିବା ବେଳେ ଧରାପଡିଲେ ସିଜ୍ ହେବ ଗାଡି । ୨୫ ହଜାର ଟଙ୍କାର ଫାଇନ ସହ ଅଭିଭାବକଙ୍କ ନାଁରେ ହେବ ଏଫଆଇଆର । ଦୁଇ ଦିନ ଯାଏଁ ଜାରି ରହିବ ଜୋରଦାର ଚେକିଂ ।

STAର ସ୍ପେଶାଲ ଡ୍ରାଇଭ୍ .. ସ୍କାନରରେ ନାବାଳକ ଗାଡ଼ି ଚାଳକ । ବାରମ୍ବାର ସତର୍କ କରାଇବା ପରେ ଏବେ ସିଧା ଆକ୍ସନ ମୋଡରେ ରାଜ୍ୟ ପରିବହନ ବିଭାଗ । ଗାଡି ଧରି ବେଧଡ଼କ ରାସ୍ତାକୁ ଓହ୍ଲାଇ ଆସୁଥିବା ୧୮ ବର୍ଷରୁ କମ୍ ନାବାଳକଙ୍କ ଡ୍ରାଇଭ ରୋକିବାକୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ରାଜ୍ୟ ସାରା ଚାଲିଛି ଜୋରଦାର ଚେକିଂ ।

ସାହି ଗଳିରେ ଜଗି ବସିଛନ୍ତି ପୋଲିସ । ଆଉ, ଡ୍ରାଇଭର ସିଟରେ ଛୋଟ ଛୋଟ ପିଲାଙ୍କୁ ଦେଖିବା ମାତ୍ରେ କାଟୁଛନ୍ତି ଚାଲାଣ । ୨୫ ହଜାର ଯାଏଁ ଫାଇନ୍ । ଗାଡି ଜବତ କରିବା ସହ ଅଭିଭାବକଙ୍କ ନାଁରେ ଏତଲା ବି ଦିଆଯାଉଛି । ଜୟପୁରରେ ଚାଲିଛି ଘନ ଘନ ଚେକିଂ । ସକାଳୁ ସହରର ବିଭିନ୍ନ ଘରୋଇ ସ୍କୁଲ ପାଖରେ ଯାଂଚ୍ କରିଥିଲେ ନିଜେ ପରିବହନ ଅଧିକାରୀ ।

ପରେ ୨୬ ନମ୍ବର ଜାତୀୟ ରାଜପଥ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଚେକିଂ ହୋଇଥିଲା । ପ୍ରଥମ ଦିନରେ ୬ଟି ମାମଲାରେ ଫାଇନ୍ କାଟିବା ସହ ବାପା-ମାଆଙ୍କୁ ସତର୍କ କରାଯାଇଛି । ବାରିପଦାରେ ମଧ୍ୟ ପରିବହନ ବିଭାଗ ପକ୍ଷରୁ ନାବାଳକ ଚାଳକଙ୍କୁ ଧରିବାକୁ ଚେକିଂ କରାଯାଇଛି । କିଛି ଜଣଙ୍କ ଚାଲାଣ କଟିଛି, ବାଇକ ବି ସିଜ୍ ହୋଇଛି ।

ତଥ୍ୟ ଅନୁସାରେ, ୨୦୨୩ରେ ରାଜ୍ୟରେ ବିଭିନ୍ନ ସଡ଼କ ଦୁର୍ଘଟଣାରେ ୫୫୭ ଜଣଙ୍କ ଜୀବନ ଯାଇଛି । ଯେଉଁଥିରୁ ୨୨୪ ଜଣଙ୍କ ବୟସ ୧୮ ବର୍ଷରୁ କମ୍ । ଏହାକୁ ଗୁରୁତର ସହ ନେଇ ନାବାଳକ ଗାଡ଼ ଚାଳନା ରୋକିବାକୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଆରଟିଓଙ୍କୁ ଗତ ୨୫ ତାରିଖରେ ଚିଠି କରିଥିଲେ ପରିବହନ କମିଶନର ।

ଧାରା ୧୯୯ (କ) ମୋଟର ଯାନ ଆଇନ୍ ୧୯୮୮ ଅନୁସାରେ, ନାବାଳକର ଅଭିଭାବକ କିମ୍ବା ଚଲାଉଥବା ଯାନର ପଞ୍ଜୀକୃତ ମାଲିକଙ୍କୁ ୨୫ ହଜାର ଟଙ୍କା ଅର୍ଥଦଣ୍ଡ କିମ୍ବା ୩ ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି । ସଂପୃକ୍ତ ନାବାଳକ ଓ ନାବାଳିକଙ୍କୁ ୨୫ ବର୍ଷ ନହେବା ଯାଏଁ ଗାଡି ଚାଳନା ପ୍ରମାଣପତ୍ର ମିଳିବ ନାହିଁ । ଏବଂ ସଂପୃକ୍ତ ଯାନର ପଞ୍ଜୀକରଣ ୧ ବର୍ଷ ଯାଏଁ ରଦ୍ଦ କରାଯିବା ନେଇ ବ୍ୟବସ୍ଥା ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now