• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କାଲି ଆସିବେ ପ୍ରଧାନମନ୍ତ୍ରୀ । ସ୍ବାଗତ ପାଇଁ ସଜେଇ ହୋଇଛି ରାଜଧାନୀ ରାସ୍ତା । ଜନତା ମଇଦାନରେ ପ୍ରସ୍ତୁତି ଶେଷ, ଷ୍ଟେଜ୍ ରେଡ୍ଡୀ । ଏଣେ ପିଏମ୍‌ଙ୍କ କାର୍ଯ୍ୟକ୍ରମ ନେଇ ବି ଆସିଛି ବିସ୍ତୃତ ବିବରଣୀ । ମଙ୍ଗଳବାର ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ମୋଦି । ସେଠୁ ସିଧା ଗାଡ଼କଣ ଗାଁକୁ ଯିବେ । ୧୧ଟା ୧୦ରେ ଗାଡ଼କଣରେ ପହଞ୍ଚି ସେଠି, ୧୧ଟା ୧୫ରୁ ୧୧ଟା ୪୫ ଯାଏ ୨୦ ଜଣ ଆବାସ ହିତାଧିକାରୀଙ୍କ ସହ ପାଖାପାଖି ଅଧ ଘଣ୍ଟା ଧରି ଆଲୋଚନା କରିବେ । ସେଥିପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା, ନୂଆ ରୂପ ଦିଆଯାଉଛି ଗାଁର ଭାଗବତ ଟୁଙ୍ଗୀ ଘର । ତା ସହ ହିତାଧିକାରୀଙ୍କ ଘର ଆଗରେ ଲେଖା ଚାଲିଛି ଆବାସ ସମ୍ବନ୍ଧୀୟ ବିବରଣୀ ।

ଦିନ ୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ ମୋଦି । ସେଠି ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ଗୋଠପାଟଣା ସ୍ପୋର୍ଟସ ଭେଲିର ବି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ତା ସହ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବା ସହ ୨୬ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ । ଏହାବାଦ୍ ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟିର ରେଳ ପ୍ରକଳ୍ପ ଏବଂ ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଲୋକର୍ପଣ କରିବେ । ଜନତା ମଇଦାନରେ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧ଟା ୨୦ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ମୋଦି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବର ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ଗାଡ଼କଣ ଗାଁ, ଜନତା ମଇଦାନ ସଭାସ୍ଥଳ ଓ ଏୟାରପୋର୍ଟରୁ କଳିଙ୍ଗ ହସ୍ପିଟାଲ ରାସ୍ତା । ସରିଛି କାରକେଡ୍ ରିହର୍ସଲ । ବିମାନବନ୍ଦରରୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଛି । ପିଏମ୍‌ଙ୍କ କାରକେଡ୍ ଯେଉଁବାଟେ ଯିବ ସବୁଠି ବ୍ୟାରିକେଡ୍ ଲାଗିଛି, ପୋଲିସ୍ ସଜାଗ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ଯେଉଁଥିରେ ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପିଙ୍କ ସହ ସାଦା ପୋଷାକରେ ବି ରହିବେ ସୁରକ୍ଷା କର୍ମୀ । ୬ କଂପାନୀ ସିଆରପିଏଫ୍ ଜବାନଙ୍କୁ ମଧ୍ୟ ନିୟୋଜିତ କରାଯିବ ।

କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି ହୋଇଛି । ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଜାରି ହୋଇଛି । ଏ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ଓମଫେଡ୍ ଛକ-ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ରାସ୍ତାରେ ଯା-ଆସ କରିବା ପାଇଁ ପୋଲିସ୍ ସୂଚନା ଜାରି କରିଛି । ସେହିପରି ପିଏମ୍‌ଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ଅତିଥିଙ୍କ ଗାଡ଼ି ପାର୍କିଂ ପାଇଁ ପୋଲିସ୍ ରିଜର୍ଭ ଗ୍ରାଉଣ୍ଡ, ସେଭେନଥ୍ ବାଟାଲିଅନ୍ ଗ୍ରାଉଣ୍ଡ ଓ ନୟାପଲ୍ଲୀ କସ୍ତୁର ବା ସ୍କୁଲ ହତାରେ ବ୍ୟବସ୍ଥା ହୋଇଛି ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ତା ସହ ୨୦୨୪ ନିର୍ବାଚନ ପରେ ମୋଦି ପ୍ରଥମ କରି ଓଡ଼ିଶା ଆସୁଛନ୍ତି । ଏହି ଗସ୍ତକୁ ନେଇ ସାଧାରଣ ଜନତାଙ୍କଠୁ ରାଜ୍ୟ ବିଜେପି ଶିବିର ସବୁଠି ପରିଲିକ୍ଷିତ ହୋଇଛି ଉତ୍ସାହ ।

OTV is now on Whatsapp

Join and get latest news update delivered to you via whatsapp

Join Now