/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724593749.jpg)
Bird Flu Outbreak
ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ। କାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରହିଛି। କଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ବିଭାଗ।
ବଢ଼ିଲା ବାର୍ଡ ଫ୍ଲୁ ଭୟ । ସଂକ୍ରମଣ ରୋକିବାକୁ ଚାଲିଲା କଲିଂ । ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପିପିଲି ଆବଲପୁର ଗାଁରେ କୁକୁଡ଼ା ମରା ଅଭିଯାନ ହୋଇଛି । କାଲି ଅପରାହ୍ଣରୁ ଆରମ୍ଭ ହୋଇଥିବା ଅପରେସନରେ ସଂଧ୍ୟା ସୁଦ୍ଧା ୩ ଶହ କୁକୁଡ଼ା ମରା ହୋଇଥିଲା ବେଳେ ଆଜି ୩ଟି ଫାର୍ମରୁ ୪ ହଜାର ୭ ଶହରୁ ଅଧିକ କୁକୁଡ଼ା ମରାଯାଇଛି। କଲିଂ ଅପରେସନରେ ସାମିଲ ହୋଇଛନ୍ତି ପ୍ରାଣୀ ସଂପଦ ବିଭାଗ ତତ୍ବାବଧାନରେ ଗଠିତ ୧୩ଟି ରାପିଡ ରେସପୋନ୍ସ ଟିମ୍। ଗୋଟିଏ ପଟେ କୁକୁଡ଼ା ମରା ଚାଲିଛି, ଆଉ ଆରପଟେ ମୃତ କୁକୁ଼ଡ଼ା ଗୁଡ଼ିକୁ ଜନବସତି ବାହାରକୁ ନେଇ ପୋତାଯିବା ପାଇଁ ପ୍ରକ୍ରିୟା ବି ଚାଲିଛି । ସଂକ୍ରମଣ ରୋକିବାକୁ ଆବଲପୁର ଗାଁର ୧ କିଲୋମିଟର ବ୍ୟାସାର୍ଧ ଅଞ୍ଚଳରେ ଥିବା ୨୦ ହଜାରରୁ ଅଧିକ କୁକୁଡ଼ା ମରାଯିବାକୁ ଲକ୍ଷ୍ୟ ଥିବାରୁ ଏ ଅଭିଯାନ ଆହୁରି ୫-୬ ଦିନ ଲାଗିବ ବୋଲି କୁହାଯାଉଛି। କଲିଂ ଅପରେସନ୍ ସହିତ ଫାର୍ମ ଗୁଡ଼ିକର ସାନିଟେସନ୍ ଉପରେ ବି ଗୁରୁତ୍ବ ଦିଆଯାଉଛି।
ଆବଲପୁର ଗାଁର ଜନୈକ ନରେନ୍ଦ୍ର ଦାସଙ୍କ କୁକୁଡ଼ା ଫାର୍ମରେ ପ୍ରଥମେ କୁକୁଡ଼ା ମଡ଼କ ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଥିଲା। ତେବେ ନମୁନା ପରୀକ୍ଷଣରୁ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ତତ୍ପର ହୋଇଥିଲା ପ୍ରାଣୀ ସଂପଦ ବିଭାଗ। କୁକୁଡ଼ା ମରାଯାଉଥିବା ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଉଥିଲେ ବି ଆସନ୍ତା ୬ ମାସ ପର୍ଯ୍ୟନ୍ତ ସଂପୃକ୍ତ ଫାର୍ମରେ ଆଉ କୁକୁଡ଼ା ଚାଷ ନକରିବାର ନିର୍ଦ୍ଦେଶ ଥିବାରୁ ତାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ହେଲେ ବିଭାଗର କହିବା ବାର୍ଡ ଫ୍ଲୁ କୁକୁଡ଼ାଠୁ ମଣିଷକୁ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ସରକାରୀ ଗାଇଡଲାଇନ୍ ଅନୁସାରେ ଯାହା ଯାହା ପଦକ୍ଷେପ ନିଆଯିବା କଥା ତାହା ନିଆଯାଉଛି।
ଏସବୁ ଭିତରେ ସାକ୍ଷୀଗୋପାଳ ଓ ଡେଲାଙ୍ଗ ଅଞ୍ଚଳରେ ମଧ୍ୟ କୁକୁଡ଼ା ମଡ଼କର ଅଭିଯୋଗ ଆସୁଛି। ତେବେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏବେ ସୁଦ୍ଧା ପିପିଲି ଓ ସାକ୍ଷୀଗୋପାଳ ଅଞ୍ଚଳରେ ବାର୍ଡଫ୍ଲୁ ଚିହ୍ନଟ ହୋଇଥିବାରୁ ସଂକ୍ରମଣ ଯେମିତି ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନିଆଯାଉଛି।
ପିପିଲିରୁ ଆରମ୍ଭ ହୋଇଥିବା ବାର୍ଡ ଫ୍ଲୁ ସଂକ୍ରମଣ ଧିରେ ଧିରେ ଜିଲ୍ଲାର ଅନ୍ୟ ସ୍ଥାନକୁ ବ୍ୟାପୁଥିବାରୁ କୁକୁଡ଼ା ଚାଷୀ ଓ ସାଧାରଣରେ ଭୟ ବଢୁଛି। ପୋଲସରାରୁ ପୀତବାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)