ପାଣି ପାଇଁ ହାହାକାର । ଜାତୀୟ ରାଜପଥ କଡରେ ଥାଇ ବି ପାଣି ମୁନ୍ଦାଏ ମିଳୁନାହିଁ । ପଂଚାୟତରୁ ପ୍ରଶାସନ, ସମସ୍ତଙ୍କୁ କହିଲା ପରେ ବି, ପୂରା ପଂଚାୟତ ବାସିନ୍ଦା ପାଣି ମୁନ୍ଦିଏ ପାଉନାହାନ୍ତି । ମନ୍ତ୍ରୀଙ୍କ ଗ୍ରାଉଣ୍ଡ ଭିଜିଟ ସମୟରେ ଘେରିଲେ ଲୋକେ । ଦୀର୍ଘ ଦିନର ସମସ୍ୟାକୁ ମନ୍ତ୍ରୀଙ୍କ ଆଗରେ ଟାଇଁ ଟାଇଁ କହିଲେ ସରପଂଚ । ଅଧିକାରୀଙ୍କୁ ଅନ ଦି ସ୍ପଟ ଡାକିଲେ ମନ୍ତ୍ରୀ । ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଲେ । ହଁ ମାରି ଫାଙ୍କିଦେଲେ ଅଧିକାରୀ । ବଲାଙ୍ଗିର ଜିଲ୍ଳା ସଇଁନ୍ତଲାରେ ପାଣି ପାଇଁ ହାହାକାରକୁ ନେଇ, ଆମର ଗ୍ରାଉଣ୍ଡ ରିପୋର୍ଟ-‘‘ପାଣି ଯନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ଟ୍ୟୁସନ...’’ ।
ଦୀର୍ଘ ଦିନରୁ ସଇଁନ୍ତଲାର ପାଣି ସମସ୍ୟାକୁ ନେଇ, ମନ୍ତ୍ରୀଙ୍କ ଆଗରେ ସବୁ କହିଲେ ସ୍ଥାନୀୟ ସରପଂଚ ସୁବ୍ରତ ନାଗ । ପରେ ପରେ ଅନ ଦି ସ୍ପଟ, ଅଧିକାରୀଙ୍କୁ ଡାକି ତାଗିଦ କରିଥିଲେ ମନ୍ତ୍ରୀ ରବି ନାରାୟଣ ନାଏକ । ଘଟଣା ଏପରି ଥିଲା । ବଲାଙ୍ଗିର ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଛନ୍ତି ମନ୍ତ୍ରୀ ରବି ନାରାୟଣ ନାଏକ । ତେଣୁ ଜିଲ୍ଳାର ବିଭିନ୍ନ ସମସ୍ୟାକୁ ନେଇ ପ୍ରଥମେ ସଦର ମହକୁମାରେ ସମୀକ୍ଷା କଲେ ।
ତାପରେ ପହଞ୍ଚିଥିଲେ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ସଇଁନ୍ତଲାରେ । ମନ୍ତ୍ରୀଙ୍କୁ ଦେଖି ଘେରିଗଲେ ଲୋକେ । ଗୋଟି ଗୋଟି କରି କହିବା ପରେ, ପାଣି ସମସ୍ୟାକୁ ନେଇ ଲିଖିତ ଭାବେ ଜଣାଇଥିଲେ ସରପଂଚ । ଏପରିକି ମନ୍ତ୍ରୀଙ୍କ ସାମ୍ନାରେ, କଥା ଶୁଣୁନଥିବାରୁ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କଲେ ସରପଂଚ । ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ତାଗିଦ କରିଥିଲେ ମନ୍ତ୍ରୀ । କିନ୍ତୁ ୧୫ ଦିନ ପରେ ବି, ହଁ ମାରି ଫାଙ୍କିଦେଇଛନ୍ତି ଅଧିକାରୀ । କିନ୍ତୁ କ୍ୟାମେରା ଆଗରେ ଅଧିକାରୀଙ୍କ ଟାଇଁ ଟାଇଁ ମିଛର ଖୁଲାସା କରିଛନ୍ତି ସରପଂଚ ।
ଏବେ ସଇଁନ୍ତଲାରେ ଲୋକଙ୍କ ଭରସା, ବିଭିନ୍ନ ସଂଗଠନର ଟ୍ୟାଙ୍କର ପାଣି । ଟ୍ୟାଙ୍କର ଆସିବା ଆଗରୁ ଭିଡ । ଟ୍ୟାଙ୍କର ଆସିଗଲେ, ଅଧିକ ଭିଡ । ଭିଡକୁ ଦେଖିଲେ ଜଣାପଡୁଛି, ଲୋକେ ପାଣି ପାଇଁ ହାହାକାର । କାରଣ ଭରସା କହିଲେ, ଟ୍ୟାଙ୍କର ପାଣି । ୧୦ ଟି ଗାଁକୁ ନେଇ ସଇଁନ୍ତଲା ଗ୍ରାମ ପଂଚାୟତ । ପାଖାପାଖି ୧୫ ହଜାର ଜନସଂଖ୍ୟା । କିନ୍ତୁ ପାଣି ଟୋପାଏ ପାଇଁ ହାହାକାର ହେଉଛନ୍ତି ୧୦ ଟି ଗାଁର ଲୋକେ । ସଇଁନ୍ତଲା ପଂଚାୟତରେ ମୁଣ୍ଡ ଟେକି ଛିଡା ହୋଇଛି ପାଣି ଟାଙ୍କି ।
ଭୁତଳ ଟାଙ୍କିର ବି ଅଭାବ ନାହିଁ । ଘରେ ଘରେ ଟ୍ୟାପ୍ ଲାଗିଛି । ପାଇପ ଯୋଗେ ଜଳଯୋଗାଣର ବ୍ୟବସ୍ଥା ବି ରହିଛି । କିନ୍ତୁ ଟୋପେ ପାଣି ଆସୁନାହିଁ । ଦଶ ବର୍ଷ ହେବ, ଏଭଳି ଅବସ୍ଥା । ପ୍ରୋଜେକ୍ଟ ଫେଲ୍, ଅଧିକାରୀ ଚୁପ୍... । ତେଣୁ ଗତ କିଛି ମାସ ଆଗରୁ ଦୂଷିତ ପାଣି ପିଇ, ଶହେରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ତିନିଜଣଙ୍କର ମୃତ୍ୟୁ ବି ହୋଇଥିଲା । କିନ୍ତୁ ଯନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ଟ୍ୟୁସନ ପରେ ବି, ସୁଧୁରୁନି ଅବସ୍ଥା । ବଦଳିନି ବ୍ୟବସ୍ଥା...। ହେଲେ ମନ୍ତ୍ରୀ କହୁଛନ୍ତି, ଜିଲ୍ଳାର କୋଉଠି ବି ରହିବନି ପାଣିର ସମସ୍ୟା ।
- Reported by:
- MANARANJAN JOSHI