• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

ଦାଦନ ମଣ୍ଡିରେ.... ଶବ ମଡକ ! ଇଏ କୌଣସି ଯାତ୍ରା ପାର୍ଟିର ଡାଇଲଗ ନୁହେଁ ! ମଣିଷ ଚାଲାଣର ବାସ୍ତବ ଚିତ୍ର ! ଭୋକର ଭୂଗୋଳରେ ଭୋକିଲା ମଣିଷ, ଦାନା ପାଇଁ ଦାଦନ ଯାଉଛି । ହେଲେ ମାଲିକର ଛାଟ ଆଗରେ, ହାଡଭଙ୍ଗା କାମ କରି ଜୀବନ ଦେଉଛି । ଶ୍ରମିକ ହୋଇ ଯାଉଛି,  ଶବ ହୋଇ ଫେରୁଛି । ସେପଟେ ସରକାରୀ ନିୟମର ଢୋଲ ପିଟୁଛି ପ୍ରଶାସନ । ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ବୁଲୁଛି ସଚେତନତା ରଥ । କିନ୍ତୁ ଷ୍ଟେସନରେ ରେଲଗାଡି ଲାଗିଲେ, ଭୋକିଲା ମଣିଷର ଭିଡ ଜମୁଛି । ତଥାପି ମୁହଁ ପୁଟାଣିରେ ଦାୟିତ୍ବରେ ଥିବା ପ୍ରଶାସନିକ ବାବୁ କହୁଛନ୍ତି, କାମ ଯୋଗାଉଛୁ...ତଥାପି ଲୋକେ ଚାଲାଣ ହେଉଛନ୍ତି । ଶ୍ରମିକ ଶବ ହେବାର ବାସ୍ତବତାକୁ ନେଇ ବଲାଙ୍ଗିରରୁ ଆମର ଗ୍ରାଉଣ୍ଡ ରିପୋର୍ଟ...

ଦାନା ପାଇଁ ଚାରିଜଣ ଦାଦନ ଯାଇଥିଲୁ । ମୋ ସ୍ବାମୀ ଆଖି ବୁଜିଦେଲେ । ଶବ ଧରି ଗାଁକୁ ଫେରିଛି । ଏବେବି ଦୁଇଜଣ ଇଟାଭାଟିରେ ବନ୍ଧା । ଗତ ୧୬ ତାରିଖ ସୁଦୂର ଆନ୍ଧ୍ରପ୍ରଦେଶରୁ ସ୍ବାମୀର ଶବ ଧରି ଗାଁକୁ ଫେରିବା ପରେ ନିଜର ଅଙ୍ଗେନିଭା କଥା ବଖାଣିଛି ସ୍ତ୍ରୀ । ପାଟଣାଗଡ ଥାନା କୁଆଁବାଉଁଶ ଗାଁର ରାଏମତି ମାଝି ଓ ତାଙ୍କ ସ୍ବାମୀ ଶିବ ମାଝିଙ୍କ ସହିତ ତାଙ୍କ ଭାଇ ଓ ଭାଇବୋହୂ ଦାଦନ ଯାଇଥିଲେ । ରାଏମତିଙ୍କ ଅଭିଯୋଗ ଅନୁଯାୟୀ, କମ ଖାଦ୍ୟକୁ ଅତ୍ୟଧିକ କାମ ସହି ପାରିଲେନି ସ୍ବାମୀ । ପ୍ରବଳ ଥଣ୍ଡାରେ ଇଟା ଗଢୁଗଢୁ ଇଟାଭାଟିରେ ଗୁରୁତର ହେଲେ । କିଛି କହିବା ଶୁଣିବା ଆଗରୁ ଆଖି ବୁଜିଦେଲେ ସ୍ବାମୀ । ଶବ ଧରି ଗାଁକୁ ଫେରିଲେ ରାଏମତି । କିନ୍ତୁ ବଇନା ଟଙ୍କା ପରିଶୋଧ କରିବା ପାଇଁ ଏବେ ମାଲିକ ପାଖରେ ବନ୍ଧା ଭାଇ ଓ ଭାଇବୋହୂ ।

ସେପଟେ ମୁହଁରେ ଗାମୁଛା ଘୋଡାଇ ପୁଅର ଶବକୁ ଅପେକ୍ଷା କରିଥିବା ବାପା କହୁଛି, ଦାନା ପାଇଁ ଦାଦନ ଯାଇଥିଲା ପୁଅ । ଶବ ହୋଇ ଫେରିଛି । ମୋତେ ଇଟାଭାଟି ମାଲିକ କହିଲା, କିଛି ଟଙ୍କା ନିଅ, ମୁଁ...ଏଠି ଶବକୁ ପୋଡି ଦେଉଛି । କିନ୍ତୁ ମୁଁ କହିଲି....ଟଙ୍କା ନେଇ କରିବି କଣ ? ଏକମାତ୍ର ପୁଅ ତ ଚାଲିଗଲା...। ଶବ ଫେରିଲେ ପୁଅର ମଲାମୁହଁ ଦେଖିବି....! ବାସ୍, ଦୁଇଦିନ ପରେ ଗତକାଲି ଡିସେମ୍ବର ୧୭ରେ ଗାଁକୁ ଶବ ଫେରିଛି । ମୃତ ଦାଦନ ଶ୍ରମିକ ଖପ୍ରାଖୋଲ ବ୍ଳକ ଟେଙ୍ଗରାପଦର ଗାଁର ୨୦ ବର୍ଷୀୟ ଗଣେଶ ବରିହା । କିନ୍ତୁ ଏବେ ବଇନା ଅସୁଲି ପାଇଁ ଇଟାଭାଟିରେ ବନ୍ଧା ପଡିଛି ସଂର୍ପକୀୟ ଅଜା ବୁକାଝୁଲା ଗାଁର ମହେନ୍ଦ୍ର ବରିହା । ବୟସ ୭୦ ବର୍ଷ । ତେଣୁ ବଡଭାଇ ମହେନ୍ଦ୍ରଙ୍କୁ ଉଦ୍ଧାର କରିବା ପାଇଁ ସାନଭାଇ ପ୍ରଶାସନକୁ ଆକୁଳ ନିବେଦନ କରିଛି।ଘଟଣା

ଘଟଣାର ବାସ୍ତବ ଚିତ୍ର ଦେଖିବାକୁ ଗଲେ,ଦାଦନଗଡ ପାଟଣାଗଡରେ ପନ୍ଦର ଦିନରେ ପାଂଚ ଶ୍ରମିକଙ୍କ ଶବ ଫେରିଛି । କିନ୍ତୁ ଥମୁନି...କି କମୁନି....ଦାଦନ ଚାଲାଣ । ଖପ୍ରାଖୋଲ ବ୍ଳକ ଲାଠୋର ଠାରେ ଥିବା ହରିଶଂକର ରୋଡ ରେଲୱେ ଷ୍ଟେସନର ଚିତ୍ର ଦେଖିଲେ ସବୁ କିଛି ବୁଝାପଡ଼ିଯାଉଛି। ଟ୍ରେନ ଲାଗିଲେ, ଭୋକିଳା ମଣିଷଙ୍କ ଭିଡ ଜମୁଛି । ଅଖାବସ୍ତାରେ ନିଜ ବ୍ୟବହାର ଜିନିଷପତ୍ର ଧରି, ବାହାର ରାଜ୍ୟକୁ ଦାନା ପାଇଁ ଦାଦନ ଯାଉଛନ୍ତି ହଜାର ହଜାର ଶ୍ରମିକ । ଦିନ ଦ୍ବିପ୍ରହରେ, ବେଆଇନ ଭାବେ ଦାଦନ ଚାଲାଣ ହେଉଥିଲେ ବି ହାତ ବାନ୍ଧି ବସିଛି ପ୍ରଶାସନ ।

କଣ୍ଟାବାଂଜି ରେଲୱେ ଷ୍ଟେସନର ଦୃଶ୍ୟ ମଧ୍ୟ ଅନୁରୂପ। ଏସବୁ ଦୃଶ୍ୟ ଦେଖିଲେ ବିନା ଦ୍ୱିଧାରେ ଯେକେହି ବି କହିପାରିବ,ବଲାଙ୍ଗିର ଜିଲ୍ଳାରୁ ବେଧଡକ ଚାଲିଛି ଦାଦନ ଏକ୍ସପ୍ରେସ । ଗତ ୧୫ ଦିନ ଭିତରେ ଟିଟିଲାଗଡ ଓ ପାଟଣାଗଡ ଉପଖଣ୍ଡର ବିଭିନ୍ନ ଗାଁକୁ ଫେରିଛି ୧୦ ଶ୍ରମିକଙ୍କ ଶବ । ଏମାନଙ୍କ ଭିତରୁ ଅଧିକାଂଶ ଆଦିବାସୀ ଓ ଦଳିତ । ତେଣୁ ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଳା ଆଦିବାସୀ ସଂଘ । ସରକାରୀ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ, ଲୋକେ କାମଧନ୍ଦା ନପାଇ ଦାଦନ ଯାଉଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଳା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଳା ସଭାପତି ସତ୍ୟନାରାୟଣ ଭୋଇ । କିନ୍ତୁ କାମ ଯୋଗାଇବା ଦାୟିତ୍ବରେ ଥିବା ଅଧିକାରୀ ବେପରୁଆ ଢଙ୍ଗରେ ପ୍ରତିକ୍ରିୟା ଦେଉଛନ୍ତି।

 

  • Reported by:
  • MANARANJAN JOSHI , Karunakar Budek

OTV is now on Whatsapp

Join and get latest news update delivered to you via whatsapp

Join Now