ଚାଲିବ ଯାତ୍ରୀବାହୀ ଜାହାଜ
ପାରାଦୀପ ବନ୍ଦରକୁ ଚଳାଚଳ କରିବ କ୍ରୁଜ୍ ସିପ୍ ବା ଯାତ୍ରୀବାହୀ ଜାହାଜ । ଦେଶର ବିଭିନ୍ନ ବନ୍ଦର ଏବଂ ବିଦେଶରୁ ଆସିବେ ପର୍ଯ୍ୟଟକ । ଅପେକ୍ଷାକୃତ କମ୍ ଖର୍ଚ୍ଚରେ ଜଳପଥରେ ପର୍ଯ୍ୟଟନର ମଜା ନେବେ ପର୍ଯ୍ୟଟକ । ଏହା ଦ୍ୱାରା ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସର୍ବବ୍ୟାପ୍ତ ହେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅର୍ଥନୈତିକ ଅଭିବୃଦ୍ଧି ନେଇ ଆଶା ସଞ୍ଚାର ହୋଇଛି । ସ୍ଥାନୀୟ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ବି ସୃଷ୍ଟି ହେବ । ଉଭୟ ପଣ୍ୟବାହୀ ଏବଂ ଯାତ୍ରୀବାହୀ ଜାହାଜ ଚଳାଚଳ ହେଲେ ଏକ ପୂର୍ଣ୍ଣାଙ୍ଗ ବନ୍ଦରରେ ପରିଣତ ହେବ ପାରାଦୀପ ପୋର୍ଟ ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ଭୀଷଣ ଗରମ ଓ ଗୁଳୁଗୁଳି; ଏଇ ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ପାରାଦୀପକୁ ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ପ୍ରସ୍ତାବ ଦେଇଥିଲେ, ଗତ ମାସ ୨୬ ତାରିଖରେ ମୁମ୍ବାଇଠାରେ ଏହାକୁ "ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ" ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା ସେ କହିଛନ୍ତି ।
୬ ବର୍ଷ ତଳେ ଅର୍ଥାତ୍ ୨୦୧୯ ଜାନୁଆରୀ ୨୬ ତାରିଖରେ ପାରାଦୀପ ବନ୍ଦରକୁ "ସିଲଭର ଡିସକଭରର୍" ନାମକ ଏକ ଯାତ୍ରୀବାହୀ ଜାହାଜ ଆସିଥିଲା । ଆମେରିକା, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, କାନାଡା, ଫ୍ରାନ୍ସ, ଅଷ୍ଟ୍ରେଲିଆ ଭଳି ୭ଟି ଦେଶରୁ ୬୩ ଜଣ ପର୍ଯ୍ୟଟକ ଆସି ଓଡ଼ିଶାର ରତ୍ନଗିରି, ଲଳିତଗିରି, ଉଦୟଗିରି ଆଦି ଐତିହ୍ୟସ୍ଥଳ ବୁଲି ଦେଖିଥିଲେ, ଓଡ଼ିଆ ଖାଦ୍ୟ ଖାଇଥିଲେ। ଓଡ଼ିଶୀ ନୃତ୍ୟ ଏବଂ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ଝଲକ ଭିତରେ ସେମାନଙ୍କୁ ସ୍ଵାଗତ କରାଯାଇଥିଲା । ଯାହାକୁ ବିଦେଶୀ ପର୍ଯ୍ୟଟକମାନେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ନିୟମିତ ପାରାଦୀପକୁ କ୍ରୁଜ୍ ସିପ୍ ଚାଲିବା ନେଇ ଆଶା ସୃଷ୍ଟି ହୋଇଥିଲା । ମାତ୍ର ତାହା ଆଜି ଯାଏ ଆଶାରେ ରହି ଯାଇଥିଲା । ଏବେ ସାଂସଦ ତରାଇଙ୍କ ସୂଚନା ପରେ ଏହି ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି ।
ପାରାଦୀପ ବନ୍ଦରକୁ ଯାତ୍ରୀବାହୀ ଜାହାଜ ଚଳାଚଳ କଲେ ଜଳପଥରେ ଟ୍ରାଫିକ ବୃଦ୍ଧି ସହ ପ୍ରଦୂଷଣ ବଢିବ, ଯାହା ଫଳରେ ମାଛ ଉତ୍ପାଦନ ହ୍ରାସ ପାଇବ ବୋଲି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଆଶଙ୍କା କରିଛନ୍ତି। ଦେଶ ବିଦେଶର ନାଗରିକ ଯିବା ଆସିବା ଲାଗି ରହିଲେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବି ବିଶେଷ ଧ୍ୟାନ ଦିଆଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749281525.jpg)