ଜରାଜୀର୍ଣ୍ଣ ଅବସ୍ଥାରେ ଯାଜପୁର ଜିଲ୍ଲାର ଗୋକର୍ଣ୍ଣେଶ୍ବର ପୀଠ ନିକଟରେ ଥିବା ପାନ୍ଥିକା । ଦିନ ଥିଲା, ପର୍ଯ୍ୟଟକଙ୍କ ପାଇଁ ଏ ଅଂଚଳ ଥିଲା ବେଶ୍ ଚଳଚଂଚଳ, ଆକର୍ଷଣରେ ଭରା । କିନ୍ତୁ ଏବେ ଶ୍ରୀହୀନ, ପାଲଟିଛି ଭୂତକୋଠି । କୋଟି କୋଟି ଟଙ୍କା ପାଣିରେ ପଡିଛି । ଦୀର୍ଘ ୧୫ ବର୍ଷ ହେଲା ବନ୍ଦ ହୋଇ ପଡିଛି ପାନ୍ଥିକା । ମରାମତି କରିବାକୁ ଲୋକଙ୍କ ଦାବି ଉଠୁଥିବାବେଳେ ବିଧାୟକ କହିଛନ୍ତି, ପୁନର୍ବାର କାର୍ଯ୍ୟକ୍ଷମ କରାଯିବାକୁ ଚେଷ୍ଟା କରାଯାଉଛି।
Also Read
ଅଧିକ ପଢ଼ନ୍ତୁ: ୱକଫ୍ ବିଲ୍: ‘ରାଜ୍ୟସଭାରେ ରଖିଛନ୍ତି କେଉଁ ଆଭିମୁଖ୍ୟ ? ମୁହଁ ଖୋଲନ୍ତୁ ସବୁ ବିଜେଡି ସାଂସଦ’
ଦିନେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ବେଶ୍ ଚଳଚଂଚଳ, ଲୋକବାକରେ ପୁରି ଉଠୁଥିଲା । ଏବେ ଶ୍ରୀହୀନ, ପାଲଟି ଯାଇଛି ଭୂତକୋଠି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗୋକର୍ଣ୍ଣେଶ୍ୱର ପୀଠ ନିକଟରେ ଥିବା ପାନ୍ଥିକା । କୋଟି କୋଟି ଟଙ୍କାରେ ଗତ ୨୦୦୧ ମସିହାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା । ୨୦୧୦ ମସିହା ଯାଏ ସବୁ ଠିକଠାକ୍ ବି ଚାଲୁଥିଲା । ବିଭିନ୍ନ ଜିଲ୍ଲାରୁ ପର୍ଯ୍ୟଟକ ଆସିଲେ ଏଠି ରହିବା ସହ ଆଖପାଖ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଉଥିଲେ ।
ହେଲେ ୨୦୧୦ ମସିହାରେ ହଠାତ୍ ବନ୍ଦ ହୋଇଯିବାପରେ ବଦଳିଗଲା ଚିତ୍ର । ଲଟାବୁଦା ଭିତରେ ଶ୍ରୀହୀନ ପାନ୍ଥିକା । କେଉଁଠି ମାଡ଼ିଛି ଲଟାବୁଦା, ଭଙ୍ଗାରୁଜା ଅବସ୍ଥାରେ ଘର । ସତେ ଯେମିତି ସିନେମାର ଭୂତକୋଠିର ଦୃଶ୍ୟ । ଦେଖିବାକୁ କି କହିବାକୁ କେହି ନଥିବାରୁ ଘର ଗୁଡିକର ଝରକା କବାଟ ବି ତଡା ହୋଇଗଲାଣି। ଚାରିଆଡେ ଗଦା ହୋଇପଡିଛି ମଦ ବୋତଲ, ଅସାମାଜିକ ଲୋକଙ୍କ ପାଇଁ ଜାଗାଟି ପାଲଟିଛି ସ୍ବର୍ଗ । ତେଣେ ଗତବର୍ଷ କେବଳ ସାମ୍ନାପଟ କୋଠାକୁ ରଙ୍ଗ ମାରି କାମ ସାରି ଦେଇଛି ପର୍ଯ୍ୟଟନ ବିଭାଗ ।
ଗଲା ୧୫ ବର୍ଷ ଧରି ବନ୍ଦ ହୋଇ ପଡିଛି ଗୋକର୍ଣ୍ଣେଶ୍ବର ପାନ୍ଥିକା। ବନ୍ଦ ତ ପଡିନି, ଗୁମୁରି ଗୁମୁରି କାନ୍ଦୁଛି। ଜାଗାଟିର ରକ୍ଷଣାବେକ୍ଷଣ ପାଇଁ ନାଁକୁ ମାତ୍ର ସିକ୍ୟୁରିଟି ଗାର୍ଡ ଥିବାବେଳେ ଯଥାଶୀଘ୍ର ଏହାର ମରାମତି କରାଯିବାକୁ ଦାବି କରିଛନ୍ତି ଅଂଚଳବାସିନ୍ଦା । ତେଣେ ପାନ୍ଥିକାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍ଥାନୀୟ ବିଧାୟକ ।
ଅଧିକ ପଢ଼ନ୍ତୁ: ନବୀନଙ୍କୁ ଚୁପ୍ ସୈତାନ ବୋଲି କଟାକ୍ଷ କଲେ ସୌମ୍ୟ; କହିଲେ, ‘ସମ୍ରାଟ ଆଜି ଚୁପ୍ କାହିଁକି’
- Reported by:
- Gulam