ସିଭିଲ୍ ସର୍ଭିସ୍ ଢାଞ୍ଚାରେ ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS ଲାଗୁ ହେବା ଉଚିତ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏହା କହିଛନ୍ତି । ଜଜ୍ ନିଯୁକ୍ତି କ୍ଷେତ୍ରରେ ସାରା ଦେଶରେ ଏକ ସାଧାରଣ ପରୀକ୍ଷା ହେବା ଉଚିତ ବୋଲି ସେ ମତ ଦେଇଛନ୍ତି । ଏହାଦ୍ୱାରା ଜିଲ୍ଲାସ୍ତରର ଜଜମାନେ ଅନ୍ୟ ରାଜ୍ୟରେ ମଧ୍ୟ ନିଯୁକ୍ତି ପାଇପାରିବେ ବୋଲି ସେ କହିଛନ୍ତି । OTVର ସ୍ୱତନ୍ତ୍ର ଫୋରସାଇଟ୍ କାର୍ଯ୍ୟକ୍ରମରେ ଭାଗ ନେଇ ଏହା କହିଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼ । ଏହା ନୂଆ ପିଢିଙ୍କ ଦେଶ । ବୟସ ବା ଅଭିଜ୍ଞତା ନୁହେଁ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିବା କଥା । କୋର୍ଟରେ ମାମଲାର ତାରିଖ ପରେ ତାରିଖ ପଡୁଥିବା ସଂପର୍କରେ ହେଉଥିବା ଅଭିଯୋଗ ଉପରେ ସେ କହିଛନ୍ତି, ଜଜମାନେ କେବେ ତାରିଖ ମାଗନ୍ତିନି । ସମନ୍ ପୋଲିସ୍ ଦ୍ୱାରା ଦିଆଯାଇଥାଏ । ତାରିଖ ଗଡିବାର ବହୁ କାରଣ ରହିଛି । ତେବେ ବିଚାର ବ୍ୟବସ୍ଥାରେ ସଂସ୍କାର ଆସିବା ଜରୁରୀ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଟିଭିର କାର୍ଯ୍ୟନିର୍ବାହୀ ସଂପାଦକ ରାଧାମାଧବ ମିଶ୍ରଙ୍କ ସହ ବାର୍ତ୍ତାଳାପରେ ସେ ଏହା କହିଛନ୍ତି । ଗଣମାଧ୍ୟମ ସମାଜର ସୁରକ୍ଷା ପାଚେରୀ ବୋଲି ସେ ମତ ଦେବା ସହ ଫେକ୍ ନ୍ୟୁଜ୍ ଆଜିର ଦିନରେ ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି ।
OTV Foresight 2025 Live Updates: ଓଟିଭି ଫୋରସାଇଟ୍: ବଡ଼ ମଞ୍ଚରେ ବିଚାରର ମହାମନ୍ଥନ
ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ସେ ଦୀର୍ଘ ବର୍ଷ ଧରି କୋର୍ଟ ରୁମରେ କାମ କରିଛନ୍ତି । ଏବେ ଅବସର ନେବା ପରେ ସମାଜ କେତେ ବ୍ୟାପକ ତାହା ସେ ଉପଲବ୍ଧି କରୁଛନ୍ତି । ସେ କହିଛନ୍ତି, ତାଙ୍କ ବାପା ୱାଇଭି ଚନ୍ଦ୍ରଚୂଡ଼ ମଧ୍ୟ ସୁପ୍ରିମକୋର୍ଟରେ ପ୍ରଦାନ ବିଚାରପତି ଓ ଦୀର୍ଘ ବର୍ଷ ଧରି ଜଜ୍ ଥିଲେ । ତେବେ ତାଙ୍କ ବାପା କହିଥିଲେ ସେ ଅବସର ନେବା ପରେ ହିଁ ପୁଅ କୋର୍ଟକୁ ଯାଇ ପ୍ରାକ୍ଟିସ କରିବ । ତାହା ହିଁ ହୋଇଥିଲା ।
ଅଯୋଧ୍ୟା ମାମଲାର ଶୁଣାଣି ନେଇ ସେ କହିଛନ୍ତି ଯେ, ଏହା ଏକ କଠିନ ଓ ଜଟିଳ ମାମଲା ଥିଲା । ବହୁତ ପୁରୁଣା ମାମଲା ମଧ୍ୟ ଥିଲା । ପ୍ରାୟ ୩୦ ହଜାର ଫାଇଲ୍ ଥିଲା । ବିଭିନ୍ନ ଭାଷାରେ ବି ଫାଇଲ୍ ଥିଲା । ସବୁ ଦେଖି ରାୟ ଦିଆଯାଇଥିଲା । ଏଥିରେ ଥିବା ଚାଲେଞ୍ଜ କଥା ସେ ଖୋଲାଖୋଲି କହିଛନ୍ତି ।
ସେ କହିଛନ୍ତି, ସମସ୍ତଙ୍କ ଜୀବନରେ ସଂଘର୍ଷ ଆସେ, ତାଙ୍କ ଜୀବନରେ ମଧ୍ୟ ଆସିଛି । ସେ ଥରେ ତାଙ୍କ ଗାଁକୁ ( ମହାରାଷ୍ଟ୍ରର ପୁଣେ ନିକଟରେ) ଯାଇଥିଲେ । ତାଙ୍କୁ ଜଣେ ପ୍ରଶ୍ନ କରିଥିଲେ, ଏତେ କନଫ୍ଲିକ୍ଟ ଭିତରେ ଶାନ୍ତି କେମିତି ରଖୁଛନ୍ତି । ସେ କହିଲେ, ମୁଁ ସବୁବେଳେ ଶାନ୍ତ ଥାଏ । କେବେ ବି ଚିଲାଏନି । ନିଜର ଜୀବନଚର୍ଯ୍ୟାକୁ ନେଇ ସେ କହିଛନ୍ତି, ସେ ସବୁବେଳେ ସକାଳ ସାଢେ ୩ଟାରେ ଉଠନ୍ତି । ତା’ ପରେ ଘଣ୍ଟାଏ ପର୍ଯ୍ୟନ୍ତ ଧ୍ୟାନ ଓ ପୂଜା କରନ୍ତି । ତେବେ ସେ କୌଣସି ନିର୍ଦ୍ଦିଷ୍ଟ ଦେବାଦେବୀଙ୍କୁ ପୂଜା କରୁନଥିବା କହିଛନ୍ତି ।
ଗତ ୩୮ ବର୍ଷ ଧରି ଭାରତୀୟ ନ୍ୟାୟପାଳିକା ସହ ଯୋଡ଼ି ହୋଇ ରହିଛନ୍ତି । ବିଚାରପତି ଚୌକିରେ ବସିଲା ବେଳେ ସେ ସବୁବେଳେ ଭାବନ୍ତି କାହା ପ୍ରତି ଅନ୍ୟାୟ ନ ହେଉ । ମୋ ଦ୍ୱାରା କେହି ନିର୍ଦ୍ଦୋଷ ଦଣ୍ଡ ନପାଆନ୍ତୁ ବୋଲି ମୁଁ ଭାବିଥାଏ ବୋଲି ସେ କହିଛନ୍ତି । କେହି କୋର୍ଟରୁମକୁ ଯିବା ବେଳେ ଜୈନ ଧର୍ମର ଏକ ମନ୍ତ୍ର ତାଙ୍କ ମନ ଭିତରେ ଥାଏ ବୋଲି ସେ କହିଛନ୍ତି ।
ବିଚାରପତି ଭାବେ ନର୍ଭସ ହେବାର ଅନୁଭୂତି ରହିଛି କି ପ୍ରଶ୍ନରେ ମଧ୍ୟ ସେ ତାଙ୍କର ମତ ରଖିଛନ୍ତି । ସେ ସ୍ୱୀକାର କରିଛନ୍ତି, ଜଜମାନେ ମଧ୍ୟ ନର୍ଭସ ହୁଅନ୍ତି । ଜଜଙ୍କ ଉପରେ ଦାୟିତ୍ୱ ଅଧିକ ଥାଏ । କିଛି ଭୁଲ ହେଲେ ଜଣେ ଉପର କୋର୍ଟକୁ ଯାଇପାରିବ । ଜିଲ୍ଲା କୋର୍ଟରେ ଜଣେ ଅସନ୍ତୁଷ୍ଟ ହୋଇ ହାଇକୋର୍ଟକୁ ଯାଇପାରିବେ । ସେହି ପରି ଜଣେ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇପାରିବେ । କିଛି ଭୁଲ୍ ହୋଇଥିଲେ ସୁଧାରି ହେବ । କିନ୍ତୁ ସୁପ୍ରିମକୋର୍ଟରେ ଭୁଲ୍ ହେଲେ କିଏ ସୁଧାରିବ ?
ଅଧିକ ପଢ଼ନ୍ତୁ :‘ଆମେ କୌଣସି ସରକାରଙ୍କ ସମର୍ଥନରେ କିମ୍ବା ବିପକ୍ଷରେ ନାହୁଁ’
ଜିଲ୍ଲା ଜଜ୍ କୋର୍ଟରେ ବେଲ୍ ନ ମିଳିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି । ଯଦି ଜିଲ୍ଲା କୋର୍ଟରେ ବେଲ୍ ମିଳିବାର ଅଛି, ଦିଆଯିବା ଦରକାର । ନଚେତ ଆବେଦନକାରୀଙ୍କୁ ହାଇକୋର୍ଟ ଯିବାକୁ ପଡ଼େ । ମୁଦାଲାଙ୍କୁ ଅଧିକ ଖର୍ଚ୍ଚାନ୍ତ ପଡ଼େ । ଠିକ୍ ସେହିପରି ହାଇକୋର୍ଟ ବେଲ୍ ନ ଦେଲେ, ସୁପ୍ରିମକୋର୍ଟରେ ମାମଲା ବଢ଼େ । ତଳକୋର୍ଟରେ ଯେଉଁ ମାମଲାରେ ଜାମିନ ମିଳିପାରିବ, ସେ କେସରେ ଜାମିନ ଦେଇଦେବା କଥା ବୋଲି ସେ କହିଛନ୍ତି । ତେବେ ସବୁ କେଶରେ ଜାମିନ ନଦେଇ ଜଜମାନେ ସମାଜ ପାଇଁ କାମ କରୁଛନ୍ତି ବୋଲି ମଧ୍ୟ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
କୋର୍ଟ ରୁମ୍ରେ ଲାଇଭ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ନେଇ ମଧ୍ୟ ସେ ମତ ରଖିଛନ୍ତି । କୋଭିଡ୍ ସମୟରେ ଏହା ଆରମ୍ଭ କରାଯାଇଥିଲା । ଏଥିରୁ ସୁଫଳ ମିଳିବାରୁ ଏହାକୁ ବ୍ୟାପକ କରାଯାଇଥିଲା । ଏପରି ବ୍ୟବସ୍ଥା ହୋଇଛି ଯେ, ଜଣେ ଓକିଲ ତଳକୋର୍ଟର ଏକ ରୁମରେ ବସି ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମାମଲା ଲଢିପାରିବେ । ବର୍ତ୍ତମାନ ସମୟରେ ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।
ବିଚାର ବ୍ୟବସ୍ଥାରେ ସଂସ୍କାର ଜରୁରୀ ବୋଲି ମତ ଦେଇ ଅଧିକ ଜଜ୍ ପଦବୀ ସୃଷ୍ଟି ସହ ଆନୁଷଙ୍ଗୀକ ଭିତ୍ତିଭୂମିର ବିକାଶ ହେଉ ବୋଲି ସେ କହିଛନ୍ତି । ବିଚାରପତିମାନଙ୍କ ଉପରେ ରାଜନୈତିକ ଚାପ ପଡେ କି ପଚାରାଯିବାରୁ ସେ କହିଛନ୍ତି, ଆଦୌ ଚାପ ପଡେନି । ବିଚାରପତିମାନେ ସ୍ୱାଧୀନ ଭାବେ ସେମାନଙ୍କ କାମ କରନ୍ତି । କୌଣସି ପ୍ରକାରର ରାଜନୈତିକ ଚାପକୁ ସେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ସୁପ୍ରିମକୋର୍ଟର ପ୍ରାୟ ୩୭ ହଜାର ରାୟ ବିଭିନ୍ନ ଭାଷାରେ ଅନୁବାଦିତ ହେବା ଏକ ଉଲ୍ଲେଖନୀୟ କଥା ବୋଲି ସେ କହିଛନ୍ତି ।