Advertisment

OSSSC ପରୀକ୍ଷା ବିଭ୍ରାଟ, ଆଶାୟୀଙ୍କ ଗର୍ଜନ; ସରକାର ବଦଳିଥିଲେ ବି ବଦଳୁନି ବ୍ୟବସ୍ଥା !

ଅଯୋଗ୍ୟ ସଂସ୍ଥାକୁ ଦାୟିତ୍ୱରୁ ହଟାଇ ପୁନଃ ପରୀକ୍ଷା ଦାବି । କାଲି ସରକାରଙ୍କ ସହ ଉଚ୍ଚସ୍ତରୀୟ ବୈଠକ ।

author-image
Satyendu Shekher Mishra
undefined

OSSSC

କହି କହି ଥକିଗଲେ.. ସହି ସହି ଏବେ ଶକ୍ତ ହୋଇଗଲେ.. ଶେଷରେ ଏବେ ଲଢ଼େଇ ମୁଦ୍ରାରେ ହଜାର ହଜାର ସରକାରୀ ଚାକିରି ଆଶାୟୀ। ଆମେ କହୁଛୁ ସେହି ପରୀକ୍ଷାର୍ଥୀଙ୍କ କଥା, ଯେଉଁମାନେ ଆଜିକୁ ଦୀର୍ଘ ଦିନ ହେଲା OSSSC ପରିଚାଳିତ RI, ARI, ଅମିନ, SFS, ICDS ସୁପରଭାଇଜର ପରୀକ୍ଷାରେ କ୍ରମାଗତ ବିଭ୍ରାଟକୁ ନେଇ ରାଜ୍ୟବ୍ୟାପି ଅସନ୍ତୋଷ ଝାଡ଼ିଛନ୍ତି।

Advertisment

ଶେଷରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଏକଜୁଟ୍ ହୋଇ ବର୍ଷା ମାଡ଼ ଭିତରେ ନିର୍ଣ୍ଣାୟକ ଲଢ଼େଇର ମୂଳଦୁଆ ପକାଇଛନ୍ତି। ତା’ସହ କହିଛନ୍ତି, ଆମ ଭୋଟରେ ୨୪ ବର୍ଷର ସରକାର ବଦଳିଥିଲେ ବି କାହିଁକି ବଦଳିନି ବ୍ୟବସ୍ଥା ? କାହାକୁ ଡରୁଛନ୍ତି ବିଜେପି ସରକାର ? କାହିଁକି ହେଉନି OSSSC ବିରୋଧରେ ଆକ୍ସନ ? ପ୍ରଶ୍ନବାଣ ମାରି ଘେରିଛନ୍ତି ମୋହନ ସରକାରଙ୍କୁ।

ସମୟ ପୂର୍ବାହ୍ନ ପ୍ରାୟ ୧୦ଟା। ପ୍ରଥମେ ଏକଜୁଟ୍ ହୋଇ ଲୋୟର ପିଏମଜିରେ ରାଲିରେ ଆସି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ନେତୃତ୍ୱରେ ଗର୍ଜିଥିଲେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ପରୀକ୍ଷାର୍ଥୀ। କାହା ହାତରେ ଥିଲା ଚାକିରି ବିକ୍ରି ହେଉଥିବା ଅଭିଯୋଗ ପ୍ଲାକାର୍ଡ ତ ଆଉ କାହା ହାତରେ ଥିଲା ନୋଟ୍। ପ୍ରତିବାଦ ସ୍ୱରୂପ କିଏ କହୁଥିଲେ ୨୦ ଲକ୍ଷ ଦିଅ, ଚାକିରି ନିଅ ତ ଆଉ କିଏ କହୁଥିଲେ ୧୮ ଲକ୍ଷ ଦିଅ RI ଚାକିରି ନିଅ। ଏପରିକି ଚାକିରି ପାଇଁ କିଡନୀ ଦେବାକୁ ବି ପ୍ରସ୍ତୁତ ବୋଲି କଟାକ୍ଷ କରି କହିଛନ୍ତି ପରୀକ୍ଷାର୍ଥୀ।

Advertisment

ଏସବୁ ସତ୍ତ୍ୱେ କୌଣସି ସରକାରୀ ପ୍ରତିନିଧି ଆସି ତାଙ୍କ ସହ ଆଲୋଚନା ନକରିବାରୁ ଦିନ ପ୍ରାୟ ଗୋଟାଏ ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମୁହାଁ ହୋଇଥିଲେ ସମସ୍ତେ। ସେଠାରେ ଦୀର୍ଘ ସମୟ ଧରି ପୋଲିସ୍ ଅଟକାଇଥିଲା। ପରେ ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନର ଏକ ପ୍ରତିନିଧି ଟିମ୍ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା ପାଇଁ ଯାଇଥିଲେ ଲୋକସେବା ଭବନ। ଫେରିବା ପରେ ସଂପୃକ୍ତ ପରୀକ୍ଷାର୍ଥୀ କହିଛନ୍ତି, ଆସନ୍ତାକାଲି ସରକାର ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହ ପରବର୍ତ୍ତୀ ନିଷ୍ପତ୍ତି ନେବେ। ତେବେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା କିନ୍ତୁ ମିଳିପାରିନି।

ମାଲକାନଗିରିରୁ ମୟୁରଭଞ୍ଜ, ବଲାଙ୍ଗିରରୁ ବାଲେଶ୍ୱର। ରାଜ୍ୟବ୍ୟାପି RI, ଅମିନ ପରୀକ୍ଷା ବିଭ୍ରାଟର ଅଭିଯୋଗ। କେଉଁଠି ସପିଂ ମଲରେ ପରୀକ୍ଷା କରାଯାଉଛି ତ ଆଉ କେଉଁଠି କୌଣସି ଭିତ୍ତିଭୂମି ନଥିବା ସାଇବର କାଫେରେ ସରକାରୀ ନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଉଛି ଖୋଲାମେଲାରେ।

ତେବେ ତାମିଲନାଡୁର ଘରୋଇ ସଂସ୍ଥା SIFYକୁ OSSSC ଭଳି ଦାୟିତ୍ୱବାନ ଆୟୋଗ ପରୀକ୍ଷା ପରିଚାଳନା ଦାୟିତ୍ୱ କେମିତି ଦେଲେ ? ଯେଉଁ ସଂସ୍ଥା ବିରୋଧରେ ଦିଲ୍ଲୀର ପେପର୍ ଲିକ୍ ମାମଲା ଭଳି ଗୁରୁତର ଅଭିଯୋଗରେ ସିବିଆଇରେ ମାମଲା ବି ରହିଛି। ଏକଥା ତତ୍କାଳୀନ ସରକାର ଏବଂ ଏବର ବିଜେପି ସରକାର ମଧ୍ୟ ଜାଣିଛନ୍ତି। ନିଜେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କହିଥିଲେ ଆକ୍ସନ ନିଆଯିବ। ଅଥଚ ସାଢ଼େ ୫ ଲକ୍ଷ ପିଲାଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ କାହିଁକି ଏଯାଏଁ ସରକାର କିମ୍ବା ଓଟ୍ରିପଲ୍ ଏସସି କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାଁନ୍ତି ? କାହିଁକି ସମସ୍ତେ ନୀରବ ? ତାହା ସବୁଠୁ ବଡ଼ ପ୍ରଶ୍ନ।

Student Job Scam Protest
Advertisment
Advertisment