/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748425211.jpg)
Online Gaming Addiction
ମା’ କୋଳ ଖାଲି କରିଦେଲା ଅନଲାଇନ୍ ଗେମ୍ । କାଳ ସାଜି ମା’ଠୁ ଛଡାଇ ନେଲା ପୁଅକୁ । ଚାଲିଗଲା ଘରର ଏକମାତ୍ର କୁଳନନ୍ଦନ । ଏବେ ପୁଅକୁ ଝୁରି ହେଉଛି ମା’ । ଆଖି ଆଗରେ ପୁଅର ମୃତଦେହକୁ ଦେଖି ମା’ ପାଟିରୁ କଥା ବାହାରୁନି । ସେପଟେ ବାପାଙ୍କ ଅବିସ୍ଥା ବି ସମାନ। ୧୮ ବର୍ଷର ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର, କାନ୍ଦୁଛନ୍ତି ସାହି ପଡିଶା ।
କେନ୍ଦ୍ରାପଡା ଜିଲ୍ଲା ତଳକୁସୁମା ପଞ୍ଚାୟତର ବଙ୍ଗାରୀ ଗାଁ । ଏଠାକାର ଉମାକାନ୍ତ ଜେନାଙ୍କ ଏକମାତ୍ର ପୁଅ ସାହିଲ୍ ଜେନା । ଭୁବନେଶ୍ବର ସ୍ଥିତ ଏକ ଇଞ୍ଜିନିୟରିଂ ଦ୍ବିତୀୟ ବର୍ଷର ଛାତ୍ର ଥିଲେ । ଖରା ଛୁଟିରେ ସେ ଘରକୁ ଆସିଥିଲେ । ପାଠ ପଢ଼ାରେ ମେଧାବୀ ଥିବା ସାହିଲଙ୍କୁ ପାଗଳ କରିଥିଲା ଅନ୍ଲାଇନ୍ ଗେମ୍ । ଗତ ୬ ମାସ ହେଲା ପରିବାର ଲୋକଙ୍କୁ ଲୁଚାଇ ସେ ଗେମ୍ ଖେଳୁଥିଲେ । ଆଉ ଖେଳ ନିଶାରେ ପଡି ପୁଳା ପୁଳା ଟଙ୍କା ବି ଜୁଆ ଆପ୍ରେ ଲାଗିଥିଲେ । ଏଥିପାଇଁ ବେଶ୍ କିଛି ଦିନ ହେବ ଡିପ୍ରେସନରେ ଥିଲେ ସାହିଲ ।
ଅଧିକ ପଢ଼ନ୍ତୁ: ସମସ୍ତେ ଆପଣଙ୍କୁ ଏକୁଟିଆ ଛାଡ଼ି ଚାଲିଯିବେ କି...କାହିଁକି ଘାରୁଛି ଏମିତି ଭୟ ?
ପୂର୍ବରୁ କେତେଥର ଗେମ୍ରେ ହାରିବା ପରେ ସେ ବାପାଙ୍କ ଆକାଉଣ୍ଟରୁ ଟଙ୍କା ନେଇ ଭରଣା କରୁଥିଲେ । ତେବେ ସୋମବାର ଦିନ ବି ସାହିଲ୍ ଅନ୍ଲାଇନ୍ରେ ଗେମ୍ ଖେଳିଥିଲେ । ଏଥିରେ ସେ ୯୬ ହଜାର ଟଙ୍କା ହାରି ଯାଇଥିଲେ । ଏତେ ପରିମାଣରେ ଟଙ୍କା ହରାଇବା ପରେ ଭୟଭୀତ ହୋଇପଡିଥିଲେ ସାହିଲ । କ’ଣ କରିବେ କିଛି ବୁଝି ପାରିନଥିଲେ । ଶେଷରେ ନେଇଥିଲେ ଚରମ ନିଷ୍ପତ୍ତି । କୀଟନାଶକ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତଙ୍କୁ ପ୍ରଥମେ ପାଟକୁରା ଏବଂ ପରେ କଟକ ନିଆଯାଉଥିଲା । ହେଲେ ବାଟରେ ହିଁ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ସାହିଲ । ଛାତ୍ରଙ୍କ ଏଭଳି ଦୁଃଖଦ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।
ଏବେ ଯୁବପିଢ଼ିଙ୍କୁ ଅନ୍ଲାଇନ୍ ଗେମ୍ ନିଶା ଘାରିଛି । ସଚେତନା ସତ୍ତ୍ୱେ ବାରମ୍ବାର ଏପରି ଖବର ସାମ୍ନାକୁ ଆସିବା ଚିନ୍ତାର ବିଷୟ। ତେଣୁ ପିଲାମାନଙ୍କୁ ଏଥିପ୍ରତି ଦୂରେଇ ରଖିବା ନିହାତି ଜରୁରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)