/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725809943.jpg)
Odisha second AIIMS
ରାଜ୍ୟର ଦ୍ବିତୀୟ AIIMS ସମ୍ବଲପୁରରେ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଏ ନେଇ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି।
ତେଣୁ ଆଗାମୀ ଦିନରେ AIIMS ମେଡିକାଲ ସମ୍ବଲପୁରରେ ହେବାକୁ ଯାଉଛି। ସେହିପରି କୃଷି ବିଦ୍ୟାନିଧି ଯୋଜନା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି- ଏହାର ସୁବିଧା ସିଏମ୍ କିଷାନ ଯୋଜନା ହିତାଧିକାରୀଙ୍କ ପିଲାମାନେ ପାଇବେ। ବୈଷୟିକ ସ୍ତରୀୟ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଆକାରରେ ସହାୟତା ମିଳିବ।
ସିଏମ୍ କିଷାନ୍ ଯୋଜନାରେ ରାଜ୍ୟର ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ। ଏଥିପାଇଁ ପ୍ରଥମ କିସ୍ତିରେ ଚାଷୀଙ୍କୁ ୯୨୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି। ଉଭୟ ଖରିଫ ଓ ରବି ଫସଲ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷକଙ୍କ ଖାତାକୁ ୩ଟି କିସ୍ତିରେ ୧୨ ହଜାର ୫ ଶହ ଟଙ୍କା ଲେଖାଏଁ ଯିବ। ଏଥିପାଇଁ ଚଳିତ ବଜେଟରେ ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ରାଜ୍ୟ ସରକାର।
୨୦୧୯ ନିର୍ବାଚନକୁ ଯିବା ପୂର୍ବରୁ ଡିସେମ୍ବର ୨୦୧୮ରେ ଚାଷୀଙ୍କ ସହାୟତା ପାଇଁ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ପ୍ରଥମେ ପ୍ରଥମେ ଦୁଇଟି କିସ୍ତିରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦିଆଯାଉଥିଲା । ହେଲେ ୨୦୧୯ରେ ମୋଦି ସରକାର ପିଏମ୍ କିଷାନ ସମ୍ମାନ ନିଧି ଘୋଷଣା କରିବାରୁ କାଳିଆକୁ ତା’ ସହ ମିଶାଇ ୧୦ ହଜାରରୁ ସହାୟତା ରାଶିକୁ ୪ ହଜାରକୁ ଖସାଇ ଦେଇଥିଲେ ନବୀନ ସରକାର ।
ତେବେ ଗତମାସ ୩୧ ତାରିଖରେ ବିଧାନସଭାରେ କୃଷିମନ୍ତ୍ରୀଙ୍କ ତଥ୍ୟରୁ ପିଏମ୍ କିଷାନରେ ୨୯ ଲକ୍ଷ ୭୩ ହଜାର ୯୮୦ ଜଣ ଚାଷୀ ସାମିଲ ହୋଇଥିବାରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଉଦ୍ୟମ କରିଛନ୍ତି ମୋହନ ସରକାର। ଏଥିପାଇଁ ଆଜି ସିଏମ୍ କିଷାନ୍ ପୋର୍ଟାଲର ବି ଶୁଭାରମ୍ଭ କରାଯାଇଛି। ଯେଉଁଥିରେ ସିଏମ୍ ଓ ପିଏମ୍ କିଷାନରୁ ବଞ୍ଚିତ ଚାଷୀ ନାମ ପଞ୍ଜିକରଣ କରିପାରିବେ। ଆଜିଠୁ ଏହି ପଞ୍ଜିକରଣ ଆରମ୍ଭ ହୋଇଛି। ଯାହା ଆସନ୍ତା ୨ ମାସ ପର୍ଯ୍ୟନ୍ତ ଚାଲିବ। ତେଣୁ ନବୀନ ସରକାର ଅମଳରେ ସହାୟତା ଯୋଜନାରୁ ବଞ୍ଚିତ ଚାଷୀଙ୍କ ଭିତରେ ଏବେ ଆଶା ଜାଗିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)