• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅପେକ୍ଷାର ଅନ୍ତ । ୨ ବର୍ଷର ପ୍ରତୀକ୍ଷା ପରେ ରାଜ୍ୟରେ ପୁଣି ଆରମ୍ଭ ହେଲା ଆପାର୍ଟମେଣ୍ଟ ପଞ୍ଜିକରଣ । ହେଲେ ଏଥର କିନ୍ତୁ କେବଳ ଆପାର୍ଟମେଣ୍ଟ ନୁହେଁ, ପ୍ରକଳ୍ପ କମନ୍ ଏରିଆର ମାଲିକ ବନୁଛନ୍ତି ବାସଗୃହ କ୍ରେତା । ପ୍ରତିବନ୍ଧକ ହଟିବା ପରେ ନିକଟରେ ଭୁବନେଶ୍ୱରରେ ପଞ୍ଜୀକରଣ ହୋଇଛି ୩ଟି ଆପାର୍ଟମେଣ୍ଟ । ସୂଚନା ଥାଉକି, ଏକ ରେରା ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ନିୟମ ନ ଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୨୨ ମେ’ ୨୨ରୁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଆପାର୍ଟମେଣ୍ଟ ପଞ୍ଜୀକରଣ। ଏହାପରେ ୨୦୨୩ ଏପ୍ରିଲରେ ରାଜ୍ୟ ସରକାର ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ ଆଣିଥିଲେ ।

୨୦୨୪ ଫେବ୍ରୁଆରୀ ୧୬ରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ବି ଆସିଲା । ଏହାସତ୍ତ୍ବେ ୪ ମାସ ବିଳମ୍ବ ହେଲା ଆପାର୍ଟମେଣ୍ଟ ପଞ୍ଜୀକରଣ । ତେବେ ନିୟମ ଆସିବା ସତ୍ତ୍ବେ କାହିଁକି ବିଳମ୍ବ ହେଲା ଆପାର୍ଟମେଣ୍ଟ ପଞ୍ଜୀକରଣ ? ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ କହିବା ଅନୁସାରେ, ନିୟମ ଅନୁସାରେ, ଆପାର୍ଟମେଣ୍ଟ ପଞ୍ଜୀକରଣ ପୂର୍ବରୁ ବାସଗୃହ କ୍ରେତାଙ୍କ ଆସୋସିଏସନ ଗଠନ ହେବା ଦରକାର । ଏହାସହ କମ୍ପିଟେଣ୍ଟ ଅଥରିଟିଙ୍କ ଅନୁମୋଦନ ଆବଶ୍ୟକ। ଯେଉଁମାନେ ନିୟମ ଅନୁପାଳନ କରୁଛନ୍ତି, ସେମାନଙ୍କ ଆପାର୍ଟମେଣ୍ଟ ପଞ୍ଜୀକରଣ କରାଯାଉଛି ।

ତେବେ ରିଅଲ ଇଷ୍ଟେଟ୍ ସଂଘର ଅଭିଯୋଗ, ନୂଆ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଯୋଗୁଁ ଢେର୍ ହଇରାଣ ହେଉଛନ୍ତି ପୁରୁଣା ବାସଗୃହ କ୍ରେତା । ନୂଆ ଆଇନରେ ଉଭୟ ନୂଆ ଓ ପୁରୁଣା ଆପାର୍ଟମେଣ୍ଟକୁ ସାମିଲ କରାଯାଇଛି। ଏହାଯୋଗୁଁ ୨୦୧୭ରେ ରେରା ଆସିବା ପୂର୍ବରୁ ଯେଉଁ ପ୍ରକଳ୍ପରେ ବାସଗୃହ କ୍ରେତା ସୋସାଇଟି ଗଠନ ସହ ଘର ପଞ୍ଜୀକରଣ କରିଛନ୍ତି, ଏବେ ଆପାର୍ଟମେଣ୍ଟ ବିକ୍ରି ବେଳେ ତାହା ନୂଆ ଆଇନ ଅନୁକୂଳ ହେଉ ନ ଥିବାରୁ, ସେମାନେ ଆପାର୍ଟମେଣ୍ଟ ବିକ୍ରିରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏମିତିକି ଏବେ ରାଜ୍ୟରେ ପ୍ରାୟ ୧୦ ହଜାର ଆପାର୍ଟମେଣ୍ଟ ପଞ୍ଜିକରଣ ନ ହୋଇ ପଡ଼ି ରହିଥିବାରୁ ଷ୍ଟାମ୍ପ ଡ୍ୟୁଟି ଆକାରରେ ସରକାର ପାଇବାକୁ ଥିବା ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ବ ବି ଟ୍ରେଜେରୀକୁ ଆସିପାରୁନି। ଏଣୁ ୨୦୧୭ ପୂର୍ବର ପୁରୁଣା ଆପାଟର୍ମେଣ୍ଟକୁ ନୂଆ ଆଇନ ପରିଧିରୁ ବାଦ୍ ଦେବାକୁ ଦାବି କରିଛି ସଂଘ । ଏମିତିକି ରାଜ୍ୟରେ ବାରମ୍ବାର ରିଅଲ ଇଷ୍ଟେଟ୍ ନିୟମ ବଦଳୁଥିବାରୁ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ନିବେଶକ ଡରୁଥିବା ଅଭିଯୋଗ କରିଛି ରିଅଲ ଇଷ୍ଟେଟ୍ ସଂଘ ।

ଏବେ ଉଭୟ ବାସଗୃହ କ୍ରେତାଙ୍କ ସ୍ବାର୍ଥ ଓ ରିଅଲ୍ ଇଷ୍ଟେଟ୍ ଶିଳ୍ପର ବିକାଶ ପାଇଁ ନିୟମରେ କି ପରିବର୍ତ୍ତନ ଆଣୁଛନ୍ତି ରାଜ୍ୟର ନୂଆ ମୋହନ ସରକାର, ତାକୁ ଅପେକ୍ଷା ।

  • Reported by:
  • KAPILENDRA PRADHAN

OTV is now on Whatsapp

Join and get latest news update delivered to you via whatsapp

Join Now