Advertisment

Maternity Leave Rules: ଦୂର ହେଲା ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ, ୧୮୦ ଦିନର ଛୁଟି ପାଇଁ ଆସିଲା ନିର୍ଦ୍ଦିଷ୍ଟ ନିୟମ

ମାତୃତ୍ୱ ଛୁଟିକୁ ଦ୍ୱନ୍ଦ ଦୂର କଲେ ମୋହନ ସରକାର । ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ ହେଲା । ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି ନେଇ ହେବ ।

author-image
Namita Biswal
ଅଦ୍ୟତନ ହୋଇଛି
Maternity Leave

Maternity Leave

ଦୂର ହେଲା ମାତୃତ୍ୱ ଛୁଟି ଦ୍ୱନ୍ଦ । ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିର ହେଲା । ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି ନେଇ ହେବ । ଏକକାଳୀନ ନିରବଚ୍ଛିନ୍ନ ଭାବେ କିମ୍ବା ବିଭିନ୍ନ ପର୍ଯ୍ୟାୟରେ ଛୁଟି ନିଆଯାଇପାରିବ । ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହାଦ୍ୱାରା ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି ।    

Advertisment

ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି । କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ୱ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି । ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି ।

ଅଧିକ ପଢ଼ନ୍ତୁ: ଖୁସି ଖବର; ଏ ବର୍ଷ ହେବ କଲେଜ ଇଲେକ୍ସନ୍!

ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା ପରେ, ମାତୃତ୍ଵ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ୍ବ ଥିଲା । ସେ ସମସ୍ୟା ମଧ୍ୟ ଦୂର ହୋଇପାରିଛି । ଏହାସହିତ ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି । 

Advertisment

ନୂତନ ନିଷ୍ପତ୍ତି ଅନୁଯାୟୀ, ସମ୍ଭାବ୍ୟ ପ୍ରସବ ତାରିଖର (Expected Delivery  Date) ତିନି ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ଛଅ ମାସ ମଧ୍ୟରେ, ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ଵ ଛୁଟି ନେଇପାରିବେ ।

କିନ୍ତୁ, ଜଣେ ମହିଳା ସରକାରୀ କର୍ମଚାରୀ ଯିଏ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥିଲେ, ସେ ସରକାରୀ ସେବାରେ ଯୋଗ ଦେବା ପରେ, ତାଙ୍କର ଶିଶୁକୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ଵ ଛୁଟି ନେଇପାରିବେ । ତେଣୁ ଏହି କ୍ଷେତ୍ରରେ, ମାତୃତ୍ବ ଛୁଟି ୧୮୦ ଦିନରୁ କମ୍ ହେବ ।

ଉଦାହରଣ- ଜଣେ ମହିଳାଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ତାଙ୍କର ଶିଶୁକୁ ୨୭.୦୯.୨୦୨୫ରେ ଛଅ ମାସ ପୁରା ହେବ । ଯଦି ସେ ୧୯.୦୬.୨୦୨୫ ତାରିଖରେ ସରକାରୀ ସେବାରେ ଯୋଗ ଦେଇ ମାତୃତ୍ବ ଛୁଟି ପାଇଁ ଆବେଦନ କରନ୍ତି, ତେବେ ସେ ୨୦.୦୬.୨୦୨୫ ରୁ ୨୭.୦୯.୨୦୨୫ ତାରିଖ ପର୍ଯ୍ୟନ୍ତ (ଅର୍ଥାତ୍ କେବଳ ୧୦୦ ଦିନ) ମାତୃତ୍ବ ଛୁଟି ପାଇଁ ଯୋଗ୍ୟ ହେବେ ।

ଜଣେ ମହିଳା ସରକାରୀ କର୍ମଚାରୀ ମାତୃତ୍ଵ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ (miscarriage) କିମ୍ବା ଜନ୍ମିତ ଶିଶୁର ମୃତ୍ୟୁ (ଜନ୍ମର ୨୮ ଦିନ ମଧ୍ୟରେ) କିମ୍ବା ମୃତ ଶିଶୁ ଜନ୍ମ (୨୮ ସପ୍ତାହ କିମ୍ବା ତଦୁର୍ଦ୍ଧ୍ବ ସମୟର ଗର୍ଭଧାରଣ ପରେ ଯଦି ନିର୍ଜୀବ ଶିଶୁର ଜନ୍ମ ହୁଏ) ହୁଏ, ତେବେ ତାଙ୍କର ମାତୃତ୍ବ ଛୁଟିର ଅବଧି ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ରହିବ ।

କିନ୍ତୁ ଯଦି ଶିଶୁର ମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ହୁଏ, ତେବେ ସମ୍ପୃକ୍ତ ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ବ ଛୁଟି ସେହି ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରହିବ । ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଶେଷ ହୋଇଯାଇଥିବ, ତେବେ ସେ ୧୪ ଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ କିମ୍ବା ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଦୁର୍ଘଟଣା ଦିନଠାରୁ ୧୪ ଦିନ ଭିତରେ ଶେଷ ହୋଇଯାଉଥିବ, ତେବେ ସେ ୧୪ ଦିନରୁ ଯେତିକି ଦିନ ବଳକା ରହିଯାଉଥିବ, ସେତିକି ଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ ।

ଉଦାହରଣ-୧: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ସମ୍ଭାବ୍ୟ ପ୍ରସବ ତାରିଖ (EDD) ହେଉଛି ୩୦.୦୬.୨୦୨୫ ଏବଂ ସେ ଚିକିତ୍ସାଜନିତ ଜଟିଳତା ହେତୁ ଉପରୋକ୍ତ EDDର ତିନି ମାସ ପୂର୍ବରୁ ଯଥା ୦୧.୦୪.୨୦୨୫ ତାରିଖରୁ ମାତୃତ୍ଵ ଛୁଟି ନେଇଛନ୍ତି । ଯଦି ତାଙ୍କର ୦୧.୦୬.୨୦୨୫ ତାରିଖରେ ମୃତ ଶିଶୁ ଜନ୍ମ ହୁଏ, ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨.୦୭ ୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ବ ଛୁଟି ନେଇପାରିବେ ।

ଅଧିକ ପଢ଼ନ୍ତୁ: ପଞ୍ଚାୟତ ଉପ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି; ୨୩ରେ ଭୋଟ୍‌

Odisha Government Maternity Leave Chief Minister Mohan Majhi
Advertisment
Advertisment