Advertisment

ଗଜରାଜଙ୍କ ଡେଞ୍ଜର୍ ଜୋନ୍ ଆଠଗଡ଼ ବନାଞ୍ଚଳ; ପୁଣି ସକ୍ରିୟ ହେଲେଣି କି ହାତୀ ଶିକାରୀ ?

ନରସିଂହପୁର ଓ ବଡ଼ମ୍ବା ଇଲାକା ବନିଗଲାଣି କି ହାତୀଙ୍କ ପାଇଁ ଅସୁରକ୍ଷିତ ସ୍ଥଳ ? ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି କଲବଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ହାତୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Unnatural Deaths of Elephants

ହାତୀଙ୍କ ଡେଞ୍ଜର ଜୋନ୍ ଆଠଗଡ଼ ବନାଞ୍ଚଳରେ ହାତୀକୁ ଶିକାରୀଙ୍କ ଟାର୍ଗେଟ ଆଶଙ୍କା। ମରଣ ସହ ଯୁଝୁଥିବା ଏକ ଦନ୍ତାକୁ ଉଦ୍ଧାର କରିଛି ବନବିଭାଗ । ତେବେ ଗତ ୨ ବର୍ଷରେ ଆଠଗଡ଼ ବନାଞ୍ଚଳରେ ୩୦ରୁ ଅଧିକ ହାତୀଙ୍କ ପ୍ରାଣହାନୀକୁ ନେଇ ଉଦବେଗ ପ୍ରକାଶ ପାଇଛି। ଅପରପକ୍ଷେ ରାଜ୍ୟର ବିଭିନ୍ନ ଇଲାକାରେ ଏବର୍ଷ ଆଜିଯାଏଁ ୫୦ ହାତୀଙ୍କ ଅସ୍ବାଭାବିକ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।

Advertisment

ଗଜରାଜଙ୍କ ଡେଞ୍ଜର୍ ଜୋନ୍ ପାଲଟିଗଲାଣି କି କଟକ ଆଠଗଡ଼ ବନାଞ୍ଚଳ ? ନରସିଂହପୁର ଓ ବଡ଼ମ୍ବା ଇଲାକା ବନିଗଲାଣି କି ହାତୀଙ୍କ ପାଇଁ ଅସୁରକ୍ଷିତ ସ୍ଥଳ ? ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି କଲବଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ହାତୀ। କାହାର ପ୍ରାଣ ଯାଉଛି ତ ଆଉ କିଏ ମରଣ ସହ ଯୁଝୁଛି। ପଶୁପ୍ରେମୀଙ୍କୁ ବିଚଳିତ କଲା ଭଳି ଘଟଣା । ନରସିଂହପୁର ପୂର୍ବ ବନାଞ୍ଚଳରେ କେତେ ଯନ୍ତ୍ରଣା ପାଉନଥିବ ଆହତ ଦନ୍ତା ? ଶରୀରର ୪ରୁ ଅଧିକ ସ୍ଥାନରେ ରହିଛି କ୍ଷତ ଚିହ୍ନ, ଆଶଙ୍କା କରାଯାଉଛି ଲହୁଲୁହାଣ କରି ଦେଇଥିଲେ ଶିକାରୀ। କ୍ଷତାକ୍ତ ଅବସ୍ଥାରେ ଦନ୍ତାଟି ସେରମୁଣ୍ଡା ନୂଆଗଡ଼ ରିଜର୍ଭ ଫରେଷ୍ଟ କମ୍ପାଟମେଣ୍ଟ-୯ ନିକଟରେ ବୁଲୁଥିଲା। ଶେଷରେ ଢେଙ୍କାନାଳ ଓ ନନ୍ଦନକାନନରୁ ବନବିଭାଗ ଓ ଟ୍ରାଙ୍କୁଲାଇଜ ଟିମ୍ ପହଞ୍ଚିଛି ଆହତ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିବା ପରେ ଆରମ୍ଭ ହୋଇଛି ଚିକିତ୍ସା।

ବଡ଼ମ୍ବା ନରସିଂହପୁର ବନାଞ୍ଚଳ। ଯେଉଁଠି ଗତବର୍ଷ ସେପଟେମ୍ବର ୨୧ରେ ଦନ୍ତା ହାତୀର ମରଶରୀରକୁ ପୋତି ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ସ୍ଥାନୀୟ କିଛି ବନକର୍ମଚାରୀ। ଯାହାର ଖୁଲାସା କରିଥିଲା SIT । ଏଭଳି ଭାବେ ଗତ ୨ ବର୍ଷ ମଧ୍ୟରେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁରର ପୂର୍ବ ଏବଂ ପଶ୍ଚିମ ବନାଞ୍ଚଳ, ବଡମ୍ବା ବନାଞ୍ଚଳ ଓ ସାତକୋଶିଆ ଜିଲିଣ୍ଡା ବନ୍ୟପ୍ରାଣୀ ଡିଭିଜନରେ ୩୦ରୁ ଅଧିକ ହାତୀଙ୍କ ପ୍ରାଣହାନୀ ହେଲାଣି। ଆଉ ଅଧିକାଂଶ ଜୀବନ ହରାଇଛନ୍ତି ଶିକାରୀ ଗୁଳିରେ। 

Advertisment

କୁହାଯାଉଛି, ହାତୀ ବହୁଳ ଏହି ବନାଞ୍ଚଳରେ ସକ୍ରିୟ ଥିବା ଶିକାରୀ ନିର୍ଭୟରେ ବାରହା ସହ ହାତୀ ଶିକାର କରୁଛନ୍ତି। ଗତ କେଇ ବର୍ଷ ହେଲା ଏଠାରୁ ନିୟମିତ ବ୍ୟବଧାନରେ ହାତୀ କଙ୍କାଳ ମିଳିବା ସହ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଦନ୍ତା। ତେବେ କାହିଁକି ବଡ଼ମ୍ବା ଏବଂ ନରସିଂହପୁର ରେଞ୍ଜରେ ଏଭଳି ଦଶା ଭୋଗୁଛନ୍ତି ଗଜରାଜ ? ହାତୀଦାନ୍ତ ରାକେଟର ଚରାଭୂଇଁ ପାଲଟିଛି କି ଏହି ଇଲାକା ? ଶିକାରୀଙ୍କ ସହ ରହୁଛି କି ସ୍ଥାନୀୟ ବନ କର୍ମଚାରୀଙ୍କ ଲିଙ୍କ୍ ?  

ଏପଟେ ବଲାଙ୍ଗୀର ଜିଲ୍ଲା ଲରମ୍ଭା ସେକ୍ସନର ଗଡ଼ିଆଜୋର ଗାଁ। ଯେଉଁଠି ଟଳିପଡ଼ିଛି ହାତୀଟି। ବାରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଳ ହାତୀର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମାସକ ଭିତରେ ବଲାଙ୍ଗିର ଜିଲ୍ଲାରେ ଏଭଳି ଦୁଇ ଦୁଇଟି ହାତୀଙ୍କ ଜୀବନ ଗଲାଣି। 

ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଉତ୍ତର, ଗତ ୧୦ ବର୍ଷରେ ୭୬୦ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆଉ କେବଳ ଶିକାରୀଙ୍କ ଦ୍ବାରା ହିଁ ଯାଇଛି ୪୧ ହାତୀଙ୍କ ଜୀବନ। ଏବର୍ଷ ଏଯାଏଁ ଅସ୍ବାଭାବିକ ଭାବେ ୫୦ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ମାସକ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳଛି।

Elephant Arrow Attack
Advertisment
Advertisment