• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲା, ଅଳଙ୍କାର ସବୁ ସ୍ଥାନାନ୍ତର ହେଲା । ହେଲେ ଭଣ୍ଡାର ଘରକୁ ଲାଗି ରହିଛି କି ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ । ଏ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଛେଦ ପଡ଼ିନି । ସେ ଦ୍ୱନ୍ଦ୍ୱ ଦୂର ଲାଗି ପ୍ରଥମେ ଉନ୍ନତ ଟେକ୍ନୋଲୋଜି ପ୍ରୟୋଗ କରି ସନ୍ଦେହ ମୋଚନ ସାରିବା ପରେ ଯାଇ ଭଣ୍ଡାର ଘର ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ ।

ଏଥିପାଇଁ ସରକାରଙ୍କୁ ଅବଗତ କରାଯିବ । ତେଣେ କମିଟିର ଆଉ ଜଣେ ସଦସ୍ୟ କହିଲେଣି- ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ସନ୍ଦେହ ହେଉଥିବାରୁ ଏ ନେଇ ଅପରାଧିକ ମାମଲା ରୁଜୁ କରାଯାଇପାରେ । ରତ୍ନଭଣ୍ଡାର ଭିତରେ ଅଛି କି କୌଣସି ଗୁପ୍ତ କୋଠରୀ? ଭିତର ଭଣ୍ଡାରକୁ ଲାଗି ରହିଛି କି ରହସ୍ୟମୟ ସୁଡ଼ଙ୍ଗ?

ବିଭିନ୍ନ ସମୟରେ ଶ୍ରୀମନ୍ଦିର ଗବେଷକ ଓ ଐତିହାସିକଙ୍କ ମତ ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଦବେଳିତ ଏ ସଂଶୟ ଦୂର ପାଇଁ ଉଦ୍ୟମ କରିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି । ଆଜି ପୁରୀରେ ବୈଠକ ପରେ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି- ଲୋକଙ୍କ ଭାବାବେଗକୁ ଆମେ ଗୁରୁତ୍ୱ ଦେଉଛୁ ।

ଯେପରି ଭବିଷ୍ୟତରେ ଆଉ ଦ୍ୱନ୍ଦ୍ୱ ନ ଆସିବ ତାକୁ ଆଖି ଆଗରେ ରଖି ଏକଥା ଜାଣିବାକୁ ଉନ୍ନତ ଟେକ୍ନୋଲୋଜିର ପ୍ରୟୋଗ ପାଇଁ କହିଛୁ । ଯଦି କିଛି ପାଇବା, ତାହାଲେ ଆଗକୁ ବଢ଼ିବା, ନଚେତ ମରାମତି କରିବା । ଜଷ୍ଟିସ୍ ରଥ ଆହୁରି ମଧ୍ୟ କହିଛନ୍ତି- ରତ୍ନ ଭଣ୍ଡାରରୁ ସମସ୍ତ ଧନରତ୍ନ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରାଯିବା ପରେ ଏବେ ସେଠି ରହିଥିବା ଖାଲି ଆଲମିରା ସବୁକୁ କଢ଼ାଯିବ ।

ମନ୍ଦିର ପ୍ରଶାସନ ଏଥିପାଇଁ କୋଠରୀ ନିର୍ଦ୍ଧାରଣ କରିସାରିଛି । ଯେହେତୁ ଏହା SOPରେ ନଥିଲା, ସେଥିଲାଗି ପରିଚାଳନା କମିଟି ଜଣାଇଛୁ, କମିଟି ସରକାରଙ୍କୁ ଅବଗତ କରିବ । ଯେହେତୁ ମନ୍ଦିର ବହୁ ପୁରୁଣା, ତେଣୁ ତାର ଢାଞ୍ଚା ଉପରେ ଯେପରି କୌଣସି ଆଞ୍ଚ ନଆସେ ତାକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି ।

ତେବେ ରତ୍ନ ଅଳଙ୍କାର ଗଣତି, ମଣତି ପାଇଁ ସମୟ ନିର୍ଦ୍ଧାରଣ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜଷ୍ଟିସ୍ ରଥ । ସେପଟେ ଭିତର ଭଣ୍ଡାର ତାଲା ନଖୋଲିବା ଓ ଏହାର ଡୁପ୍ଲିକେଟ୍ ଚାବି ତିଆରି ହେବା ପ୍ରସଙ୍ଗରେ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ଜଗଦୀଶ ମହାନ୍ତି ।

କହିଛନ୍ତି- ଏ ପୁରା ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ରତ୍ନଭଣ୍ଡାରରୁ ଚୋରି ନେଇ ସନ୍ଦେହ ହେଉଥିବାରୁ ଏ ନେଇ ଅପରାଧିକ ମାମଲା ରୁଜୁ କରାଯାଇପାରେ । ଉକ୍ତ ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବି ଅବଗତ କରାଯିବ ।

ଦୀର୍ଘ ୪୬ ବର୍ଷ ପରେ ବହୁ ଦାବି ଓ ବାଦାନୁବାଦ ପରେ ଶେଷରେ ଗତ ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାର ଓ ଜୁଲାଇ ୧୮ରେ ଭିତର ରତ୍ନଭଣ୍ଡାର ଖୋଲା ଯାଇ ଏହାର ଅଳଙ୍କାର ସବୁକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ଏସଓପି ଅନୁସାରେ ସ୍ଥାନାନ୍ତର କରାଯାଇଛି ।

ତେବେ ଅଳଙ୍କାର ସବୁର ଗଣତି ଓ ମଣତି କେବେ ହେବ ସେନେଇ ଦିନ ଧାର୍ଯ୍ୟ ହୋଇ ନଥିବାବେଳେ ରତ୍ନଭଣ୍ଡାର ଭିତରେ ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ଥିବା ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now