Judicial Court Complex: ୪ ଦଶନ୍ଧି ପରେ କୋର୍ଟର ନବକଳ୍ପ; ୪୬ ହଜାର ବର୍ଗମିଟର ଜାଗା, ଚାଲିପାରିବ ୫୬ଟି କୋର୍ଟ

ଝଟକିଲା ନୂଆ ନ୍ୟାୟିକ କୋଠା । ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ ।

Judicial Court Complex

୪ ଦଶନ୍ଧିର ବ୍ୟବଧାନ ପରେ ବଦଳିଲା ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲ୍ଲା କୋର୍ଟର ରୂପରେଖ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଲୋକାର୍ପିତ ହେଲା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ନ୍ୟାୟିକ ସୌଧ । ୪୬ ହଜାର ବର୍ଗ ମିଟର ପରିମିତ ଜାଗାରେ ନିର୍ମିତ ଏହି ଭବ୍ୟ କୋଠାର ଲୋକାର୍ପଣରେ ରାଷ୍ଟ୍ରପତି ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ଓ ନ୍ୟାୟିକ ସାକ୍ଷରତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଝଟକିଲା ନୂଆ ନ୍ୟାୟିକ କୋଠା । ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଉଦଘାଟିତ ହୋଇଛି ଭବ୍ୟ କୋଠା । ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ଉପସ୍ଥିତିରେ ଏହି କଂପ୍ଳେକ୍ସର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି । ପରେ ଅଭିଭାଷଣ ରଖି ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ଓ ନ୍ୟାୟିକ ସାକ୍ଷରତା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଷ୍ଟ୍ରପତି ।

କହିଛନ୍ତି, ଶୁଣାଣି ବେଳେ ବାରମ୍ବାର ତାରିଖ ଘୁଞ୍ଚାଇବା ପ୍ରକ୍ରିୟାରେ ଯେପରି ପୂର୍ଣ୍ଣଚ୍ଛେଦ ପଡ଼ିବ ତା’ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରୁଛି । ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି- ଭାଷା ଯୋଗୁ ନ୍ୟାୟପାଳିକାଠାରୁ ସାଧାରଣ ଲୋକଟିଏ ଦୂରେଇ ଯାଉଛି । ଲୋକଙ୍କ ଭାଷାରେ ନ୍ୟାୟପାଳିକାର କାର୍ଯ୍ୟ ସଂପାଦିତ ହେବା ଆବଶ୍ୟକ । ବ୍ଲାକ୍ କୋଟ୍ ସିଣ୍ଡ୍ରୋମ୍ ପ୍ରସଙ୍ଗ ଉଠାଇ ରାଷ୍ଟ୍ରପତି କହିଛନ୍ତି, କୋର୍ଟ କଚେରୀକୁ ଯାଇ ସାଧାରଣ ଲୋକଟି ଶଙ୍କି ଯାଇଥାଏ ।

ଅଧିକ ପଢ଼ନ୍ତୁ: କ'ଣ ଏହି ସିବିଲ୍ ସ୍କୋର? ଲୋନ୍ ନେବା ବେଳେ କାହିଁକି ପଡ଼େ ଦରକାର ...

ସ୍ୱାଧୀନ ଭାରତରେ ଭୟର କୌଣସି ସ୍ଥାନ ନାହିଁ । କୋର୍ଟ କଚେରୀ ଓ ଥାନାରେ ଆତ୍ମୀୟତା ବାତାବରଣ ରହିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି । ୟତୋ ଧର୍ମସ୍ତତୋ ଜୟ । ଅର୍ଥାତ ଯେଉଁଠି ଧର୍ମ, ସେଇଠି ବିଜୟ । ଏଭଳି ବାର୍ତ୍ତା ସମ୍ବଳିତ ପ୍ରତୀକ ସହ ବଦଳିଛି ରୂପରେଖ, ବଦଳିଛି ଭିତ୍ତିଭୂମି । ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଆତ୍ମପ୍ରକାଶ କରିଛି ନ୍ୟାୟିକ ପରିସର । ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଜୁଡିସିଆଲ୍ କୋର୍ଟ କଂପ୍ଲେକ୍ସ ଭାବେ ଖୋର୍ଦ୍ଧା ଜିଲ୍ଲା ନ୍ୟାୟିକ ପରିସର ନିର୍ମିତ ହୋଇଛି ୪୬ ହଜାର ବର୍ଗ ମିଟର ପରିଧିରେ ।

ଖର୍ଚ୍ଚ ହୋଇଛି ପ୍ରାୟ ୨୫୦ କୋଟି ଟଙ୍କା । ଏଥିରେ ରହିଛି ୪ଟି କରିଡର୍, ୫୫ଟି କୋର୍ଟ ରୁମ୍ । ତା’ସହ ରହିଛି ରେକର୍ଡ ରୁମ, ଲାଇବ୍ରେରୀ, କନ୍ଫରେନ୍ସ ହଲ୍ ସାଙ୍ଗକୁ ବ୍ୟାଙ୍କ, ପୋଷ୍ଟ ଅଫିସ, ନୋଟାରୀ ରୁମ୍ । କେବଳ ଏତିକି ନୁହେଁ, ଡିସ୍ପେନସାରୀ ସହ ଶିଶୁଙ୍କ ପାଇଁ ସ୍ତନ୍ୟପାନ କକ୍ଷ ଏବଂ ବେବି କ୍ରେଚ୍ ଭଳି ସୁବିଧା ରହିଛି ଏଠାରେ । ପୁରୁଣା କୋର୍ଟରେ ବାର୍ ଆସୋସିଏସନ ଚାଲିବ, ପୁରୁଣାରୁ ନୂଆକୁ ଇଣ୍ଟର କନେକ୍ଟ ବ୍ୟବସ୍ଥା ରହିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କୋଠାରେ ଚାଲିପାରିବ ଏକାସଙ୍ଗେ ୫୬ଟି କୋର୍ଟ । ପୂର୍ବରୁ ବାହାରେ ଥିବା ଏଜୁକେସନ, ଇଣ୍ଡଷ୍ଟ୍ରିଆଲ, ଲେବର ଏବଂ କୋଅପରେଟିଭ୍ ଭଳି ଟ୍ରିବ୍ୟୁନାଲ ଏହି ବିଲଡିଂରେ ରହିବ । ବିଲ୍ଡିଂରେ ମୋଟ୍ ୯ଟି ଲିଫ୍ଟ ରହିଛି । ୫ଟି ସାଧାରଣ ଲୋକଙ୍କ ପାଇଁ, ୪ଟି ବିଚାରପତିଙ୍କ ପାଇଁ । ଏହାବ୍ୟତୀତ ସାଧାରଣ ଜନତାଙ୍କ ପାଇଁ ବିଶ୍ରାମାଗାର ସହ ସୂଚନା ନିମନ୍ତେ ବଡ଼ ବଡ଼ ଏଲ୍ଇଡି ବ୍ୟବସ୍ଥା କରାଯାଇଛି ।

୬ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ ନାଲି କୋଠା ଦ୍ୱାରା କେବଳ ଯେ ଓକିଲ ମହକିଲ ସୁବିଧା ପାଇବେ ତା’ନୁହେଁ । ଗ୍ରାଉଣ୍ଡ ଫ୍ଲୋର ସହ ଅଣ୍ଡରଗ୍ରାଉଣ୍ଡ ଡବଲ ଷ୍ଟୋରେଜ୍ ପାର୍କିଂ ବ୍ୟବସ୍ଥା ଯୋଗୁ, ଦୂର ହେବ ପାର୍କିଂ ସମସ୍ୟା । ଏଠାରେ ୪୫୦ଟି କାର ଓ ୧ ହଜାର ଟୁ-ହ୍ୱିଲର ରହିପାରିବ । କୋର୍ଟ କଂପ୍ଲେକ୍ସଟି ସଂପୂର୍ଣ୍ଣ ସିସିଟିଭି ଘେରରେ ରହିଛି । ଆଇନ ମନ୍ତ୍ରୀଙ୍କ ସୂଚନା, ଆଗକୁ କଟକ ସହ ଆଉ ୫ଟି ଜିଲ୍ଲାରେ ଏଭଳି କୋର୍ଟ ତିଆରି ପାଇଁ ଲକ୍ଷ୍ୟ ରହିଛି । ୧୯୮୦ରୁ ୨୦୨୪ । ୪ ଦଶନ୍ଧିରୁ ଅଧିକ ସମୟ ଧରି ଏହି କୋଠାରେ ଚାଲିଆସୁଥିଲା ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଗଢ଼ି ଉଠିଥିବା ନ୍ୟାୟିକ ପରିସର, ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: ତେଜିଲା ଆଳୁ ରାଜନୀତି! ଶାସକ-ବିରୋଧୀ ମୁହାଁମୁହିଁ, ମନୁଷ୍ୟକୃତ କହିଲେ ଯୋଗାଣ ମନ୍ତ୍ରୀ