Advertisment

ଅଶାନ୍ତ ବାଂଲାଦେଶ, ଆଲର୍ଟରେ ଓଡ଼ିଶା... ସମୁଦ୍ର ପଥ ଦେଇ ଆସିପାରନ୍ତି ଅନୁପ୍ରବେଶକାରୀ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ, ଭାରତ ଭିତରକୁ ବଢ଼ିଛି ଅନୁପ୍ରବେଶ ଆଶଙ୍କା । ସ୍ଥଳପଥ ଅପେକ୍ଷା ଜଳପଥ ସହଜ ଅନୁପ୍ରବେଶର ମାଧ୍ୟମ ହୋଇଥିବାରୁ, ବାଂଲା ଅନୁପ୍ରବେଶକାରୀଙ୍କ ଟାର୍ଗେଟରେ ଓଡ଼ିଶା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Coastal Odisha

ଅସ୍ଥିର ବାଂଲାଦେଶ... ଆଲର୍ଟରେ ଓଡ଼ିଶା । ସମୁଦ୍ରରେ କଡ଼ା ପହରା... ପାଟ୍ରୋଲିଂ ବୋଟ୍‌ର ଘନ ଘନ ପଇଁତରା । ତନାଘନା ଓ ପଚରାଉଚରା । ଜଳପଥରେ ସନ୍ଦିଗ୍ଧ ଗତିବିଧି ଓ ଅନୁପ୍ରବେଶ ଉଦ୍ୟମ ଉପରେ କଡ଼ା ନଜର ରଖିଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ୍ । ବାଂଲାଦେଶର ରାଜନୈତିକ ହିଂସା ଲାଗିରହିଥିବା ବେଳେ, ଭାରତ ଭିତରକୁ ଅବୈଧ ଅନୁପ୍ରବେଶ ବଢ଼ିପାରେ । ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ; ଅପରାଧୀ ଓ ଅସାମାଜିକ ତତ୍ତ୍ବ ବି ଜଳସୀମା ଡେଇଁବାର ଆଶଙ୍କା ରହିଛି।

Advertisment

ସେମାନଙ୍କ ପାଇଁ ପଶ୍ଚିମବଙ୍ଗ ପରେ ସବୁଠୁ ସହଜ ଟାର୍ଗେଟ୍ ହେଉଛି ଓଡ଼ିଶା । କାରଣ ବାଂଲାଦେଶରୁ ମାତ୍ର ୨୦୦ କିଲୋମିଟର ଦୂରରେ ରହିଛି ଓଡ଼ିଶାର ବିସ୍ତୀର୍ଣ୍ଣ ୪୮୦ କିଲୋମିଟର ସମୁଦ୍ର ତଟ । ଯାହାକୁ ଛୋଟ ଡଙ୍ଗାରେ ବି ଅଳ୍ପ କିଛି ଘଣ୍ଟା ଭିତରେ ପାରି କରିହେବ ।

କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର । ରାଜ୍ୟର ସମସ୍ତ ତଟବର୍ତ୍ତୀ ଜିଲ୍ଲାକୁ ଆଲର୍ଟ କରାଯାଇଥିଲେ ବି, ହାଇ-ଆଲର୍ଟରେ ଅଛନ୍ତି ଏହି ୩ ଅନୁପ୍ରବେଶ ପ୍ରବଣ ଜିଲ୍ଲା । ଏହି ୩ ଜିଲ୍ଲାର ୯ଟି ସାମୁଦ୍ରିକ ଥାନାକୁ ସତର୍କ କରାଯିବା ସହିତ, ସେଠାରେ ଫୋର୍ସ ବଢ଼ାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଓଡ଼ିଶାର ତଟ । ସମୁଦ୍ର ତଟଠୁ ୫ ନଟିକାଲ୍ ମାଇଲ୍ ଯାଏଁ ମେରାଇନ ପୋଲିସ ପାଟ୍ରୋଲିଂ କରିବାକୁ ଥିବା ବେଳେ, ତା ପରେ ତଟରକ୍ଷୀ ବାହିନୀ ଏବଂ ନୌସେନା ଜଗୁଛନ୍ତି । ଗୁଇନ୍ଦା ବିଭାଗ ବି ସକ୍ରିୟ ଥିବା ବେଳେ, ମତ୍ସ୍ୟଜୀବୀଙ୍କୁ ବି ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି ।

Advertisment

ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଇତିହାସ ୫ ଦଶନ୍ଧିରୁ ଆହୁରି ପୁରୁଣା । ୧୯୭୧ ମୁକ୍ତିଯୁଦ୍ଧ ଏବଂ ତା ପୂର୍ବରୁ ମଧ୍ୟ ଓଡ଼ିଶାରେ ବସବାସ କରୁଛନ୍ତି ବାଂଲାଦେଶୀ ନାଗରିକ । ୨୦୨୩ର ସରକାରୀ ତଥ୍ୟ କହୁଛି, ଓଡ଼ିଶାର ୧୧ଟି ଜିଲ୍ଲାରେ ଶରଣାର୍ଥୀ ଭାବେ ଅଛନ୍ତି ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ। ରାଜ୍ୟରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ୩ ହଜାର ୭୪୦ ବୋଲି ଦର୍ଶାଯାଇଥିଲେ ମଧ୍ୟ, ପ୍ରକୃତ ସଂଖ୍ୟା ଏହାଠୁ ଢେର୍ ଅଧିକ ବୋଲି କୁହାଯାଏ। ଏସବୁ ଭିତରେ ବାଂଲାଦେଶରୁ ଅନୁପ୍ରବେଶ ଆଶଙ୍କା ବଢ଼ିବା କଥା ଶୁଣି ସମୁଦ୍ର କୂଳିଆ ଲୋକଙ୍କ ମନରେ ଛନକା ପଶିଛି। ସାମୁଦ୍ରିକ ଥାନାଗୁଡ଼ିକର ଦୁର୍ବଳ ଭିତ୍ତିଭୂମି, ଷ୍ଟାଫ୍ ଅଭାବ ଏବଂ ପାଟ୍ରୋଲିଂ ବୋଟ୍ ଓ ଅନ୍ୟ ସରଞ୍ଜାମ ନଥିବା ଅଭିଯୋଗ ହୋଇଛି।

Bangladesh Indian Coast Guard
Advertisment
Advertisment