• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଭିଯୋଗ ଶୁଣାଣି ପାଇଁ ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ପଞ୍ଜୀକରଣ କରିବାକୁ ପଡ଼ିବ । ଆଗ୍ରହୀ ବ୍ୟକ୍ତି ସେଠାରେ ଉପସ୍ଥିତ ରହି ନିଜ ପଞ୍ଜୀକରଣ କରାଇ ପାରିବେ । ଏହାପରେ ସେମାନେ ତାଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ ।

ସେପଟେ ଆଜି ସିଏମଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନେଇ ସ୍ଥିତି ଅନୁଧ୍ୟାନ କରିଛି ସାଧାରଣ ପ୍ରଶାସନ ବିଭାଗ । ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶୁଣାଣି କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ ଆଜି ତା’ର ସ୍ଥିତି ପରଖିଛି ସାଧାରଣ ପ୍ରଶାସନ ବିଭାଗ । ପ୍ରାୟ ୧୦ ହଜାର ବର୍ଗଫୁଟ ସ୍ଥାନରେ ପାଖାପାଖି ହଜାରେରୁ ୧୨ଶହ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

ସେପଟେ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡା । ଆଜି ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ସେହିପରି ଆଜି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟାରେ ହଜଖାସ ଜଗନ୍ନାଥ ମନ୍ଦିରରେ ପ୍ରବାସୀ ଓଡ଼ିଆଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now