• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନୀତି ଆୟୋଗ ବୈଠକରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ସହଯୋଗ ଦାବି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୃହତ୍ତ ବନ୍ଦର ଭିତ୍ତିକ ଶିଳ୍ପ ଜୋନ୍ ପ୍ରତିଷ୍ଠା, ବିଭିନ୍ନ ପ୍ରକଳ୍ପ ପାଇଁ ତ୍ୱରିତ ବଜେଟ, ଭିତ୍ତିଭୂମି, ଶୀଘ୍ର ମଂଜୁରୀ ପ୍ରଦାନ ଦାବି ରଖିଛନ୍ତି । ସେହିପରି ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ, ଟେଲିକମ୍ ଭିତ୍ତିଭୂମି ପାଇଁ ସହଯୋଗ ଲୋଡ଼ିଛନ୍ତି ମୋହନ ମାଝୀ । ପିଏସପି ପ୍ଲାଣ୍ଟ, ଭାସମାନ ସୋଲାର ପ୍ରକଳ୍ପ ସହ ବ୍ୟାଙ୍କ ନଥିବା ପଞ୍ଚାୟତରେ ଏଟିଏମ୍ ବ୍ୟବସ୍ଥା, ରେଳ ଘନତ୍ୱ ଜାତୀୟ ହାରଠାରୁ କମ୍ ଥିବାରୁ ଏ ଦିଗରେ ବୃଦ୍ଧି କରିବାକୁ ନୀତି ଆୟୋଗ ବୈଠକରେ ଦାବି କରିଛି ଓଡ଼ିଶା ।

ସେହିପରି ସେମିକଣ୍ଡକ୍ଟର ହବ୍ ଶିଳ୍ପ ପ୍ରତିଷ୍ଠା ପାଇଁ ଏଫଡିଆଇ ଯୋଗାଡ଼ କରିବାକୁ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନ କଲଚରାଲ୍ ସେଣ୍ଟରରେ ନୀତି ଆୟୋଗ ଗଭର୍ଣ୍ଣଂ କାଉନସିଲ୍ ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ସାମିଲ ହୋଇଥିଲେ। ବୈଠକକୁ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବର୍ଜନ କରିଥିଲେ। କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ ।

ସେପଟେ ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣି ବୈଠକ ମଝିରୁ ଉଠି ଆସିଲେ ମମତା। ଆଜି କିଛି ଏଭଳି ନାଟକୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ନୀତି ଆୟୋଗ ମିଟିଂରେ । ପଶ୍ଚିମବଙ୍ଗକୁ ଅବହେଳା ଓ ବଜେଟରେ ଅଣଦେଖା ଅଭିଯୋଗ କରିଥିଲେ ମମତା। ଏହି ସମୟରେ ମାତ୍ର ୫ ମିନିଟ୍ କହିବା ପରେ ହଠାତ୍ ତାଙ୍କ ମାଇକ୍ ବନ୍ଦ ହୋଇ ଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପୂର୍ବରୁ ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନେ ୧୦ରୁ ୧୫ ମିନିଟ୍ କହିବାକୁ ସୁଯୋଗ ମିଳିଥିବା ବେଳେ ତାଙ୍କୁ କାହିଁକି ଏତେ ଅଳ୍ପ ସମୟ ଦିଆଗଲା ଓ ଏଭଳି ବ୍ୟବହାର କରାଗଲା ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ। ସେପଟେ ମମତାଙ୍କ ସମସ୍ତ ଅଭିଯୋଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now