ଓଡ଼ିଶା ଜାଗା ଉପରେ ଦାଦାଗିରି ଦେଖାଉଥିଲା ଆନ୍ଧ୍ରପ୍ରଦେଶ। ଆମେ କୋରାପୁଟର କୋଟିଆ କଥା କହୁନୁ । ଗଜପତି ଜିଲ୍ଲା କାଶୀନଗରରେ ଏକ ବାଲିଘାଟ ଅଞ୍ଚଳକୁ ନେଇ ଦେଖାଦେଇଥିଲା ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ। ତେବେ ଉଭୟ ରାଜ୍ୟର ପ୍ରଶାସନ ମାପଚୁପ କରିବା ପରେ ସାମ୍ନାକୁ ଆସିଲା- ଦୁଧ୍ କା ଦୁଧ୍, ପାନୀ କା ପାନୀ। ସ୍ପଷ୍ଟ ହୋଇଗଲା ଯେ, ଆନ୍ଧ୍ର ଦାବି କରୁଥିବା ଜାଗା ପ୍ରକୃତରେ ଓଡ଼ିଶାର।
ଜିତିଲା ଓଡ଼ିଶା, ହାରିଲା ଆନ୍ଧ୍ରପ୍ରଦେଶ । ଆନ୍ଧ୍ର ସହ ସୀମା ବିବାଦରେ ଓଡ଼ିଶାର ଜିତାପଟ୍ । ବଂଶଧାରା ବାଲିଘାଟକୁ ନେଇ ଲାଗିଥିଲା ଛକାପଂଝା । ବଂଶଧାରା ନଦୀର ବୁଦୁରା ବାଲିଘାଟ । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ବାଲିଘାଟକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଗତ ୩ ମାସ ଧରି ଲାଗି ରହିଥିଲା ଛକାପଂଝା । ପୂର୍ବରୁ ଏଠାରେ ଇଦୁଡ଼ି ଓ ବୁଦୁରା ଗାଁ ନିକଟ ବାଲିଘାଟ ପାଇଁ କାଶୀନଗର ତହସିଲ ପକ୍ଷରୁ ଟେଣ୍ଡର ଡକାଯାଉଥିବା ବେଳେ, ବର୍ଷେ ହେଲା ଖଣି ବିଭାଗ ଅଧୀନରେ ରହିଛି ସମସ୍ତ ବାଲିଘାଟ । ତେବେ ରାଜ୍ୟ ସୀମାକୁ ଲାଗିଥିବା ବୁଦୁରା ଗାଁକୁ ଆନ୍ଧ୍ରପ୍ରଦେଶ ନିଜର ବୋଲି ଦାବି କରିବା ପରେ, ଉପୁଜିଥିଲା ବିବାଦୀୟ ସ୍ଥିତି। ପୂର୍ବରୁ ମଧ୍ୟ ଏହାର ସର୍ଭେ ହୋଇଥିଲେ ବି, ସେତେବେଳେ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।
Also Read
ତେବେ ୨ ଦିନ ତଳେ ପୁଣି ଥରେ ଏଠାରେ ହୋଇଛି ଆନ୍ଧ୍ର-ଓଡ଼ିଶା ମିଳିତ ସର୍ଭେ । ନକ୍ସା ଦେଖି ପୁଙ୍ଖାନୁପୁଙ୍ଖ ମାପଚୁପ ପରେ ଓଡ଼ିଶାର ଜିତାପଟ୍ ହୋଇଛି । ଗଜପତିର ଅତିରିକ୍ତ ଜିଲ୍ଲାପାଳ ଏବଂ ଆନ୍ଧ୍ର ପାଲକୋଣ୍ଡାର ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଉଭୟ ରାଜ୍ୟର ରାଜସ୍ବ ଓ ଖଣି ଅଧିକାରୀ ମାନେ ମୌଜା ମ୍ୟାପ୍ ଅନୁଧ୍ୟାନ କରି, ସେହି ବାଲିଘାଟ ଓଡ଼ିଶାରେ ରହିଥିବା ସ୍ପଷ୍ଟ କରିଥିଲେ । ସର୍ଭେ ରିପୋର୍ଟ ଉଭୟ ରାଜ୍ୟର ପ୍ରଶାସନକୁ ପ୍ରଦାନ କରିବା ପରେ ବୁଝାମଣା ମାଧ୍ୟମରେ ବାଲିଘାଟ ଚାଲୁ ରହିବ ବୋଲି ସୂଚନା ମିଳିଛି ।
ଅଭିଯୋଗ ହେଉଛି, କାଶୀନଗରର ଏହି ଅଞ୍ଚଳରେ ବିବାଦ ଯୋଗୁଁ ମାସ ମାସ ଧରି ବାଲିଘାଟରୁ ବାଲି ଉତ୍ତୋଳନ ବନ୍ଦ ରହୁଛି । ଫଳରେ ଲିଜଧାରୀ ଲକ୍ଷାଧିକ ଟଙ୍କା କ୍ଷତି ସହୁଛନ୍ତି ଏବଂ ଓଡ଼ିଶା ସରକାର ବି ରାଜସ୍ବ ହରାଉଛନ୍ତି। କେବଳ ଗୋଟିଏ ଦୁଇଟି ସ୍ଥାନ ନୁହେଁ, ବିଭିନ୍ନ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଏଭଳି ଦାଦାଗିରି ଦେଖାଉଥିବା ବି ଅଭିଯୋଗ ଆସିଛି । ତେବେ ଏନେଇ ଆନ୍ଧ୍ର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।
କୋରାପୁଟର କୋଟିଆ ହେଉ, କି ଗଜପତି ଜିଲ୍ଲାର ଏହି ଅଞ୍ଚଳ। ଓଡ଼ିଶାର ଜାଗା ଉପରେ ଆନ୍ଧ୍ରପ୍ରଦେଶ ଅଧିକାର ଜାହିର କରିବା ଫଳରେ ବାରମ୍ବାର ଉପୁଜୁଛି ବିବାଦୀୟ ସ୍ଥିତି।