• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାତ୍ୟା ଦାନା କେତେ କ୍ଷୟକ୍ଷତି କରିଛି ? କେଉଁ ଜିଲ୍ଲାରେ କେତେ କ୍ଷତି ? ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ବିଭୀଷିକା ଓ କ୍ଷୟକ୍ଷତିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ।

ଏହାପରେ ଅପରାହ୍ନରେ ଲୋକସେବା ଭବନରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ଦାନା ପରବର୍ତ୍ତୀ ସ୍ଥିତି ମୁକାବିଲା ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଭାବିତ ଅଞ୍ଚଳରେ ଆଶ୍ରୟସ୍ଥଳୀରେ ଆଉ ୭ ଦିନ ରହିପାରିବେ ଲୋକେ ।

ପ୍ରଭାବିତ ଅଞ୍ଚଳରେ ଏବେ ପାଣି ଜମିଛି, ଘର ଭାଙ୍ଗିଛି, ତେଣୁ ଲୋକେ ଆଶ୍ରୟସ୍ଥଳୀରେ ରହିପାରିବେ । ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁ ରାଜ୍ୟରେ ୧ ଲକ୍ଷ ୭୫ ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଛି । ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ନେଇ ପଦକ୍ଷେପ ନିଆଯିବ । ତାପୂର୍ବରୁ ଆଜି ନିଜେ ଗ୍ରାଉଣ୍ଡକୁ ଓହ୍ଲାଇ ଆକାଶମାର୍ଗକୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବିଜୁଳି ସେବା ଆଜି ଅପରାହ୍ଣ ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ଦୁର୍ବଳ ହେଲାଣି ବାତ୍ୟା ଦାନାର ଅବଶିଷ୍ଟାଂଶ । ଆହୁରି ଦୁର୍ବଳ ପଡ଼ି ଡିପ୍ରେସନରେ ପରିଣତ ହୋଇଛି । ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ । ଏହା ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଓ କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ।

ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ଆଜି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ସକାଳ ସାଢ଼େ ୮ଟା ଯାଏ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଦେଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର । ଏସବୁ ଜିଲ୍ଲାର କିଛି ସ୍ଥାନରେ ଅତି ମୂଷଳଧାରାରେ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟରରୁ ବି ଅଧିକ ହେବା ସମ୍ଭାବନା ରହିଛି ।

ସେହିପରି ସକାଳ ସାଢ଼େ ୮ଟା ଯାଏ ୪ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଢେଙ୍କାନାଳକୁ ଜାରି ହୋଇଛି ଅରେଞ୍ଜ ସତର୍କତା । ଆଜି ପାଇଁ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ ବୋଲି କହିଛି ପାଣିପାଗ ବିଭାଗ ।

OTV is now on Whatsapp

Join and get latest news update delivered to you via whatsapp

Join Now