Advertisment

ପ୍ରବଳ ଭିଡ଼ ବିଧାନସଭା କରିଡର୍, ବୁଲୁଛନ୍ତି ମାଳ ମାଳ ବନ୍ଧୁକଧାରୀ PSO

ବିଧାନସଭା ଚାଲୁଛି। ହେଲେ କରିଡରରେ ବୁଲୁଛନ୍ତି ମାଳ ମାଳ ବନ୍ଧୁକଧାରୀ PSO। ସୋରିଷ ପକେଇବାକୁ ବି ଜାଗା ନାହିଁ। ଜଣେ ବିଧାୟକଙ୍କୁ ଦୁଇ ଜଣ PSO ମିଳିବା ପ୍ରାବଧାନ ଥିବାରୁ ସୃଷ୍ଟି ହୋଇଛି ଏପରି ପରିସ୍ଥିତି ।

author-image
Santosh Kumar Sahoo
undefined

Odisha Assembly

ବିଧାନସଭା କରିଡରରେ ଅସମ୍ଭାଳ ଭିଡ଼। ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଠୁ ଆରମ୍ଭ କରି ବିରୋଧୀ ଦଳ ନେତାଙ୍କ ଚାମ୍ବର ଯାଏ। ସବୁଠି ମାଳ ମାଳ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବା PSOଙ୍କ ଭିଡ଼। ଗୃହ ଚାଲୁଥିବା ସମୟରେ ବିଧାନସଭା କରିଡରରେ ଏପରି ଭିଡ଼ ଯେ ବିଧାୟକ ଓ ମନ୍ତ୍ରୀ ଯିବାକୁ ବି ନାକେଦମ୍ ହେଉଛନ୍ତି। ଏକପ୍ରକାର ଠେଲା ପେଲା ସ୍ଥିତି । ସଫାରୀ ପିନ୍ଧା PSO, ଅଣ୍ଟାରେ ବନ୍ଧୁକ। ବିଧାୟକ ଓ ମନ୍ତ୍ରୀଙ୍କ ଆଗ ପଛକୁ ଜଗି ରହୁଛନ୍ତି । ପୂର୍ବରୁ ଏମିତି ଚିତ୍ର ଦେଖିବାକୁ ମିଳୁନଥିବାବେଳେ ଏବେ ଏହା ସାଧାରଣ କଥାରେ ପରିଣତ ହୋଇଛି।

Advertisment

ବିଧାନସଭାରେ ଗଣ୍ଡା ଗଣ୍ଡା PSOଙ୍କ ମେଳିର କାରଣ ହେଲା, ଜଣେ ବିଧାୟକଙ୍କୁ ଦୁଇ ଜଣ ଲେଖାଏଁ ସୁରକ୍ଷା ଅଧିକାରୀ ମିଳିବା ପ୍ରାବଧାନ। ପ୍ରତି ବିଧାୟକଙ୍କୁ ଦୁଇଜଣ ଯୁବ PSOଙ୍କୁ ନିଯୁକ୍ତ କରିବାକୁ ରାଜ୍ୟସ୍ତରୀୟ ସୁରକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେ ଅନୁଯାୟୀ, ଯେଉଁମାନେ PSO ଭାବେ ନିଯୁକ୍ତ ହେବେ ସେମାନେ PSO ଟ୍ରେନିଂ ସହ ଶାରୀରିକ ଓ ମାନସିକ ଭାବେ ଫିଟ୍ ଥିବେ। କିନ୍ତୁ ୨ଜଣ ଲେଖାଏଁ PSO ମିଳିବା ଦ୍ବାରା କରିଡରରେ ଗହଳି ବଢୁଛି। ଯାହାକୁ ଖୋଦ୍ ଜନ ପ୍ରତିନିଧିମାନେ ସ୍ବୀକାର କରିବା ସହ ଭିଡ଼କୁ ନେଇ ଖୋଲାଖୋଲି ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି। କେହି କେହି ତ ପିଏସ୍ଓଙ୍କ ଭିଡକୁ ଦେଖି ଜଣେ ପିଏସଓଙ୍କୁ ସାଙ୍ଗରେ ଆଣୁଛନ୍ତି। ବିଧାନସଭା ପରିସରରେ PSOମାନଙ୍କ ପାଇଁ ସ୍ବତନ୍ତ୍ର ବିଶ୍ରାମ ପ୍ରକୋଷ୍ଠ ବ୍ୟବସ୍ଥା ହେଲେ ଭିଡକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମତ ରଖିଛନ୍ତି ବିଧାୟକ।

ପ୍ରଶ୍ନ ଉଠୁଛି ଯେତେବେଳେ ବିଧାନସଭା ଚାଲୁଛି ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି ସେ ସମୟରେ କରିଡରରେ PSOଙ୍କ ଭିଡ଼ କୋଳାହଳ ସ୍ଥିତି ସୃଷ୍ଟି କରିବା କେତେ ଯୁକ୍ତି ସଙ୍ଗତ ? ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆଉ ଏଠି ଯେତେବେଳେ ଲୋଡେଡ୍ ବନ୍ଧୁକ ଧରି ବିଧାନସଭା କରିଡରରେ ଘୁରି ବୁଲୁଛନ୍ତି ସଂଖ୍ୟାଧିକ PSO ସେଠି ବି ଅଘଟଣ ଯେ ନଘଟିବ ତାହା କିଏ କହିବ ?

Advertisment

ପୂର୍ବତନ ପୋଲିସ୍ ଅଧିକାରୀଙ୍କ ମତ ହେଲା ନବ ଦାସ ଘଟଣାକୁ ନେଇ ସମସ୍ତଙ୍କୁ ସମାନ ନଜରରେ ଦେଖା ଯାଇନପାରେ। କାର୍ଯ୍ୟ ଚାପ କମାଇବା ଲାଗି ସ୍ପେଶାଲ ବ୍ରାଞ୍ଚ ଦୁଇଜଣ ଲେଖାଏଁ PSO ଦେଇଥାଇପାରେ। ଖାଲି ଯେ PSOମାନେ ଭିଡ଼ ଜମାଉଛନ୍ତି ତାନୁହେଁ, ବିନା ପାସଧାରୀ ମଧ୍ୟ ନବ ନିର୍ବାଚିତ ବିଧାୟକ ଓ ମନ୍ତ୍ରୀଙ୍କ ଗାଡ଼ିରେ ଆସି ବିଧାନସଭା ପରିସରରେ ଭିଡ ଜମାଉଥିବା ନଜରକୁ ଆସୁଛି। ସରକାର ଏଦିଗରେ କେବେ ନେଉଛନ୍ତି ପଦକ୍ଷେପ ତା ଉପରେ ନଜର।

Odisha Assembly
Advertisment
Advertisment