Advertisment

ଥମିବାର ନାଁ ନେଉନି ନର୍ସ ଆନ୍ଦୋଳନ, ଏସମା ସତ୍ତ୍ୱେ ଚାଲିଛି 'ସିରିଞ୍ଜ ଛାଡ଼'

ରାଜ୍ୟରେ ଚାଲିଛି ନର୍ସ ଆନ୍ଦୋଳନ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି ।

author-image
Swadesi Megha Mallhar Prusty
NurseNurse

Nurse

ରାଜ୍ୟରେ ଚାଲିଛି ନର୍ସ ଆନ୍ଦୋଳନ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି । ନର୍ସ ମାନେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବା ସହ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିଛନ୍ତି । ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କ ୬ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ସହିତ ଆର୍ଥିକ ସୁବିଧା ପ୍ରଦାନ କରିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦେବା, ଆଉଟ ସୋର୍ସିଂ ନିଯୁକ୍ତି ବନ୍ଦ କରିବା, ନର୍ସିଂ ଅଫିସରମାନଙ୍କ ଡ୍ରେସ କୋର୍ଡ ପରିବର୍ତ୍ତନ କରିବା, ଆଦି ୧୦ ଦଫା ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି ।

Advertisment

ଗତ ଦୁଇ ଦିନ ଜରୁରୀ ସେବା ଯୋଗାଇ ଧାରଣା ଦେଇଥିବା ବେଳେ ଆଜି ଠାରୁ ରାଜ୍ୟ ସଂଘ ଡ଼ାକରାରେ ସମୂହ କାର୍ଯ୍ୟ ବନ୍ଦ କରି ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବା ସହିତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ପିଏଚସି ଓ ସିଏଚସିରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ANM ଓ ଫାର୍ମାସିଷ୍ଟ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ସେବା ଚାଲୁରହିଛି ବୋଲି କହିଛନ୍ତି ସିଡିଏମଓ ।

ଏସମା ଲାଗୁ ସତ୍ତ୍ୱେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି । ଏହି ପ୍ରସଙ୍ଗରେ ନର୍ସିଂ ନିର୍ଦ୍ଦେଶକ ଡାକ୍ତର ଆର୍ତ୍ତବନ୍ଧୁ ନାୟକ କହିଛନ୍ତି, ନର୍ସିଂ ଅଫିସରଙ୍କ ଦାବିର ବିଚାରବିମର୍ଶ ଲାଗି ଆନ୍ତଃ ବିଭାଗୀୟ କମିଟି ଗଠନ କରାଯାଇଛି । ଏହାସତ୍ତ୍ୱେ ସେମାନେ ଆଜି ଆନ୍ଦୋଳନରେ ବସିଛନ୍ତି । ତେବେ ରୋଗୀ ସେବା କୌଣସି ପ୍ରକାର ବ୍ୟାହତ ହୋଇନାହିଁ ।

Advertisment

ସେଥିପାଇଁ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି । BSc ନର୍ସିଂ ଛାତ୍ରଛାତ୍ରୀ, ANM ତଥା ଅନ୍ୟ କର୍ମଚାରୀଙ୍କୁ ନେଇ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି । ସୂଚନାଯୋଗ୍ୟ, ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଲାଗୁ ହୋଇଥିବା ଏସମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଗତ ଦୁଇଦିନ ତଳେ ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଥିଲା ନର୍ସିଂ ନିର୍ଦ୍ଦେଶାଳୟ ।

ସେପ୍ଟେମ୍ୱର ୨୫ ଓ ୨୬ରେ ସବୁ ସରକାରୀ ହସ୍ପିଟାଲର ଜେନେରାଲ ୱାର୍ଡ, ଅଣ ଏମର୍ଜେନ୍ସି ବିଭାଗରୁ ନର୍ସିଂ ଅଫିସର ପ୍ରତ୍ୟାହାର ସହ ସେପ୍ଟେମ୍ୱର ୨୭ରୁ ସବୁ ନର୍ସିଂ ଅଫିସର କାର୍ଯ୍ୟ ବନ୍ଦ କରିବାକୁ ଓଡ଼ିଶା ନର୍ସିଂ ଏମ୍ପ୍ଲଇଜ ଆସୋସିଏସନ ସାଧାରଣ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା । ସେପଟେ ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, କର୍ମଚାରୀଙ୍କୁ କଣ୍ଟ୍ରାକଚ୍ୟୁଆଲରୁ ରେଗୁଲାର କରିବା ଆଦି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ।

Nurse ESMA Staff Protest
Advertisment
Advertisment