• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୁଣ୍ଟରେ ଲାଗିଛି ଅତ୍ୟାଧୁନିକ ସିସିଟିଭି କ୍ୟାମେରା । ସତେ ଯେମିତି ଲାଗୁଛି ସିସିଟିଭି ଗୁଡ଼ିକ ବାଲିଗୁଡା ସହରକୁ ଜଳଜଳ କରି ଚାହିଁଛି । ହେଲେ ସେସବୁ ସମ୍ପୂର୍ଣ୍ଣ ଭାବେ ଅଚଳ । ୫୯ନଂ ଜାତୀୟ ରାଜପଥ ଦଣ୍ଡପଦର ଠାରୁ କଲେଜ ଛକ ଯାଏ NAC କର୍ତ୍ତୃପକ୍ଷଙ୍କ ତରଫରୁ ସିସିଟିଭି ଲଗାଯାଇଥିଲା । ଆଉ ଏଥିପାଇଁ ୨୦୨୨ ମସିହାରେ ସମୁଦାୟ ୪୩ ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ଉଦଘାଟନକୁ ୨ ବର୍ଷ ପୁରିନଥିବା ବେଳେ ସେସବୁ ସିସିଟିଭି କ୍ୟାମେରା ପୂରା ଖରାପ ହୋଇପଡିଛି । କିଛି ସ୍ଥାନରେ ଚୋରି ମଧ୍ୟ ହୋଇଯାଇଥିବା ଅଭିଯୋଗ ହେଲାଣି ।

କନ୍ଧମାଳ ଜିଲ୍ଲାର ପ୍ରମୁଖ ସହର ତଥା ସବ୍‌-ଡିଭିଜନ ହେଉଛି ବାଲିଗୁଡା ସହର । ଏହି ସହର ଦେଇ ପ୍ରତିଦିନ ପଡୋଶୀ ରାୟଗଡା, କୋରାପୁଟ, କଳାହାଣ୍ଡି, ବୌଦ୍ଧ, ଗଂଜାମ ଆଦି ଜିଲ୍ଲାକୁ ଶହ ଶହ ଗାଡି ଚଳାଚଳ କରିଥାଏ । ଫଳରେ ଜାତୀୟ ରାଜପଥରେ ସବୁବେଳେ ଯାନବାହାନର ଭିଡ ଲାଗିଥାଏ । ଏମିତି କି ବାଲିଗୁଡା ଅଂଚଳ ଗଂଜେଇ ଚୋରା ଚାଲାଣର ପେଣ୍ଠସ୍ଥଳୀ ଭାବେ ମଧ୍ୟ ବେଶ ପରିଚିତ । ଏଣୁ ଏ ଅଂଚଳରେ ଗଂଜେଇ ମାଫିଆ ମାନଙ୍କର ପ୍ରାର୍ଦୁଭାବ ଅନେକାଂଶରେ ଦେଖିବାକୁ ମିଳିଥାଏ । ହେଲେ ଏଭଳି ସ୍ଥାନରେ ସିସିଟିଭି ଅଚଳ ହେବା ଯୋଗୁ ସହରରେ ଅପରାଧ ରୋକିବା, ଟ୍ରାଫିକ୍ ନିୟନ୍ତ୍ରଣ କରିବା ଏବେ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

୪୩ ଲକ୍ଷ ଟଙ୍କାରେ ସିସିଟିଭି ଲାଗିବାରେ ବହୁତ ଦୁର୍ନୀତି ହୋଇଛି ବୋଲି ସ୍ଥାନୀୟ ଜନପ୍ରତିନିଧି ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ସହରରେ ସିସିଟିଭି କ୍ୟାମେରା ଅଚଳ ଥିବା ନେଇ ବାଲିଗୁଡା ଉପ-ଜିଲ୍ଲାପାଳ ଡକ୍ଟର ରୀନା ପ୍ରଧାନ ଅବଗତ ଥିବା ନେଇ କହିଛନ୍ତି । ଏଣୁ ଅଚଳ ହୋଇଥିବା ସିସିଟିଭିକୁ ତୁରନ୍ତ ମରାମତି କରାଯାଇ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ସହରରେ ସିସିଟିଭି ଦୁର୍ନୀତିକୁ ନେଇ ବଢ଼ିବାରେ ଲାଗିଲାଣି ଅସନ୍ତୋଷ । ଜନଗହଳିପୂର୍ଣ୍ଣ ସ୍ଥାନ ଓ ଛକ ଗୁଡ଼ିକରେ କ୍ୟାମେରା ବ୍ୟବସ୍ଥା ନଥିବାରୁ ନିଜକୁ ଅସୁରକ୍ଷିତ ମନେ କରୁଥିବା ଅଞ୍ଚଳବାସୀ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now