Security Battalion for Srimandir: ଶ୍ରୀମନ୍ଦିର ପାଇଁ ନୂଆ ବାଟାଲିୟନ୍‌; ହେବନି ସିଧା ନିଯୁକ୍ତି, OSAPରୁ ଡେପୁଟେସନରେ ଆସିବେ ପୋଲିସ୍

ଭିଡ଼ ନିୟନ୍ତଣ ହେଉ କି ଶୃଙ୍ଖଳିତ ଦର୍ଶନ । ଆତଙ୍କବାଦୀ ଆକ୍ରମଣଠୁ ଅଗ୍ନିକାଣ୍ଡ ପରି ଅଘଟଣ । ଶ୍ରୀମନ୍ଦିରରେ ଏସବୁ ମୁକାବିଲା ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ବାଟାଲିୟନ ।

ଶ୍ରୀମନ୍ଦିର ପାଇଁ ନୂଆ ବାଟାଲିୟନ୍‌

ଶ୍ରୀମନ୍ଦିରର ଭିତର ହେଉ କି ବାହ୍ୟ ସୁରକ୍ଷା, ଏ ଦାୟିତ୍ବ ସମ୍ଭାଳିବ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍ । ଯାହାର ନାଁ ରହିଛି ଶ୍ରୀମନ୍ଦିର ସ୍ପେଶାଲ ସିକ୍ୟୁରିଟି ବାଟାଲିଅନ୍ । ତେବେ ଏଥିରେ ସିଧା ନିଯୁକ୍ତି ଦିଆଯିବନି ବରଂ OSAPରୁ ଡେପୁଟେସନରେ କର୍ମଚାରୀ ଆସିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏମାନଙ୍କ ଦାୟିତ୍ବ ଓ କାର୍ଯ୍ୟକାଳ କିଭଳି ରହିବ ସେ ନେଇ ବି ପ୍ରସ୍ତୁତ ହୋଇଛି ମୋଡାଲିଟି । ବାଟାଲିଅନ୍ ହେଡକ୍ବାର୍ଟର ପୁରୀରେ ରହିବ, ତେବେ ୟୁନିଫର୍ମ ଓ ଲୋଗୋ ସମ୍ପର୍କରେ ପୋଲିସ ଡିଜି ନିଷ୍ପତ୍ତି ନେବେ ।

ଭିଡ଼ ନିୟନ୍ତଣ ହେଉ କି ଶୃଙ୍ଖଳିତ ଦର୍ଶନ । ଆତଙ୍କବାଦୀ ଆକ୍ରମଣଠୁ ଅଗ୍ନିକାଣ୍ଡ ପରି ଅଘଟଣ । ଶ୍ରୀମନ୍ଦିରରେ ଏସବୁ ମୁକାବିଲା ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ବାଟାଲିୟନ । ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି- ଶ୍ରୀମନ୍ଦିର ଆମ ପରିଚୟ, ଏହାର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ବଡ଼ ଦାୟିତ୍ବ । ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ ପାଇଁ ପୋଲିସ ବିଭାଗରୁ ହିଁ ଯବାନଙ୍କୁ ନିଆଯିବ । ସାଧାରଣ ବାଟାଲିୟନରେ ଯେତିକି ସୁରକ୍ଷାକର୍ମୀ ଓ ଅଫିସର ରହୁନ୍ତି ଏଥିରେ ମଧ୍ୟ ସେତିକି ରହିବେ । ସେହିପରି ଶ୍ରୀଜଗନ୍ନାଥ ଟେମ୍ପଲ ପୋଲିସ୍ ବା JTPରେ ଖାଲି ପଡ଼ିଥିବା ପଦବୀ ପୂରଣ ସହ ଅଧିକ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: 'ଆସ୍କା-୪୦' ପାଇଁ ଆସ୍କା MLAଙ୍କ ଦରଦ ! ୫ ବର୍ଷ ହେଲା କାହିଁକି ବଢ଼ୁନି ଦର

ବାସ୍ତବରେ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନର କ’ଣ ରହିବ ରୂପରେଖ ? ରହିବେ କେତେ ଅଧିକାରୀ ଓ କର୍ମଚାରୀ ? କ’ଣ ରହିବେ କାମ ? ସେନେଇ ବି ପ୍ରସ୍ତୁତ ହୋଇଛି ମୋଡାଲିଟିଜ୍ । ତଥ୍ୟ ଅନୁସାରେ ଏହି ସୁରକ୍ଷା ବାହିନୀ ପାଇଁ ହେବନି ସିଧା ନିଯୁକ୍ତି । ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ୍ ବା OSAPରୁ ପୋଲିସ କର୍ମୀଙ୍କୁ ଡେପୁଟେସନରେ ଦିଆଯିବ ଦାୟିତ୍ବ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, ସିଭିଲ ପୋଲିସଙ୍କୁ ବି ଦାୟିତ୍ବ ଦିଆଯିବ । ତେବେ ଡେପୁଟେସନରେ ଆସିଥିବା ପୋଲିସ କର୍ମୀଙ୍କ କାର୍ଯ୍ୟ ସମୟ ୩ ବର୍ଷ ରହିବ ଓ ଆବଶ୍ୟକ ସ୍ଥଳେ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ଭାର ବଢ଼ାଯାଇ ପାରିବ । କାର୍ଯ୍ୟଭାର ଅବଧି ସରିବା ପରେ ପୂର୍ବ ସ୍ଥାନକୁ ଫେରିଯିବେ ସଂପୃକ୍ତ ପୋଲିସ କର୍ମୀ । ଦାୟିତ୍ବରେ ଥିବା ବେଳେ କାହାରି କାର୍ଯ୍ୟ ପ୍ରଦର୍ଶନ ଖରାପ ହେଲେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବ ।

ଜଣେ କମାଣ୍ଡାଣ୍ଟଙ୍କଠୁ ଆରମ୍ଭ କରି ଆର୍ମୋରଙ୍କ ପର୍ଯ୍ୟନ୍ତ ବାଟାଲିଅନରେ ମୋଟ୍ ୧୦୮୩ ଜଣ କର୍ମଚାରୀ ରହିବେ । ଯାହାଙ୍କ ମଧ୍ୟରେ ୭୨୦ ସିପାହୀ ଓ ୨୪୦ ହାବିଲଦାର ରହିବେ। ଇନ୍ସପେକ୍ଟର, ସବ-ଇନ୍ସପେକ୍ଟର ଓ ହାବିଲଦାର ପଦ ପାଇଁ ରାଜ୍ୟ ପୋଲସର ସଶସ୍ତ୍ର ବାହିନୀର ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ଓ ଅନ୍ୟ ପଦବୀ ପାଇଁ ପୋଲିସର ବିଭିନ୍ନ ବିଭାଗରୁ ଡେପୁଟେସନରେ ଅଣାଯିବ । ପୁରୀ ଏସପି ଏହାର ମୁଖ୍ୟ ରହିବେ ଓ ସେଇପୁରୀରେ ହିଁ SSMSVର ମୁଖ୍ୟାଳୟ ରହିବ। ବାଟାଲିଅନରେ ନିଯୁକ୍ତ ଯବାନଙ୍କ ୟୁନିଫର୍ମ ଓ ଲୋଗୋ କିପରି ହେବ, ସେ ନିଷ୍ପତ୍ତି ପୋଲିସ ମହାନିର୍ଦ୍ଦେଶକ ନେବେ ।

ଜଗନ୍ନାଥ ମନ୍ଦିରର ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ବରେ ରହିବେ ଏହି ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ। ତାସହ ପରିକ୍ରମା ମାର୍ଗ, ବଡ଼ଦାଣ୍ଡ, ଶ୍ରୀମାର୍ଗ, ଜଗନ୍ନାଥ ବିହାର ଓ ଗୁଣ୍ଡିଚା ମନ୍ଦିର ଏବଂ ମାଉସୀ ମାଆ ମନ୍ଦିରର ସୁରକ୍ଷା ଭାର ବି ଏମାନଙ୍କ କାନ୍ଧରେ ରହିବ । ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବେଳେ ରଥ ଓ ଭକ୍ତଙ୍କୁ ସୁରକ୍ଷା ଦେବେ । କୌଣସି ପ୍ରକାର ସଶସ୍ତ୍ର ଆକ୍ରମଣ ରୋକିବାକୁ NSG ତତ୍ତ୍ବାବଧାନରେ ଏମାନେ ଅଭ୍ୟାସ କରିବେ । ବୋମା ଚିହ୍ନଟ ଓ ବମ୍ ଡିସପୋଜାଲ ନେଇ ତାଲିମ ନେବେ । ବାଟାଲିଅନକୁ ସବୁ ପ୍ରକାର ଉନ୍ନତ ଓ ଆଧୁନିକ ବୈଷୟିକ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଗୁଇନ୍ଦା ବିଭାଗ, ଷ୍ଟେଟ ସ୍ପେଶାଲ ବ୍ରାଞ୍ଚ ସହ ଯୋଗାଯୋଗରେ ରହିବେ । ତେବେ ସ୍ପେଶାଲ ବାଟାଲିଅନ୍ ଯବାନ ଖାଲି ଶ୍ରୀମନ୍ଦିର ସୁରକ୍ଷା କଥା ବୁଝିଲେ ହେବନି, ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ସହ ଉତ୍ତମ ଆଚରଣ ମଧ୍ୟ ପ୍ରଦର୍ଶନ କରିବା ଜରୁରୀ ବୋଲି କହିଛନ୍ତି ଭକ୍ତ ଓ ସେବାୟତ । ଏବେ ଦେଖିବାର କଥା କେତେଶୀଘ୍ର ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ ହେଉଛନ୍ତି ସ୍ବତନ୍ତ୍ର ବାଟାଲିଅନ୍ ।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ସ୍ୱାମୀଙ୍କୁ କାବୁ କଲେ ପତ୍ନୀ...ନ୍ୟାୟ ପାଇଁ ଗୁହାରି