/odishatv-khabar/media/post_attachments/uploadimage/library/16_9/16_9_0/Durga_Puja_1728057391.jpg)
Durga Puja
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ କାମ କରୁଛନ୍ତି। କଟକ ସହର, ଭାଇଚାରାର ସହର । ଜଗତଜନନୀ ମାଆ ଦୁର୍ଗାଙ୍କ ପାଇଁ ଏଠି ହିନ୍ଦୁ ମୁସଲମାନ ଭାଇମାନେ ଏକାଠି ଲାଗିପଡିଛନ୍ତି। କଟକର ବାଙ୍କା ବଜାର। ଏ ଜାଗା ଖୁବ୍ ପ୍ରସିଦ୍ଧ ଜରି ମେଢ ପାଇଁ। ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ବାହାରୁ ମାଆଙ୍କ ଜରି ମେଢ ପାଇଁ କାରିଗରଙ୍କୁ ମିଳିଛି ଅର୍ଡର। ଏହି ଅଂଚଳର ଅଧିକାଂଶ ମୁସଲମାନ କାରିଗର ଦଶହରାରେ ଜରି, କାଗଜ ମେଢ ତିଆରି କରିଥାନ୍ତି।
ପିଢି ପରେ ପିଢି ଦୀର୍ଘ ୪୦ ବର୍ଷ ହେଲା ଏଇଭଳି ମାଆଙ୍କ କାମରେ ନିଜକୁ ସମର୍ପିତ କରିଛନ୍ତି ମୁସଲମାନ କାରିଗରମାନେ। ବାଉଁଶ,କାଗଜ, ଜିଙ୍କ୍ ଠାରୁ ନେଇ ଅଠା ଜରି ଆଦିକୁ ବ୍ୟବହାର କରି ଅତି ସୂଷ୍ମ ନିଖୁଣ କାରୁକାର୍ଯ୍ୟ କରନ୍ତି କାରିଗର। ଦେଖିଲେ, ଆଖି ଲାଖି ଯିବ।
ସେପଟେ ଷ୍ଟିଲସିଟି ରାଉରକେଲାରେ ପ୍ରତିବର୍ଷ ଭଳି ଚଳିତବର୍ଷ ବି ଜମିବ ଶାରଦୀୟ ଦୁର୍ଗାପୂଜା। ସହରରେ ଶହେରୁ ଅଧିକ ସ୍ଥାନରେ ପୂଜା ପାଇବେ ମାଆ ଦୁର୍ଗା। ସେକ୍ଟର-୧,ସେକ୍ଟର-୨, ସେକ୍ଟର-୧୬ ଆଦି ସ୍ଥାନ ମାନଙ୍କରେ ମେଢ ଓ ତୋରଣକୁ ନେଇ ଏବେଠୁ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ଚଳିତବର୍ଷ ସେକ୍ଟର-୨ ପୂଜା ମଣ୍ଡପ ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ କଟକରୁ ଜରି ମେଢ ତିଆରି କରୁଥିବା କାରିଗରଙ୍କୁ ଡାକି କାମ କରାଉଥିବାବେଳେ ଚଳିତବର୍ଷର ଥିମ୍ ରହିଛି ଅଯୋଧ୍ୟାର ପ୍ରେମ ମନ୍ଦିର। ଏହି ତୋରଣର ଉଚ୍ଚତା ଦେଢଶହ ଫୁଟ୍ ଥିବାବେଳେ ଚଉଡା ହେବ ୨ଶହ ଫୁଟରୁ ଅଧିକ।
ସେହିପରି ସେକ୍ଟର-୧ ପୂଜା ପେଣ୍ଡାଲ ଏଥର ଇସ୍କନ ମନ୍ଦିର ମାୟାପୁରୀ ଷ୍ଟାଇଲରେ ତୋରଣ ତିଆରି କରୁଛି। ଏହାସହ ପେଣ୍ଡାଲ ସାମ୍ନାରେ ବିଶେଷ ଆକର୍ଷଣ ସାଜିବେ ରାଧାକୃଷ୍ଣ ମୂର୍ତ୍ତି ଓ ୨୪ ଘଣ୍ଟିଆ ନାମ ସଂକୀର୍ତ୍ତନ। ସେହିପରି ପ୍ରତିଯୋଗିତାରୁ ପଛରେ ପଡିନି ସେକ୍ଟର-୧୬। ପେଣ୍ଡାଲରେ ଚଳିତବର୍ଷ ଲୋକଙ୍କୁ ଆକୃଷ୍ଟ କରିବାପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ଦ୍ବାରିକାପୁରର କୃଷ୍ଣ ମନ୍ଦିର ସଦୃଶ ତୋରଣ ତିଆରି ଚାଲିଛି। ପ୍ରାୟ ୪୦ କାରିଗର ମାସେ ହେଲା ଲାଗିଛନ୍ତି କାମରେ। ଏହାସହ ମୀନାବଜାର ପାଲଟିବ ବଡ ଆକର୍ଷଣ।
ଅନ୍ୟପଟେ ଏବେଠୁ ଉତ୍ସବମୁଖର ଶକ୍ତିପୀଠ। ଶକ୍ତିପୀଠରେ ଚାଲିଛି ମା'ଙ୍କ ନବରାତ୍ର ପୂଜା। ତନ୍ତ୍ର ଓ ମନ୍ତ୍ର ପାଠରେ କଂପୁଛି ଦେବୀ ପୀଠ। କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଆଜି ଜୟଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି। ସନ୍ଧ୍ୟାରେ ମାଆଙ୍କର ଏହି ବେଶ କରାଯିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ପ୍ରତିଦିନ ରାତିରେ ମାଆଙ୍କ ପୀଠରେ ଚଣ୍ଡୀପାଠ କରାଯାଉଛି। ନବରାତ୍ରି ଅବସରରେ ମାଙ୍କୁ ଦର୍ଶନ ପାଇଁ ବେଶ୍ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)