• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଯାହାକୁ ସେବନ କରି ଜ୍ୱରରେ ଆକ୍ରାନ୍ତ ମହାପ୍ରଭୁ ସୁସ୍ଥ ହେବା କଥା, ତାକୁ ବି ଚୋରି । ଅର୍ଥାତ୍ ଶ୍ରୀମନ୍ଦିରରେ ଅନବସରରେ ଥିବା ଠାକୁରଙ୍କ ପାଇଁ ରାଜବୈଦ୍ୟଙ୍କ ଘରୁ ଆସିଥିବା ୩୧୩ ଦଶମୂଳ ମୋଦକରୁ ୭୦ଟି ଗାଏବ ଥିବା ନେଇ ଖୋଦ୍ ଭଳଭଦ୍ରଙ୍କ ବାଡ଼ଗ୍ରାହୀ ଆଣିଥିବା ଅଭିଯୋଗ ଆଣିଛନ୍ତି । ତେଣେ ମୋଦକ ଚୋରି ଅଭିଯୋଗ ସତ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ। ଏ ନେଇ ଘଣ୍ଟାଚକଟା ଭିତରେ ମୋଦକ ଚୋରି ହୋଇନଥିବା କହିଛନ୍ତି ଆଇନମନ୍ତ୍ରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ତଥାପି ଅଭିଯୋଗର ଯାଞ୍ଚ ଚାଲିଛି ।

କିଏ ନେଲା ମହାପ୍ରଭୁଙ୍କ ମୋଦକ ?

Also Read

ଚୋରି ତ ଚୋରି । ପୁଣି ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ବର ଉପଶମ ପାଇଁ ଆସିଥିବା ଦଶମୂଳ ମୋଦକ ଚୋରି । କିଏ ଚୋରାଇ ନେଲା ମହାପ୍ରଭୁଙ୍କ ଔଷଧ ? ଶ୍ରୀମନ୍ଦିର ଗାରଦ ଘରୁ କେମତି ଗାଏବ ହୋଇଗଲା ରାଜବୈଦ୍ୟ ଦେଇଥିବା ମହୌଷଧି ? 
ଦୀଘା ଜଗନ୍ନାଥ ମନ୍ଦିରକୁ ପଠାଯାଇନି ତ ଚୋରି ମୋଦକ ?

ଏ ପ୍ରଶ୍ନ କେବଳ ମହାପ୍ରଭୁଙ୍କ ସେବକ ନୁହଁନ୍ତି ଅଗଣିତ ଭକ୍ତଙ୍କୁ ବି ଆଚମ୍ବିତ କରିଛି । ଖୋଦ୍ ବଡ଼ଠାକୁର ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ମୋଦକ ଚୋରିର ସାଂଘାତିକ ଅଭିଯୋଗ ଆଣି ଶ୍ରୀମନ୍ଦିର ପ୍ରଶାସନକୁ ଲେଖିଛନ୍ତି ଚିଠି- ଯେଉଁଥିରେ ସେ ଦର୍ଶାଇଛନ୍ତି ରାଜବୈଦ୍ୟ ୩୧୩ଟି ଅମୁଣିଆ ମୋଦକ ବଡ଼ ଠାକୁରଙ୍କ ପାଇଁ ପ୍ରସ୍ତୁତ କରିଥିଲେ । ତାହା ଶ୍ରୀମନ୍ଦିର କମାଣ୍ଡରଙ୍କ ସୁରକ୍ଷାରେ ଗାରଦ ଘରେ ରଖାଯାଇଥିଲା । ହେଲେ ଦିଅଁଙ୍କୁ ଲାଗି ପୂର୍ବରୁ ୭୦ଟି ମୋଦକ କମ୍ ଥିଲା । 

୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗିର ବିଧି ଥିବାବେଳେ ଏତେ ସଂଖ୍ୟାରେ ମୋଦକ ଚୋରି ହେଲା କେମିତି ? ବାକି ମାରା ମୋଦକ ଶ୍ରୀଜିଉଙ୍କୁ ଲାଗି ହେଲା କିପରି ବୋଲି ପ୍ରଶ୍ନ କରିଛନ୍ତି ।

ଅଧିକ ପଢନ୍ତୁ: ଚୋରି ହୋଇନି ମୋଦକ, ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ

ମୋଦକ ଚୋରିରେ ଦୀଘା ଲିଙ୍କ୍ ସନ୍ଦେହ

ଏଣେ ଶ୍ରୀମନ୍ଦିର ଗାରଦରୁ ମୋଦକ ଚୋରି ତନାଘନା ଭିତରେ ଆସିଛି ଦୀଘା ଲିଙ୍କ୍ ସନ୍ଦେହ । ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ ସିଧାସଳଖ ଅଭିଯୋଗ କରିଛନ୍ତି- ଯେହେତୁ ଅମୁଣିଆ ମୋଦକ ଚୋରି ହୋଇଛି, ତେଣୁ ଏହା ଦୀଘା ଜଗନ୍ନାଥ ମନ୍ଦିରକୁ ଯାଇଥାଇପାରେ । ତେଣେ ମୋଦକ ଚୋରି ଅଭିଯୋଗ ସତ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ । ସିସିଟିଭି ଦେଖି ରାଜ୍ୟ ସରକାର ଏହାର ତଦନ୍ତ କରନ୍ତୁ । ତେବେ ଦୀଘା ପଠାଯାଇଥିବା କଥା ସେ ଗ୍ରହଣ କରିନାହାନ୍ତି । ଏଣେ ମୋଦକ ଚୋରିକୁ ନେଇ ଭକ୍ତ ଓ ସେବକ ବି ଆଚମ୍ବିତ ।

ଏପଟେ ମୋଦକ ଚୋରି ଆରୋପ ଘଟଣାରେ ଟ୍ବିଷ୍ଟ ଆଣିଛି ଆଇନ ମନ୍ତ୍ରୀଙ୍କ ବୟାନ । ସେ କହିଛନ୍ତି ମୋଦକ ଚୋରି ହୋଇନି । ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏପରି ବୟାନ ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି କହିଛନ୍ତି- ପ୍ରାରମ୍ଭିକ ସୂଚନା ଅନୁସାରେ ବାଡ଼ଗ୍ରାହୀଙ୍କ ଅଭିଯୋଗ ସତ୍ୟ ଆଧାରିତ ନୁହେଁ । କିନ୍ତୁ ବଳଭଦ୍ରଙ୍କ ବାଡ଼ଗାହୀଙ୍କ ଅଭିଯୋଗ ନେଇ ତଦନ୍ତ ଆରମ୍ଭ ହୋଇଛି । ଯାଞ୍ଚରେ କେହି ଦୋଷୀ ସାବ୍ୟସ୍ତ ହେଲେ ଆକ୍ସନ ହେବ ।

ଏବେ ଦେଖିବାର କଥା ଆଗକୁ ମୋଦକ ଚୋରି ଅଭିଯୋଗ କେଉଁ ମୋଡ଼ ନେଉଛି ।

ଓଟିଭି ବିଜ୍ଞାପନ