Mo Bus Catches Fire: ମୋ ବସ୍‌ରେ ଲାଗିଲା ନିଆଁ,ଝରକା ବାଟେ ବାହାରିଲେ ଯାତ୍ରୀ

ଜଗତପୁର ଥାନା ଅଧୀନସ୍ଥ ବିରୂପା ବ୍ୟାରେଜ ନିକଟରେ 'ମୋ ବସ୍‌ରେ' ଅଚାନକ ନିଆଁ ଲାଗିଯାଇଥିଲା । ସେହି ସମୟରେ ବସ୍‌ରେ ସେନ୍ସର ଗେଟ୍‌ରେ ଲକ୍ ପଡିଯାଇ ଆଉ ଖୋଲିନଥିଲା । ଫଳରେ ବସ୍‌ ଭିତରେ ଥିବା ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ ।

'ମୋ ବସ୍‌ରେ' ଲାଗିଲା ନିଆଁ ।

ପୁଣି ମୋ ବସ୍‌ରେ ଘଟିଛି ଅଘଟଣ । ପୁଣି ମୋ ବସ୍‌ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ବସ୍‌ର ସେନ୍ସର ଗେଟ୍ ନଖୋଲିବାରୁ ଯାତ୍ରୀ ଅଣନିଶ୍ବାସୀ ହୋଇଯାଇଥିଲେ । ଏହାପରେ ଝରକା କାଚ ଭାଙ୍ଗି ଯାତ୍ରୀ ବାହାରକୁ ବାହାରିଥିଲେ ।

ଆଜି ଜଗତପୁର ଥାନା ଅଧୀନସ୍ଥ ବିରୂପା ବ୍ୟାରେଜ ନିକଟରେ ମୋ ବସ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା । ଏପଟେ ସେହି ସମୟରେ ବସ୍‌ରେ ସେନ୍ସର ଗେଟରେ ଲକ୍ ପଡିଯାଇ ଆଉ ଖୋଲିନଥିଲା । ଫଳରେ ବସ୍‌ ଭିତରେ ଥିବା ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ । ପରେ ଯାତ୍ରୀମାନେ ସୌଭାଗ୍ୟବଶତଃ ଝରକା ବାଟେ ସୁରକ୍ଷିତ ବାହାରିଥିଲେ । ବସ୍‌ରୁ ପ୍ରବଳ ପରିମାଣର ଧୂଆଁ ବାହାରୁଥିଲେ ମଧ୍ୟ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ପୂର୍ବରୁ ଏହାକୁ ଏଡାଇ ଦିଆଯାଇ ପାରିଛି ।

ସୂଚନା ଅନୁସାରେ 'ମୋ ବସ୍' (ନଂ ଓଡି-୩୩ ୟୁ ୬୫୨୪) ଚୌଦ୍ୱାର ଥାନା ଅଧୀନ ଆଗ୍ରା ହାଟରୁ ବାହାରି ଚୁଡାଖିଆ, କଳିଙ୍ଗ ଛକ ଓ ଗନ୍ଧିଛକରୁ ୩୫ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା । ବିରୂପା ନଦୀ ଅତିକ୍ରମ କରି ସାରିବା ପରେ ହଠାତ୍ ଗାଡିରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଯାତ୍ରୀ ଚିତ୍କାର କରିବାରୁ ଡ଼୍ରାଇଭର ଗାଡ଼ିକୁ ଅଟକାଇ ଥିଲେ । ସେତେବେଳକୁ ମୋ ବସ୍‌ରେ ପ୍ରଚଣ୍ଡ ଧୂଆଁ ବାହାରିଥିଲା । ଯାତ୍ରୀ ମାନେ ଜୀବନ ବଞ୍ଚାଇବା ପାଇଁ ଗେଟ୍ ବାଟେ ବାହାରିବା ପୁର୍ବରୁ ଏହା ସେନ୍ସର ଲକ୍ ହୋଇଯାଇଥିଲା । ଯାତ୍ରୀ କୌଣସି ଉପାୟ ନ ପାଇ ଝରକା ବାଟେ ବାହାରିଥିଲେ ।  ଅପରପକ୍ଷେ 'ମୋ ବସ୍' ଗୁଡିକ ଦୀର୍ଘଦିନ ଧରି ମରାମତି ହେଉନଥିବାରୁ ଏମିତି ହୋଇଥାଇ ପାରେ ବୋଲି 'ମୋ ବସ୍' ଡ୍ରାଇଭର କହିଛନ୍ତି ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ... 

ସୂଚନାଯୋଗ୍ୟ ରାଜଧାନୀରେ କିଛି ଦିନ ତଳେ ମୋ ବସ୍ ଚକତଳେ ଜଣେ ମହିଳାଙ୍କ ଜୀବନ ଯାଇଥିଲା । ତମାଣ୍ଡୋ ଥାନା ଅଞ୍ଚଳର ଏକ ଓଭରବ୍ରିଜ ତଳେ ଏହି ଦୁର୍ଘଟଣା ଘଟିଥିଲା । ସଂପୃକ୍ତ ବସ୍‌ଟି ମହିଳାଙ୍କୁ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ମୋ ବସ୍‌ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍‌ସିଟିର ଉଦ୍‌ବେଗ ପ୍ରକାଶ ପାଇଛି । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜୀବନ ନେଇଥିଲା ମୋ ବସ୍ । ଦୁର୍ଘଟଣା ପରେ ଡ୍ରାଇଭର ଦ୍ରୁତ ଗତିରେ ବସ୍‌ ଚଳାଇ ସିଧା ନନ୍ଦନକାନନ ଥାନା ଭିତରେ ଶରଣ ପଶିଥିଲା । ପରେ ସେହି ବାଟ ଦେଇ ଯାଉଥିବା ଅନ୍ୟ ମୋ ବସ୍‌ ଗୁଡ଼ିକୁ ଅଟଲାଇଥିଲେ ଲୋକେ । ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ସକାଳ ସାଢ଼େ ୮ଟାରୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ତେବେ ଏଭଳି ବାରମ୍ବାର ଦୁର୍ଘଟଣା ଘଟିବା ପରେ ଲୋକଙ୍କ ମନରେ ଭୟ ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ସରକାରୀ ବାବୁ ସାଜିଥିଲେ ଭତ୍ତା ଜାଲିଆତିର ମାଷ୍ଟର! ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ