• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାମ୍ନାକୁ ଆସିଲା ମିଶନ ଶକ୍ତିର ଆଉ ଏକ କଳା ସତ । ସ୍କୁଟି ନେଇ ଅଡ଼ୁଆରେ ପଡ଼ିଛନ୍ତି ମହିଳା । ମିଶନ ଶକ୍ତି ଯୋଜନାରେ ନେଇଥିଲେ ସ୍କୁଟି । କିନ୍ତୁ ଦାୟିତ୍ୱ ଯିବା ପରେ ଏବେ କେମିତି ସୁଝିବେ କିସ୍ତି, ସେଇ ଚିନ୍ତାରେ ମହିଳା । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ । ୭ ମାସ ପୂର୍ବରୁ ଏହି ବ୍ଲକର ମହିଳାମାନେ ସରକାରଙ୍କଠାରୁ ଋଣ ନେଇ ସ୍କୁଟି କିଣିଥିଲେ ।

ସେତେବେଳେ ସ୍କୁଟି ଋଣ ସୁଝିବା ପର୍ଯ୍ୟନ୍ତ ସେମାନଙ୍କର କାର୍ଯ୍ୟ ଜାରି ରହିବ ବୋଲି କୁହାଯାଇଥିଲା । ଫଳରେ ପାଖାପାଖି ୩୦୦ ଶହ ମହିଳା ସ୍କୁଟି ଋଣ ନେଇ ସ୍କୁଟି ଖଣ୍ତେ ଖଣ୍ତେ କରିଥିଲେ । କିନ୍ତୁ ମାତ୍ର ସାତ ମାସ ପରେ ସେମାନଙ୍କୁ କାର୍ଯ୍ୟକୁ ବାହାର କରି ଦିଆଯାଇଥିବା ଜଣାପଡ଼ିଛି । ଏପରି ଅବସ୍ଥାରେ ବାକି କିସ୍ତି କିପରି ସୁଝିବେ ସେନେଇ ମହିଳାମାନେ ଚିନ୍ତିତ ।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ପ୍ରାୟ ୩ଶହ ରୁ ଉର୍ଦ୍ଧ୍ୱ ମିଶନ ଶକ୍ତି ପାଇଁ ବିଭିନ୍ନ ପଦରେ ରହି କାର୍ଯ୍ୟ କରୁଥିବା ମହିଳା ମାନେ ସ୍କୁଟି ଋଣ କରି ନେଇଥିଲେ । ତେବେ ବର୍ତ୍ତମାନ ପଞ୍ଚାୟତସ୍ତରର ସଙ୍ଘ ସଭାପତି, ସମ୍ପାଦକ ଓ ଇସି ମେମ୍ବର ମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଫଳରେ ସ୍କୁଟି ନେଇଥିବା ମହିଳାମାନେ ଏବେ ସ୍କୁଟି ଋଣ କିପରି ସୁଝିବେ ସେହି ଚିନ୍ତାରେ ।

ପୂର୍ବ ସରକାର ବିନା ସୁଧରେ ମହିଳାଙ୍କୁ ସ୍କୁଟି ଋଣ ଦେଇଥିଲେ । ଠିକ୍ ନିର୍ବାଚନ ପୂର୍ବରୁ ଅଣାଯାଇଥିବା ଏହି ସ୍କୁଟି ଯୋଜନାକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରଯାଇଥିଲା । ନିର୍ବାଚନ ଜିତିବା ପାଇଁ ପୂର୍ବ ସରକାର ମିଶନ ଶକ୍ତିର ମହିଳାମାନଙ୍କୁ ନିଜ ସପକ୍ଷରେ କରିବା ପାଇଁ ଏହି ଯୋଜନା ଆଣିଥିବା ପରି ମନେ ହୁଏ ।

କିନ୍ତୁ ବର୍ତ୍ତମାନ ଏହି ସ୍କୁଟି ଯୋଜନା ମହିଳାଙ୍କ ପାଇଁ କଣ୍ଟା ସାଜିଛି । ପଞ୍ଚାୟତ ସ୍ତରୀୟ ସଙ୍ଘ (gplf) ରେ ଚୟନ ହୋଇଥିବା ସଭାପତି ଓ ସମ୍ପାଦକଙ୍କୁ ସରକାର ମିଶନ ଶକ୍ତି କାମରେ ଲଗାଇ ପାଉଣା ବାବଦରେ ୨୫ଶହ ଟଙ୍କା ପ୍ରଦାନ କରୁଥିଲେ । ନିୟମ ଆନୁଯାୟୀ, ପ୍ରତ୍ୟେକ ଦୁଇବର୍ଷରେ ଥରେ ପଞ୍ଚାୟତ ସ୍ତରୀୟ କମିଟି ନୂଆ ହେବା କଥା ।

କିନ୍ତୁ ଗତ ସରକାରରେ ଚୟନ ହୋଇଥିବା ସଭାପତି, ସମ୍ପାଦକ ଓ ଇସି ମେମ୍ବରମାନଙ୍କୁ ପୁନଃ ନିଯୁକ୍ତି କରିଥିଲେ । ୭ମାସ ପୂର୍ବରୁ ଯେତେବେଳେ ମିଶନ ଶକ୍ତି ସ୍କୁଟି ଯୋଜନା ହେଲା ସେତେବେଳେ ପଞ୍ଚାୟତ ସ୍ତରୀୟ ସଙ୍ଘର କାର୍ଯ୍ୟକର୍ତ୍ତାଙ୍କୁ ସ୍କୁଟି ଋଣ ପ୍ରଦାନ କରାଯାଇଥିଲା । ସ୍କୁଟି ଋଣ ବାବଦକୁ ମହିଳାମାନେ ମାସକୁ କିସ୍ତି ଦେଉଥିଲେ ।

କିନ୍ତୁ ଏବେ ପଞ୍ଚାୟତ ସ୍ତରୀୟ ସଙ୍ଘ ପୁନର୍ଗଠନ କରିବା ପ୍ରକ୍ରିୟା ଫଳରେ ସ୍କୁଟି ନେଇଥିବା ମହିଳାମାନଙ୍କୁ କାର୍ଯ୍ୟରୁ ବିଚ୍ୟୁତ କରାଯାଇଛି । ଫଳରେ ଏବେ ସ୍କୁଟି ଋଣ କେମିତି ସୁଝିବେ ସେହି ଚିନ୍ତା ଘାରିଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ସମୟରେ ସେମାନଙ୍କୁ ସ୍କୁଟି ଦିଆଗଲା, ସେତେବେଳେ କାର୍ଯ୍ୟକୁ ଅନ୍ତର କରାଯିବ ନାହିଁ ବୋଲି ମଧ୍ୟ କୁହାଯାଇଥିଲା ।

ଏହା ସତ୍ତ୍ୱେ ବର୍ତ୍ତମାନ ସେମାନଙ୍କୁ ବାହାର କରି ଦିଆଯାଇଛି । ତେବେ ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ମହିଳାମାନେ । ଜିଲ୍ଲାପାଳ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିବା କହିଛନ୍ତି ମହିଳା । ଏ ସମସ୍ୟାର ସମଧାନ ନହେଲେ ସବୁ ସ୍କୁଟି ଆଣି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିଆଁ ଲଗାଇଦେବୁ ବୋଲି ଧମକ ଦେଇଛନ୍ତି ମହିଳା । ତେବେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now