Mishap at Lingaraj Temple: ଲିଙ୍ଗରାଜ ମନ୍ଦିରରେ ଅଘଟଣ ପ୍ରସଙ୍ଗ; ମେୟରଙ୍କୁ ଟାର୍ଗେଟ୍ କଲେ ବିଧାୟକ

ପ୍ରଶାସନକୁ ଦାୟୀ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେ କହିଛନ୍ତି,  ମନ୍ଦିରକୁ ଚଢିବା ବାଟରେ ବାଲି ପଡ଼ିନଥିଲା । ଗୋଡ଼ ନଖସିବାକୁ ମନ୍ଦିର ଚଢିବା ବାଟରେ ବାଲି ପଡ଼ିଥାଏ ।

Mishap at Lingaraj Temple

ଜାଗର ରାତିରେ ଲିଙ୍ଗରାଜ ମନ୍ଦିରରେ ଅଘଟଣକୁ ନେଇ ତେଜିଛି ରାଜନୀତି । ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେ କହିଛନ୍ତି,  ମନ୍ଦିରକୁ ଚଢିବା ବାଟରେ ବାଲି ପଡ଼ିନଥିଲା । ଗୋଡ଼ ନଖସିବାକୁ ମନ୍ଦିର ଚଢିବା ବାଟରେ ବାଲି ପଡ଼ିଥାଏ । ହେଲେ ଏଥର ପ୍ରଶାସନ ବାଲି ପକାଇବାକୁ ଭୁଲିଯାଇଛି । 

ସେପଟେ ମେୟରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ । ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଘଟଣକୁ ନେଇ ମେୟରଙ୍କୁ ଟାର୍ଗେଟ କରି ବାବୁ କହିଛନ୍ତି, ଠାକୁରଙ୍କୁ ନେଇ କାଦୁଅ ଫିଙ୍ଗା ରାଜନୀତି ବନ୍ଦ କରନ୍ତୁ ମେୟର । ମେୟର କ’ଣ ପ୍ରଶାସନର ଅଂଶ ନୁହନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଜାଗର ଆଗରୁ ସମୀକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । 

ଅଧିକ ପଢ଼ନ୍ତୁ :  ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ

ତେବେ ଲିଙ୍ଗରାଜ ମନ୍ଦିରରେ ଅଘଟଣ ପଛର କାରଣ କଣ ? କାହିଁକି ପଡ଼ିଗଲେ ସମର୍ଥା ସେବାୟତ ? ଅବ୍ୟବସ୍ଥା ନା ଅସାବଧାନତା ?ମହାଦୀପରେ ଅଧିକ ଘିଅ ଲାଗିବା ହୋଇପାରେ କି କାରଣ ? ମହାଦୀପରେ ଘିଅ ସର ସର ଯୋଗୁଁ ହାତ ଖସିଗଲା କି ? ତଳେ ବାଲି ପଡ଼ିନଥିବାରୁ ଗୁରୁତର ହେଲେ କି ସେବାୟତ ? ଏସବୁ ପ୍ରଶ୍ନ ଭିତରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଆହତ ସେବାୟତ କହିଛନ୍ତି, ବାଲାନ୍ସ ରହିଲାନି, ଫଳରେ ହାତ ଖସିଯିବାରୁ ତଳକୁ ପଡିଯାଇଥିଲେ । ସେବାୟତଙ୍କ ପୁଅ ମଧ୍ୟ କହିଛନ୍ତି ମହାଦୀପରେ ଅଧିକ ଘିଅ ଯୋଗୁ ହାତ ଖସିଯିବାରୁ ଅଘଟଣ ଘଟିଲା। 

ସେହିପରି ବ୍ରାହ୍ମଣ ନିଯୋଗ ସଭାପତି ନାରାୟଣ ମହାପାତ୍ର ମଧ୍ୟ ସମାନ କଥା କହିଛନ୍ତି । ଅଧିକ ତେଲ ଯୋଗୁ ଗୋଡ଼ ଖସିଯିବାରୁ ଏଭଳି ଅଘଟଣ ଘଟିଛି । ସେପଟେ ଅଧିକ ଘିଅ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେକାପ ସେବାୟତ । ଭଣ୍ଡାର ମେକାପ ସେବାୟତ କହିଛନ୍ତି, ଯେତିକି ଘିଅ ଦେବା କଥା ସେତିକି ଦିଆଯାଇଥିଲା । ଗତକାଲି ଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୧୦ଟା ୪୦ ବେଳକୁ ଉଠିଥିଲା ମହାଦୀପ । ଏହି ସମୟରେ ମହାଦୀପ ନେଇ ମନ୍ଦିର ଚୂଡାକୁ ଚଢୁଥିବା ବେଳେ ତଳକୁ ଖସି ପଡ଼ିଥିଲେ ସେବାୟତ । ତୁରନ୍ତ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ପରେ ଅନ୍ୟଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚୂଡାକୁ ଚଢିଥିଲେ । ତେବେ ମହାଦୀପ ଗରମ ଘିଅ ପଡି ଆଉ ଜଣେ ସେବାୟତ ମଧ୍ୟ ଆହତ ହୋଇଛନ୍ତି । 

ଅଧିକ ପଢନ୍ତୁ  : ଲିଙ୍ଗରାଜ ମନ୍ଦିରରେ ଠେଲାପେଲା, ୨ ମହିଳା ଭକ୍ତ ଆହତ