ଦାଦନ ଚାଲାଣର ଅନେକ ରୂପ । ପ୍ରତିଦିନ ନିର୍ଯାତନାର ନୂଆ ନୂଆ କାହାଣୀ । କିଏ ଅନ୍ୟ ରାଜ୍ୟରେ ବନ୍ଧା ପଡିଛି, ତ ଆଉ କିଏ ନିଜ ଘରକୁ ଶବ ହୋଇ ଫେରୁଛି । ପ୍ରତିଟି ଘଟଣାରେ ମାନବିକ ଅଧିକାର ଉଲ୍ଲଂଘନ ହେଉଥିଲେ ବି, ମୁକ ବଧିର ପ୍ରଶାସନ । ଯୋଜନା ଅଛି....କୋଟି କୋଟି ଟଙ୍କା ଅନୂଦାନ ବି ଆସୁଛି । କିନ୍ତୁ କାମଧନ୍ଧା ଅଭାବରୁ, ଗୋରୁ ଗାଇଙ୍କ ଭଳି ବେଆଇନ ଚାଲାଣ ହେଉଛି ଅଭାବୀ ମଣିଷ । ତେଲେଙ୍ଗାନାରେ ବନ୍ଧା ପଡିଥିଲେ ୨୭ ଶ୍ରମିକ । ପ୍ରତିଦିନ ନିର୍ଯ୍ୟାତିତ ହେଉଥିଲେ । ଭିଡିଓ କରି ଉଦ୍ଧାର ପାଇଁ ଅନୁରୋଧ କରିଥିଲେ । ଜଣେ ସ୍ବେଚ୍ଛାସେବୀ ଓଡିଶା ସରକାରଠୁ ବଲାଙ୍ଗିର ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୂରୋଧ କଲେ । କିନ୍ତୁ କଥା ଶୁଣିଲେ, ତେଲେଙ୍ଗାନା ସରକାର । ଏବେ ଉଦ୍ଧାର ହେବା ପରେ ସର୍ଦ୍ଦାର ଦେଉଛି ହତ୍ୟା ଧମକ ....!
ବଲାଙ୍ଗିର ରେଲୱେ ଷ୍ଟେସନ । ଅନ୍ୟ ଯାତ୍ରୀଙ୍କ ଭିଡ ଭିତରୁ, ଏମାନେ ବାରି ହୋଇପଡୁଛନ୍ତି । ହାବଭାବରୁ ଜଣାପଡୁଛି, ଦାଦନ ଘର ମୁହାଁ ହୋଇଛନ୍ତି । କିନ୍ତୁ ବୁଝାବୁଝି କଲାରୁ ଜଣାପଡିଲା, ଏମାନେ ତେଲେଙ୍ଗାନା ସରକାର ଦ୍ବାରା ଉଦ୍ଧାର ହୋଇ, ବଲାଙ୍ଗିର ଫେରିଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ଏବଂ ବେଳପଡା ବ୍ଳକର ଦାଦନ ଶ୍ରମିକ । ବାସ୍, ରେଲୱେ ଷ୍ଟେସନରୁ ସିଧା ପହଞ୍ଚିଥିଲେ, ଜିଲ୍ଳା ଯୋଜନାର ପେଣ୍ଠସ୍ଥଳୀ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ।
Also Read
ଉଦ୍ଧାର ଶ୍ରମିକଙ୍କୁ ଦେଖି, ଗଣମାଧ୍ୟମର ଭିଡ । କ୍ୟାମେରା ଦେଖି କହିଗଲେ, ନିର୍ଯ୍ୟାତନାର ଗୋଟି ଗୋଟି କଥା । କେମିତି ପଶୁଙ୍କ ଭଳି ମାଲିକ କାମ କରାଉଥିଲା । ଅଧା ଖାଇବା ଦେଇ ଓଭର ଡ୍ୟୁଟି କାମ ନେଉଥିଲା ମାଲିକ । ଅସଦ ଆଚରଣର ଶିକାର ହେଉଥିଲେ ମହିଳା । ବେଠି ଖଟି ଖଟି ଦେହର ମାଂସ ଝଡିଯାଉଥିଲା । ଯେତେ ଗୁହାରି କଲେ ବି, ଶୁଣୁନଥିଲା ମାଲିକ । ଯେନତେନ ପ୍ରକାରେଣ ଉଦ୍ଧାର ହୋଇ, ନିଜ ଜିଲ୍ଳାକୁ ଫେରିଛନ୍ତି । ହେଲେ ଫେରିବା ବେଳେ ବି ଅଧା ବାଟରେ ସେକେଣ୍ଡ ସର୍ଦ୍ଦାର ଆସି ଏମାନଙ୍କୁ ମାଡ ମାରିଥିଲା । ବିଶାଖାପାଟନମରେ ଆର.ପି.ଏଫରେ ଅଟକ ଅଛି ଅଭିଯୁକ୍ତ ସର୍ଦ୍ଦାର ଦିନବନ୍ଧୁ ବିଶି । କିନ୍ତୁ ବଲାଙ୍ଗିର ପହଞ୍ଚିବା ପରେ ମୁଖ୍ୟ ସର୍ଦ୍ଦାର ପପ୍ପୁ ଖାନ ଜୀବନରେ ମାରିଦେବାକୁ ଧମକ ଦେଉଥିବାର ଅଭିଯୋଗ କରିଛନ୍ତି ଉଦ୍ଧାର ଶ୍ରମିକ ।
ଏବେ ଆସନ୍ତୁ ଜାଣିବା କେମିତି...କିପରି....ଓ କାହା ଦ୍ବାରା ଏମାନେ ଉଦ୍ଧାର ହେଲେ । ଶ୍ରମିକମାନେ ମାଲିକର ଅନୁପସ୍ଥିତିରେ ଲୁଚିଛପି ଭିଡିଓ କରି, ନିର୍ଯ୍ୟାତନାର କାହାଣୀ ବଖାଣିଥିଲେ । ଉଦ୍ଧାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଭିଡିଓ ଦେଖି ଜଣେ ସ୍ବେଚ୍ଛାସେବୀ ସୁଶାନ୍ତ ପାଣିଗ୍ରାହୀ, ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଳାର ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇଥିଲେ । କିନ୍ତୁ କେହି ଶୁଣିନଥିଲେ । ଶେଷରେ ତେଲେଙ୍ଗାନା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଟ୍ବିଟ କରିଥିଲେ । ବାସ୍, ସକ୍ରୀୟ ହୋଇଥିଲେ ତେଲେଙ୍ଗାନା ପୋଲିସ ଓ ଶ୍ରମ ବିଭାଗ । ଇଟାଭାଟିକୁ ଯାଇ ୨୭ ଜଣ ଦାଦନକୁ ଉଦ୍ଧାର କରିଥିଲେ । କେବଳ ଉଦ୍ଧାର କରିନଥିଲେ, ନିଜ ଘରକୁ ଫେରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ବି କରିଥିଲେ ।
କିନ୍ତୁ ଏଠି ପହଞ୍ଚିବା ପରେ ଏମାନଙ୍କୁ ହତ୍ୟା ଧମକ ଦେଉଛି ସର୍ଦ୍ଦାର । ସୁରକ୍ଷା ପାଇଁ ପ୍ରଶାସନ ଆଗରେ ହାରିଗୁହାରି । କାମଧନ୍ଧା ଅଭାବରୁ ବେଆଇନ ଭାବରେ ଚାଲାଣ ହୋଇଥିଲେ । ଆଉ ଏବେ ତେଲେଙ୍ଗାନା ଅଧିକାରୀଙ୍କ ଦ୍ବାରା ଆଇନ ଅନୁଯାୟୀ ଉଦ୍ଧାର ହୋଇଛନ୍ତି । ଅବଶ୍ୟ ଜିଲ୍ଳା ପ୍ରଶାସନର ସାମାନ୍ୟ ଦୟା । ଶ୍ରମ ଅଧିକାରୀ ଆସି ଆଲୋଚନା କରିଛନ୍ତି । ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । କିନ୍ତୁ ପ୍ରତିଦିନ ଦାଦନ ନିର୍ଯ୍ୟାତନା ସାଧାରଣ ଘଟଣାର ହୋଇଯାଇଥିଲେ ବି, ସରକାର ଓ ପ୍ରଶାସନର ଟାକ୍ସଫୋର୍ସ ପ୍ରଭାବୀ ଜଣାପଡୁନାହିଁ ।
- Reported by:
- MANARANJAN JOSHI , Ghateswar Mishra