/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716182155.jpg)
Son missing in Bengaluru
ଦାଦନ ଯାଇଛି ଭେଣ୍ଡିଆ ପୁଅ । ଯାଇଛି ଯେ ଯାଇଛି, ଆଉ ଫେରିନି । ଗତ ଦୁଇମାସ ହେବ ପୁଅ ସହ ଟିକିଏ କଥା ନ ହୋଇ ଝୁରି ଝୁରି କାନ୍ଦୁଛି ମା’ । ବାପା ମଧ୍ୟ କିଛି କହିବା ଆଗରୁ କୋହ ସମ୍ଭାଳି ପାରୁନାହାନ୍ତି । କାରଣ ତାଙ୍କ ପୁଅ ଏବେ କେଉଁଠି ଅଛି କ’ଣ କରୁଛି ସେମାନଙ୍କୁ ଜଣାନାହିଁ ।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କୁମାରଟଙ୍କା ଗାଁର ବିଜୟ କୁମାର ମହାନ୍ତିଙ୍କ ପୁଅ ସୌମ୍ୟରଂଜନ ମହାନ୍ତି ଗତ ମାର୍ଚ୍ଚ ମାସରେ କାମ ପାଇଁ ବାଙ୍ଗାଲୋର ଯାଇଥିଲେ । ଏକ ଘରୋଇ କମ୍ପାନୀରେ ୪ରୁ ୫ଦିନ କାମ କରିବା ପରେ ଅନ୍ୟ ଏକ କମ୍ପାନୀରେ କାମ କରିବାକୁ ତାଙ୍କ ସାଙ୍ଗଙ୍କ ନିକଟକୁ ଯାଇଥିଲେ । ହେଲେ ତା’ ପରଠାରୁ ଆଉ ସୌମ୍ୟରଂଜନଙ୍କ ଖୋଜ ଖବର ନାହିଁ । ନିଖୋଜ ହେବାକୁ ୨ ମାସ ବିତିଲାଣି ପରିବାର ପକ୍ଷରୁ ବାଙ୍ଗାଲୋର ପୋଲିସ ଓ ଆଳି ଥାନାରେ ଆଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ ।
ଅଭିଯୋଗ ପରେ ବି ପୋଲିସର ନିଷ୍କ୍ରିୟତା ପରେ ପରିବାରରେ ଭାଳେଣି ପଡ଼ିଛି । ପୁଅର ଫେରିବା ବାଟକୁ ଅନାଇ ବସିଛି ପରିବାର । କାନ୍ଦି କାନ୍ଦି ବାପା-ମା’ ଓ କୁନି ଭଉଣୀ ଆଖିରୁ ଲୁହ ଶୁଖିଲାଣି । ନିଖୋଜ ପୁଅକୁ ଖୋଜିଆଣିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ସୌମ୍ୟରଞ୍ଜନଙ୍କ ବାପା-ମା’।
ରାଜ୍ୟ ସରକାର ବାରମ୍ବାର ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ରାଜ୍ୟରେ ଥମୁନି ଦାଦନ ଚାଲାଣ । ଯଦି ସରକାର କିମ୍ବା ପ୍ରଶାସନ ପକ୍ଷରୁ ସୌମ୍ୟରଂଜନଙ୍କୁ ତାଙ୍କ ଘରକୁ ଫେରାଇ ଆଣିବା ପାଇଁ କୌଣସି ପଦକ୍ଷେପ ନିଅନ୍ତେ ତେବେ ଏହି ବାପା-ମା’ କୋଳ ପୁଣି ଥରେ ପୂରି ଉଠନ୍ତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)