/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732636131.jpg)
Subhadra Scheme
ସୁଭଦ୍ରା ଯୋଜନାରେ ଆବେଦନର ଆସିଲା ଡେଡ୍ ଲାଇନ୍ । ଆସନ୍ତା ବର୍ଷ ମାର୍ଚ୍ଚ ୭ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଆବେଦନକାରୀ। ମାର୍ଚ୍ଚ ୮ରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା। ଆଜି ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥିସହ ଓଟିଭିରେ ଖବର ସାରଣ ପରେ ମାଲକାନଗିରି ବଣ୍ଡା ଘାଟି ଯାଇ ସରକାରୀ ଅଧିକାରୀ, ହିତାଧିକାରୀଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।
୭ ମାର୍ଚ୍ଚ ୨୦୨୫- 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷଦିନ । ମାର୍ଚ୍ଚ ୮ ମହିଳା ଦିବସରେ ମିଳିବ ଦ୍ବିତୀୟ କିସ୍ତି 'ସୁଭଦ୍ରା' ଟଙ୍କା । ତିନି ତିନିଟି ପର୍ଯ୍ୟାୟରେ ହିତାଧିକାରୀଙ୍କୁ ମିଳିିଲାଣି ସୁଭଦ୍ରା ପ୍ରଥମ କିସ୍ତି ଟଙ୍କା। ଏପରିକି ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଏବଂ ମାର୍ଚ୍ଚରୁ ଦ୍ୱିତୀୟ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା ବି କରିସାରିଲେଣି।
ହେଲେ ଏବେବି ବ୍ୟାଙ୍କ ଆଗରେ ଅସମ୍ଭାଳ ଭିଡ଼। ଗଜପତି ଜିଲ୍ଲା ମୋହନା ଷ୍ଟେଟ୍ ବ୍ୟାଙ୍କରେ ଲମ୍ବିଛି ଲମ୍ବା ଧାଡ଼ି । ଶୀତ କାକରରେ ସକାଳ ୭ରୁ ଲାଗୁଛି ଲାଇନ୍। ହାତରେ ଟୋକନ ଧରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଶହ ଶହ ମହିଳା। କାହାର KYC ଅପଡେଟ୍ ନାହିଁ ତ କାହାର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଓ ମୋବାଇଲ୍ ନମ୍ବର ଲିଙ୍କ୍ ହୋଇନି। ଫଳରେ ସୁଭଦ୍ରା ଟଙ୍କାରୁ ବଂଚିତ ହିତାଧିକାରୀଙ୍କ ଟେନସନ୍ ବଢିଲାଣି।
ବାଲେଶ୍ୱର ରେମୁଣା ବ୍ଲକ୍ ୧୧ ନମ୍ବର ୱାର୍ଡର ଗୀତା ବିଶ୍ୱାଳ ଓ ନିୟତି ଦତ୍ତଙ୍କ ଖାତାକୁ ବି ଏଯାଏଁ ସୁଭଦ୍ରା ଟଙ୍କା ଆସିନି। ସେମାନଙ୍କ କହିବା କଥା, ମାସେ ହେଲାଣି ଫର୍ମ ପୂରଣ କରିଛୁ, ଡକ୍ୟୁମେଣ୍ଟ ସବୁ ବି ଠିକ୍ ଅଛି ତଥାପି ପ୍ରଥମ କିସ୍ତି ପାଇବାରୁ କାହିଁକି ବଂଚିତ, ଜାଣିପାରୁନୁ।
ଏଭଳି ସ୍ଥିତିରେ ହିତାଧିକାରୀଙ୍କୁ ବ୍ୟାଙ୍କରେ ଅଯଥା ଭିଡ଼ ନଜମାଇବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଠିକରେ କାଗଜପତ୍ର ଯାଂଚ୍ କରି ଏବେ ରେଜିଷ୍ଟ୍ରେସନ କଲେ ବି ଫେବ୍ରୁଆରୀରେ ଟଙ୍କା ମିଳିବ। ଏପରିକି ଆସନ୍ତା ମାର୍ଚ୍ଚରେ ୨୧ ବର୍ଷ ହେଉଥିବା ଯୁବତୀ ବି ସୁଭଦ୍ରା ଯୋଜନାରେ ସାମିଲ ହେବେ। ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ୩ଟି ପର୍ଯ୍ୟାୟରେ ୮୦ ଲକ୍ଷ ୪୬ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି। ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।
ସେହିପରି ବଣ୍ଡା ଘାଟିରେ ସୁଭଦ୍ରା ଯୋଜନାରୁ ବାଦ୍ ପଡିଥିବା ଆଦିବାସୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ସମସ୍ୟା ଦୂର କରିବେ। ବଣ୍ଡା ଘାଟିର ୧୭୧୧ ମହିଳାଙ୍କ ମଧ୍ୟରୁ ଏଯାଏଁ ୫୭୨ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି। ବାକି ଥିବା ଅନ୍ୟମାନଙ୍କର ଫିଜିକାଲ୍ ଭେରିଫିକେସନ୍ କରି ସମସ୍ତଙ୍କୁ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଏପଟେ ସୁଭଦ୍ରା ଯୋଜନାରୁ ଅଯୋଗ୍ୟ ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ ସମାଧାନ ହୋଇସାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)