/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722065502.jpg)
Malkangiri Airport
ଏୟାରପୋର୍ଟରେ କୁକୁର, ରନୱେରେ ଗାଈ। ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ଏୟାରପୋର୍ଟ ଲବି ଭିତରେ ବୁଲୁଛି ଗାଈ, ବୁଲୁଛନ୍ତି କୁକୁର। ଉପାନ୍ତ, ଅପହଞ୍ଚ ମାଲକାନଗିରିରେ ବିମାନ ବନ୍ଦର ନିର୍ମାଣ କରିଥିଲେ ପୂର୍ବର ନବୀନ ସରକାର। ଆଉ ଉଦଘାଟନର ୭ ମାସ ପରେ ଏଭଳି ସ୍ଥିତି ଉପୁଜିଛି । ବିମାନ ବନ୍ଦର ନା କେଉଁ ପରିତ୍ୟକ୍ତ ପଡ଼ିଆ ତାହା ସନ୍ଦେହ ହେଉଛି । କାରଣ ଯେଉଁଠି ବିମାନ ବନ୍ଦର ଗେଟ୍ ଓ ମୁଖ୍ୟ ଲବି ରହିଛି ସେଠି ଏବେ ବୁଲା କୁକୁରଙ୍କ ଆଡ୍ଡା ସ୍ଥଳି ପାଲଟିଛି।
ଆଉ ଯେଉଁଠି ବିମାନ ଉଡ଼ାଣ ଓ ଅବତରଣ କରିବା କଥା, ସେହି ରନୱେରେ ଏବେ ଚରି ବୁଲୁଛନ୍ତି ଗାଈ ଗୋରୁ। ଦୁନିଆର ବୋଧେ ୟେ ପ୍ରଥମ ଏୟାରପୋର୍ଟ ହେବ ଯାହା ଉଦଘାଟନର ମାସ କେଇଟାରେ ଏମିତି ଅବସ୍ଥା ହେଇଥିବ। ବିମାନ ବନ୍ଦରର ଦୁରବସ୍ଥାର ଦୃଶ୍ୟ ଏତିକିରେ ସରିନି। ବିମାନ ବନ୍ଦରର କାନ୍ଥ ଭୁଶୁଡ଼ି ପଡ଼ିଛି, ଏୟାରପୋର୍ଟରୁ ରନୱେକୁ ଯେଉଁ ରାସ୍ତା ସଂଯୋଗ ହୋଇଛି ତାହା ଧୋଇ ଯାଇଛି। ଏଥିରୁ ସ୍ପଷ୍ଟ ବାରି ହେଉଛି, କେତେ ଉନ୍ନତମାନର କେତେ ଉଚ୍ଚକୋଟିର କାମ ହେଇଥିଲା ମାଲକାନଗିରି ବିମାନ ବନ୍ଦର ନିର୍ମାଣରେ ।
୯ ଜାନୁଆରୀ ୨୦୨୪ରେ ତରବରିଆ ଭାବେ ମାଲକାନଗିରି ବିମାନ ବନ୍ଦରର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଶା ଦେଖାଇଥିଲେ, ଉପାନ୍ତରେ ବିମାନ ଉଡ଼ିବ। ନିର୍ବାଚକୁ ଦୃଷ୍ଟିରେ ରଖି ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ, ଉପାନ୍ତ ଲୋକଙ୍କୁ କଥା ଦେଇଥିଲେ । ହେଲେ ବିମାନ ବନ୍ଦରର ୭ ମାସ ପରେ ଏମିତି ଅବସ୍ଥା।
ଉଦଘାଟନ ଦିନ ଅର୍ଥାତ ୫ ଜାନୁଆରୀରେ ଭୁବନେଶ୍ବରରୁ ବିମାନଟେ ଉଡ଼ିଥିଲା। ଏହାପରେ ଥରେ ଦି ଥର ନିର୍ବାଚନ ବେଳେ ବିମାନ ଓହ୍ଲାଇବାର ସୌଭାଗ୍ୟ ଅର୍ଜିଥିଲା ମାଲକାନଗିରି ବିମାନ ବନ୍ଦର। ତା ପରେ ମାଲକାନଗିରି ବିମାନ ବନ୍ଦରର ସ୍ଥିତି ନକହିବା ଭଲ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନଥିବା ବେଳେ
ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ସ୍ଥିତି ଯାଞ୍ଚ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)