• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜେ ଜୀବନ ଖୋଜୁଛି, ଓଡ଼ିଶାର ଜୀବନ ରେଖା 'ମହାନଦୀ'। ବିଷାକ୍ତ ହେବାରେ ଲାଗିଛି ରାଜ୍ୟର ପଶ୍ଚିମରୁ ପୂର୍ବକୁ ଲମ୍ବିଥିବା ଏହି ମହାଧମନୀ। ଚାରିଆଡ଼େ ଖାଲି ପ୍ରଦୂଷଣ... ପ୍ରଦୂଷଣ... ଆଉ ପ୍ରଦୂଷଣ ।

ଇଏ ସମ୍ବଲପୁରର ଚିତ୍ର। ଜଳଜଳ ଦିଶୁଛି ମହାନଦୀ ଜଳର ଦୁଃସ୍ଥିତି। ଗତ ଫେବୃଆରୀରେ ସମ୍ବଲପୁରର ୪ଟି ସ୍ଥାନରୁ ମହାନଦୀ ଜଳ ନମୁନା ପରୀକ୍ଷା କରି, ଏହାକୁ 'ସି' ଶ୍ରେଣୀଭୁକ୍ତ ଦର୍ଶାଇଥିଲା ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ। ଅର୍ଥାତ୍ ଏହା ବ୍ୟବହାର ଅନୁପଯୋଗୀ ଏବଂ ଏଥିରେ ରହିଛି ଜଣ୍ଡିସ ସୃଷ୍ଟିକାରୀ ବ୍ୟାକ୍ଟେରିଆ। 

ପିଇବା ତ ଦୂରର କଥା, ଗାଧୁଆ ଯୋଗ୍ୟ ବି ନୁହେଁ। ହେଲେ ବାସ୍ତବ ସ୍ଥିତିକୁ ଦେଖିଲେ, ସଚେତନତା ଅଭାବରୁ ଏବେବି ଲୋକେ ନଈରେ ଗାଧୋଉଛନ୍ତି, ବାଲଟିରେ ପାଣି ବି ନେଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା- ବାଲିବନ୍ଧା, ବୀଣାଖଣ୍ଡୀ ଓ ସଡ଼କଘାଟ ଠାରେ ମହାନଦୀରେ ସିଧାସଳଖ ମିଶୁଛି ଆବର୍ଜନା ପାଣି। ହୀରାକୁଦ ଡ୍ୟାମରେ ମିଶୁଛି ଶିଳ୍ପାନୁଷ୍ଠାନର ପ୍ରଦୁଷିତ ଜଳ। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ନଦୀଧାର ସଂକୁଚିତ ହେବା ସହ ପ୍ରଦୁଷଣ ସ୍ଥିତି ଆହୁରି ସଂଗୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଖାଲି ସମ୍ବଲପୁର କାହିଁକି, ବୌଦ୍ଧର ଚିତ୍ର ବି କିଛି କମ୍ ବିକଳ ନୁହେଁ। ନଦୀ କୂଳରେ କୁଢ଼ କୁଢ଼ ଆବର୍ଜନା... ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ପ୍ଲାଷ୍ଟିକ ଓ ଅନ୍ୟ ବର୍ଜ୍ୟବସ୍ତୁ ମହାନଦୀ ପ୍ରତି ବିପଦ ସୃଷ୍ଟି କରିଛି। ବୌଦ୍ଧ ସହରର ନର୍ଦ୍ଦମା ପାଣି ନଦୀକୁ ନିଷ୍କାସନ ହେବା ଫଳରେ, ପ୍ରଦୂଷଣର ମାତ୍ରା ଗମ୍ଭୀର ହେବାରେ ଲାଗିଥିବା ଅଭିଯୋଗ ହୋଇଛି। ମାଛ ଓ ଚିଙ୍ଗୁଡ଼ି ମାରିବା ପାଇଁ ମହାନଦୀରେ ନିୟମିତ ବ୍ଲାଷ୍ଟିଂ ଓ କୀଟନାଶକ ବ୍ୟବହାର ଫଳରେ, ବହୁ ପ୍ରଜାତିର ମାଛ ଲୋପ ପାଇବାକୁ ବସିଲେଣି । ତେବେ ଲୋକଙ୍କ ଅଭିଯୋଗକୁ ନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

 

  • Reported by:
  • SANJAY JENA