• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖରା ତାତିକୁ ବଳି ଯାଉଛି ଜଳ କଷ୍ଟ । ପାଣି ପାଇଁ ତାତିଲେ ଲୋକେ । ରାଜରାସ୍ତାକୁ ଓହ୍ଲାଇଲେ । ଗରା ବାଲଟି ଧରି ରାସ୍ତାରୋକ କଲେ ମହିଳା । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଉଁଶବାଟି ଗାଁ ଲୋକ ଫତେଗଡରୁ କଣ୍ଟିଲୋ ଯାଇଥିବା ୪୮ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଅଭିଯୋଗ କରିଛନ୍ତି, ମାସେ ହେବ ଗାଁରେ ପିଇବା ପାଣିର ଅଭାବ ଦେଖା ଦେଇଛି ।

ଜଳ ଯୋଗାଣ ପାଇଁ ଗାଁ ମୁଣ୍ଡରେ ନିର୍ମାଣ ହୋଇଥିବା ହାଇଲେଭଲ୍ ପାଣି ଟାଙ୍କି ବି ଅଚଳ । ପାଇପ ଯୋଗେ ପାଣି ଆସୁନାହିଁ । ବହୁ ଅସୁବିଧା ଭୋଗୁଛନ୍ତି ଲୋକ । ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ଶେଷରେ ସେମାନେ ରାଜରାସ୍ତାରୁ ଓହ୍ଲାଇଲେ । ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଲୋକଙ୍କ ଅଭିଯୋଗ ଉପରେ ପ୍ରଶାସନିକ ଅଧିକାରୀଙ୍କ  ପ୍ରତିକ୍ରିୟା ମିଳିନାହିଁ ।

ସେପଟେ ଗ୍ରୀଷ୍ମ ତାତି ସାଙ୍ଗକୁ ଜଳ କଷ୍ଟ । ଏବେ ନିର୍ବାଚନ ବେଳେ ଲୋକଙ୍କ ପାଣି ସମସ୍ୟା ବଡ଼ ମୁଦ୍ଦା ପାଲଟିଛି । ବାଲେଶ୍ୱର ସଦର ବ୍ଲକ ମିରିଗୀମୁଣ୍ଡି ଗାଁର ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ସରକାରଙ୍କ ପ୍ରତି ଆକ୍ରୋଶର ଚିତ୍ର ଦେଖିବାକୁ ମିଳିଛି । ରାସ୍ତାକୁ ଓହ୍ଲାଇଛନ୍ତି ଗାଁର ଶତାଧିକ ମହିଳା । ଆଉ ବିଧାୟକଙ୍କ ଉପରେ ବର୍ଷିଛନ୍ତି ।

ମିରିଗିମୁଣ୍ଡି ଗାଁର ଜନସଂଖ୍ୟା ୨ ହଜାରରୁ ଅଧିକ । ପ୍ରତ୍ୟେକ ଘରର ଏଭଳି ସମସ୍ୟା ଉପୁଜୁଥିବା ବେଳେ ନେତାଙ୍କୁ ନିଶାନା କରିଛନ୍ତି ଭୋଟର । ତିନି ବର୍ଷ ପୂର୍ବରୁ ୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପାଣି ଟାଙ୍କି ସହ ଘରକୁ ଘର ବିଛା ଯାଇଥିବା ପାଇପ୍ ଏଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଏଥର ନିର୍ବାଚନରେ ଗାଁର ୧୬ ଶହ ଭୋଟର ସେମାନଙ୍କ ନିଷ୍ପତ୍ତି ବଦଳାଇ ପାରନ୍ତି । ଉଭୟ ରାଜ୍ୟ ସରକାର ଓ ବିଧାୟକଙ୍କ ଉପରେ ବର୍ଷିବା ସହ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ଗ୍ରାମବାସୀ । ଏନେଇ ସଦର ବିଧାୟକ ସ୍ୱରୂପ ଦାସ କହିଛନ୍ତି ଖରା ଦିନ ପାଇଁ ଜଳ ସମସ୍ୟା ସବୁଠି ଦେଖା ଦେଇଛି । ସମସ୍ୟାର ସମାଧାନ ପାଇଁ ଧୀରେ ଧୀରେ ପଦକ୍ଷେପ ନିଆ ଯାଉଛି ।

ସେପଟେ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ଏଣୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାଲେଶ୍ୱର ଖଇରାର କଇଁଗଢିଆ ଗ୍ରାମବାସୀ । ଗାଁରେ ଦୀର୍ଘ ଦିନ ହେବ ରାସ୍ତା ସମସ୍ୟା ରହିଛି । କିନ୍ତୁ ଏହାର କୌଣସି ସମାଧାନ ହୋଇପାରୁନାହିଁ । ପୂର୍ବରୁ ନେତା ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ନେଇଥିଲେ । ହେଲେ ପରେ ନେତାଙ୍କ ଦେଖା ମିଳୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now