/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718428592.jpg)
Quait Firemishap
ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର । ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡାଙ୍କ ସମେତ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ପ୍ରଶାସନିକ ଅଧିକାରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ମୃତକଙ୍କ ପରିବାର ଲୋକ ବି ପହଞ୍ଚିଥିଲେ ଏୟାରପୋର୍ଟରେ। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମମାଟିକୁ ନିଆଯାଇଛି । ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ । ସେହିପରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁରେ ମୃତ ସନ୍ତୋଷ ଗୌଡଙ୍କ ଘର । ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଅକାଳ ବିୟୋଗରେ ଭାଙ୍ଗିପଡ଼ିଛି ପୁରା ପରିବାର । ସନ୍ତୋଷ ଗୌଡ଼ ଦୁଇ ବର୍ଷ ପୂର୍ବେ କୁଏତ ଯାଇଥିଲେ । ଗତ ମାର୍ଚ୍ଚ ମାସରେ ତାଙ୍କର ବାପାଙ୍କ ହାର୍ଟ ଅପରେସନ ପାଇଁ ନିଜ ଘରକୁ ଆସିଥିଲେ। ଏପ୍ରିଲ ମାସରେ ପୁଣି କୁଏତ ଫେରିଯାଇଥିଲେ।
ବୁଧବାର ଭୋର ସମୟର କଥା । ମସଜିଦରେ ନମାଜ ପାଠପରେ ସେହି ଅଭିଶପ୍ତ କୋଠାର ୫ ମହଲାରେ ଥିବା ନିଜ ରୁମକୁ ଫେରୁଥିଲେ । ଠିକ୍ ସେହି ସମୟରେ ଲାଗି ଯାଇଥିଲା ନିଆଁ । ଏହାଦେଖି ରୁମରେ ଶୋଇଥିବା ଅନ୍ୟ ସାଥୀଙ୍କୁ ଜହୁର ନିଦରୁ ଉଠାଇବାକୁ ଚେଷ୍ଟା କରିଥିଲେ । ତେବେ କେଇ ଜଣ ୬ ମହଲା ଉପରକୁ ଦୌଡ଼ିଯାଇ ଜୀବନ ବଞ୍ଚାଇଥିଲେ ସତ, କିନ୍ତୁ ପ୍ରବଳ ଧୂଆଁରେ ରୁନ୍ଧି ହୋଇ ଜହୁର ଜୀବନ ହରାଇଥିବା ପରିବାର ଲୋକେ କହିଛନ୍ତି । ଭୟାବହ ନିଆଁରେ ଜଳିପୋଡ଼ି ଯାଇଛି ସେଇ ୬ ମହଲା ଅଭିଶପ୍ତ କୋଠା । କାନ୍ଥରେ ଥିବା ଧୂଆଁ ଓ ନିଆଁର କଳାଦାଗ ବଖାଣୁଛି ସେଦିନର ବିଭୀଷିକା ।
କୋଠାରେ ଖୁନ୍ଦାଖୁନ୍ଦି ହୋଇ ରହୁଥିଲେ ପ୍ରାୟ ୨ ଶହ ଶ୍ରମିକ । ଯେଉଁଠି ନିଆଁ ଲିଭାଉ ଲିଭାଉ କେଇ ଘଣ୍ଟା ଭିତରେ ଚାଲିଗଲା ୪୫ ଭାରତୀୟଙ୍କ ସହ ୪୯ ଅମୂଲ୍ୟ ଜୀବନ । ମୃତ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ କେରଳର । ତେଣୁ ସମସ୍ତ ଭାରତୀୟଙ୍କ ମୃତଦେହକୁ ଧରି କୋଚିନ୍ ବିମାନବନ୍ଦରରେ ପହଞ୍ଚିଥିଲା ବାୟୁସେନାର ସ୍ୱତନ୍ତ୍ର ବିମାନ C-130J ।
ସେଠାରେ ମୃତକଙ୍କୁ କେରଳ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଅନ୍ୟ ମୃତଦେହ ଗୁଡ଼ିକୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି । ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ନଚେତ ଡିଏନଏ ଟେଷ୍ଟ କରିବାକୁ ପଡ଼ିବ । ଏହି ଅଘଟଣକୁ ନେଇ ଶୋକବ୍ୟକ୍ତ କରି ବୁଧବାର ବୈଦେଶିକ ମନ୍ତ୍ରାଳୟ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ।
ତା’ସହ ମୃତକଙ୍କ ପରିବାରକୁ ପିଏମ୍ ରିଲିଫ ଫଣ୍ଡରୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଦେବାକୁ ମୋଦି ଘୋଷଣା କରିଥିଲେ । ଏପଟେ ୨ ଓଡ଼ିଆଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)