ଭୁବନେଶ୍ବରରେ ଆରମ୍ଭ ହୋଇଛି ପୋଲିସ୍ ଡିଜି ସମ୍ମିଳନୀ। ଲୋକସେବା ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏହି ସର୍ବଭାରତୀୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ପ୍ରଥମଥର ପାଇଁ ରାଜ୍ୟରେ ଆୟୋଜିତ ଏ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ତିନିଦିନ ଧରି ଦେଶ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ ଚାଲିବ। ସମ୍ମିଳନୀରେ NSA ଅଜିତ ଡୋଭାଲଙ୍କ ସହ ସବୁ ରାଜ୍ୟର ପୋଲିସ ମୁଖିଆ ଯୋଗ ଦେଇଥିଲା ବେଳେ କାଲିଠୁ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ ଭୁବନେଶ୍ବର ଉପରେ ସାରା ଦେଶର ନଜର।
ଫୋକସରେ ଓଡ଼ିଶା, ଫୋକସରେ ଭୁବନେଶ୍ବର । ରାଜ୍ୟ ରାଜଧାନୀରେ ପୋଲିସ ମହାନିର୍ଦ୍ଦେଶକଙ୍କ ମହାମେଳି । ଲୋକସେବା ଭବନରେ ଦେଶ ସୁରକ୍ଷା ସଂପର୍କିତ ମହାମନ୍ଥନ ପ୍ରଥମେ ନ୍ୟାସନାଲ୍ ସିକ୍ୟୁରିଟି ଆଡ୍ଭାଇଜର ଅଜିତ୍ ଡୋଭାଲ୍ । ଆଉ ପରେ ସ୍ବତନ୍ତ୍ର ବିମାନରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆଗମନ। ଲୋକସେବା ଭବନରେ ପ୍ରବେଶ ପରେ ଅପରାହ୍ଣ ପ୍ରାୟ ଦୁଇଟାରୁ ଆରମ୍ଭ ହୋଇଯାଇଛି 59ତମ ସର୍ବଭାରତୀୟ ପୋଲିସ୍ ଡିଜି ଓ ଆଇଜି ସମ୍ମିଳନୀ। ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ଏ ସର୍ବଭାରତୀୟ ସମ୍ମିଳନୀରେ ସବୁ ରାଜ୍ୟର ଡିଜିପି, ଆଇଜିପିଙ୍କ ସହ ଗୃହ ସଚିବ, ଗୃହ ମନ୍ତ୍ରାଳୟର ତମାମ୍ ବରିଷ୍ଠ ଅଧିକାରୀ, ଗୋଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ସମସ୍ତ ତୁଙ୍ଗ ଅଫିସର ଉପସ୍ଥିତ ଅଛନ୍ତି।
Also Read
ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?
୧ ତାରିଖ ଯାଏଁ ଚାଲିବାକୁ ଥିବା ଏ ସମ୍ମିଳନୀରେ ଆସନ୍ତାକାଲିଠୁ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ବିଭିନ୍ନ ଜଟିଳ ଜାତୀୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ସଂପର୍କିତ ବିଷୟରେ ଆଜିଠୁ ହିଁ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ। ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ଶରଣାର୍ଥୀ ସମସ୍ୟାର ସମାଧାନ, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ବିଷୟ ଉପରେ ଚାଲିବ ମାନସ ମନ୍ଥନ। ବିଶେଷ କରି ସମୟ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେବ। ବଡ କଥା ହେଉଛି ଏଥର ଏସବୁ ଉପରେ ଟପିକ୍ ୱାରି ପ୍ରେଜେଣ୍ଟେସନ୍ ପାଇଁ 12ଟି ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏସବୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନାର କାର୍ଯ୍ୟକ୍ରମ ରହିଛି।
ପ୍ରଥମ ଥର ପାଇଁ ଓଡ଼ିଶାରେ ହେଉଥିବା ଏ ସମ୍ମିଳନୀ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। କାରଣ ନୂଆ ପ୍ରକ୍ରିୟାରେ ହେଉଥିବା ଡିଜିପି ସମ୍ମିଳନୀରେ ଏଥର ବରିଷ୍ଠ ପୋଲିସ୍ ଅଧିକାରୀ ଓ ସୁରକ୍ଷା ପ୍ରଶାସକଙ୍କ ମଧ୍ୟରେ ମୁକ୍ତ , ଅନୌପଚାରିକ ଆଲୋଚନାକୁ ଗୁରୁତ୍ବ ଦିଆଯାଇଛି। ଯାହାର ଉଦ୍ଦେଶ୍ୟ ଦେଉଛି ସୁରକ୍ଷା ସଂପର୍କିତ ନୂଆ ଚିନ୍ତାଧାରା ଓ ବିଚାରକୁ ସାମ୍ନାକୁ ଆଣିବା। ଯୋଗ ସେସନରୁ ପ୍ରତିଦିନର କାର୍ଯ୍ୟକ୍ରମ ଆରମ୍ଭ କରି ବିଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର ଅଭିନବ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ। ଯାହାଦ୍ବାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇପାରିବେ।
୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଇଂରେଜ ଅମଳରୁ ଚାଲିଆସିଥିବା ପରମ୍ପରା ଭାଙ୍ଗି ପ୍ରଥମଥର ପାଇଁ ରାଜଧାନୀ ଦିଲ୍ଲୀ ବାହାରକୁ ଆସିଥିଲା ଡିଜିପି ସମ୍ମିଳନୀ।ପ୍ରତିବର୍ଷ ବିଭିନ୍ନ ରାଜ୍ୟରେ ସମ୍ମିଳନୀ ଆୟୋଜନର ନିଷ୍ପତ୍ତି ଅନୁଯାୟୀ 2014ରେ ଆସାମର ଗୌହାଟୀ, ଗତଥର ରାଜସ୍ଥାନର ଜୟପୁର ଆଉ ଏଥର ଭୁବନେଶ୍ବର। ଡିଜିପି ସମ୍ମିଳନୀ ଅବସରରେ କି ମନ୍ତ୍ର ଦେଉଛନ୍ତି ପ୍ରଧାନମନ୍ତ୍ରୀ ଏବେ ତା ଉପରେ ନଜର।