• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୮ ବର୍ଷ ହେଲାଣି ଭକ୍ତ-ଭଗବାନଙ୍କ ମଧ୍ୟରେ ହୋଇପାରୁନି ମିଳନ । ଭକ୍ତ ଆସୁଛି, ମନ୍ଦିର ଦୁଆରୁ ମୁଣ୍ଡିଆ ମାରି, ଅଛଡ଼ା ନଡ଼ିଆଟିଏ ଠାକୁରଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ଭଗ୍ନ ମନରେ ଫେରିଯାଉଛି । ଅନ୍ୟ ଉପାୟ ନ ପାଇ ୫୦ ଫୁଟ୍ ଦୂରରୁ ଲୁହା ଗ୍ରୀଲ୍ ଫାଙ୍କରୁ ଶ୍ରଦ୍ଧାଳୁ କରୁଛନ୍ତି ଦିଅଁ ଦର୍ଶନ ।

୧୮ ବର୍ଷ ହେଲାଣି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡ଼ିଛି ବାଡ଼ । ମନ୍ଦିରକୁ ପ୍ରବେଶ ବାରଣ । ୫୦ ଫୁଟ୍ ଦୂରରୁ ଲୁହା ଗ୍ରୀଲ୍ ଫାଙ୍କରୁ ଶ୍ରଦ୍ଧାଳୁ କରୁଛନ୍ତି ଦିଅଁ ଦର୍ଶନ । କେବେ ଠାକୁରଙ୍କ ପାଖକୁ ଯାଇ ମିଳିବ ସାନିଧ୍ୟ, କାହା ପାଖେ ନାହିଁ ଉତ୍ତର । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରର କଥା । ଯେଉଁଠି ଗତ ୨୦୦୬ ମସିହାରୁ ଭକ୍ତଙ୍କ ପାଇଁ ପଡ଼ିଛି ବାଡ଼ । ବାହାରୁ ଥାଇ ମୁଣ୍ଡିଆଟିଏ ମାରି ଭଗ୍ନ ମନରେ ଫେରୁଛି ଭକ୍ତ । ଦିନ ଥିଲା ଏଠି ଗହଳିରେ ଫାଟି ପଡୁଥିଲା, ଏବେ ପରିବେଶ ଖାଁ ଖାଁ । ଭୋଗ ବୋଲି ଠାକୁରଙ୍କୁ କିଛି ଦେଇ ହେବନି । କେବଳ ଅଛଡ଼ା ନଡିଆ ହିଁ ଏଇ ଫାଟକ ପାଖରୁ ପୂଜକଙ୍କ ହାତରେ ଦିଅଁଙ୍କ ପାଇଁ ପଠାଇ ହେବ ।

କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ କ’ଣ ପାଇଁ ଏ ସ୍ଥିତି ? କେଉଁ କାରଣରୁ ଭକ୍ତ-ଭଗବାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଏତେବଡ଼ ଅନ୍ତରାୟ ? ସୂଚନା ଅନୁସାରେ- ୧୮ବର୍ଷ ତଳେ ଅର୍ଥାତ୍ ୨୦୦୬ ମସିହା କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ମନ୍ଦିର ଭିତରେ ଠାକୁର ଦର୍ଶନକୁ ନେଇ ସ୍ଥାନୀୟ ଅଞ୍ଚଳର ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ଯାହା ଉଗ୍ର ରୂପ ନେଲା, ପ୍ରଶାସନ ବି ହାର ମାନିଲା । ଠାକୁର ୧୦ ଦିନ ଧରି ଉପାସରେ ରହିଲେ, ବିଧାନସଭାରୁ ଲୋକସଭା ଯାଏଁ କଥା ଉଠିଲା, ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କଲେ । ଏମିତିକି ହାଇକୋର୍ଟ ୨୦୦୬ ଡିସେମ୍ବରରେ ସବୁ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତି ବିଶେଷ ଏଠି ଠାକୁରଙ୍କୁ ଦର୍ଶନ କରିପାରିବେ ଓ ଶୀଘ୍ର ବିବାଦର ସମାଧାନ ପାଇଁ ସ୍ଥାନୀୟ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ଜିଲ୍ଲାପାଳ ଉଭୟ ପକ୍ଷଙ୍କୁ ଡକାଇ ଆଲୋଚନା କରିଥିଲେ ବି ସମାଧାନର ବାଟ ନ ବାହାରିବାରୁ ଶେଷରେ ଦର୍ଶନ କଟକଣା ଲଗାଇଥିଲେ । ପୂର୍ବରୁ ଯେଉଁ ୯ କଣା ବାଟରେ ଅସବର୍ଣ୍ଣମାନେ ଠାକୁର ଦର୍ଶନ କରୁଥିଲେ, ସେ ପ୍ରାଚୀର ଭାଙ୍ଗି ୩୨ କଣା ବିଶିଷ୍ଟ ଲୁହା ଗେଟ୍ ଲଗାଇଲେ ଓ ଭୋଗ ପାଇଁ ଆସୁଥିବା ପିଠା ପଣା ଓ ଫଳ ମୂଳ ଉପରେ ବି ରୋକ୍ ଲାଗିଲା । କେବଳ ଅଛଡା ନଡ଼ିଆ ହିଁ ଠାକୁରଙ୍କୁ ଅର୍ପଣ କରିବାକୁ ନିଷ୍ପତ୍ତି ନିଆଗଲା । ଯାହାକି ଆଜିଯାଏଁ ଚାଲିଛି । ଏଣେ ଦର୍ଶନ କଟକଣାକୁ ନେଇ ସ୍ଥାନୀୟ ତହସିଲଦାର କହିଛନ୍ତି- ଶାନ୍ତି ଫେରିଲାଣି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ ।

ଦୀର୍ଘ ୧୮ ବର୍ଷ ହେଲାଣି, କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ଭକ୍ତଙ୍କ ପାଇଁ ବାରଣ ଥିବାବେଳେ କେବଳ ରଥଯାତ୍ରା ଆସିଲେ ହିଁ ସେମାନଙ୍କୁ ଠାକୁର ଦର୍ଶନର ସୁଯୋଗ ମିଳିଥାଏ ।

  • Reported by:
  • PRABIR KUMAR NAYAK

OTV is now on Whatsapp

Join and get latest news update delivered to you via whatsapp

Join Now