କିଟ୍ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ୍ । କିଟ୍ ବିଶ୍ୱବିଦ୍ୟାଳୟର ୩ ଜଣ ବରିଷ୍ଠ ଅଧିକାରୀ ତଥା କିଟ୍ର Director of Students affairs, DG International Relations, Director Administrative ଓ କିଟ୍ର ୩ ଜଣ ଛାତ୍ରଙ୍କୁ ପଚରାଉଚରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Also Read
ଅଧିକ ପଢ଼ନ୍ତୁ: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା
କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ । ଜାତୀୟ ମାନବାଧିକାର କମିଶନଙ୍କ ଲ' ରେଜିଷ୍ଟ୍ରାର ଯୋଗିନ୍ଦର ସିଂଙ୍କ ନେତୃତ୍ବରେ ଏକ ଟିମ୍ କିଟ୍ କ୍ୟାମ୍ପସରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ତନାଘନା ।
ମିଳିଥିବା ସୂଚନା ଅନୁସାରେ ଟିମ୍ ପ୍ରଥମେ କିଟ୍ର ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସର-IROଙ୍କୁ ପଚରାଉଚରା କରିଥିଲା । ମୃତ ନେପାଳୀ ଛାତ୍ରୀ ଜଣଙ୍କ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅଦ୍ବିକ ଶ୍ରୀବାସ୍ତବଙ୍କ ଦ୍ବାରା ନିର୍ଯାତିତ ହୋଇ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ବି କାହିଁକି ତାଙ୍କ ଅଭିଯୋଗକୁ ଅଣଦେଖା କରାଯାଇଥିଲା ? କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ IROଙ୍କୁ ସେନେଇ ପଚରା ଉଚରା ହୋଇଥିଲା । ସେପଟେ ଗତକାଲି ପରେ ଆଜି ମଧ୍ୟ ରାଜ୍ୟ ଅତିଥି ଭବନରେ କିଟ୍ର ୨ ମହିଳା କର୍ମଚାରୀଙ୍କୁ ଜେରା କରାଯାଇଛି । କିଟ୍ ଛାତ୍ରୀ ମୃତ୍ୟୁ ମାମଲାରେ ଘନଘନ ଜେରା କରୁଛି NHRC । ମାମଲାରେ ଆଇଓ ମଧ୍ୟ ହାଜର ହୋଇ ତଥ୍ୟ ରଖିଥିବା ସୂଚନା ମିଳିଛି ।
ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ତଥା ଭାରତର ଛବିକୁ ମଳିନ କରିଥିବା କିଟ୍ କାଣ୍ଡକୁ ୟା ଭିତରେ ପାଖାପାଖି ୨୦ ଦିନ ବିତିଗଲାଣି । କେବଳ ତଦନ୍ତ ପରେ ତଦନ୍ତ ଚାଲିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଘଟଣାସ୍ଥଳକୁ ଯାଇ ତଦନ୍ତ କଲେ। ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଏକାଧିକ କିଟ୍ କର୍ମଚାରୀଙ୍କ ବୟାନ ବି ରେକର୍ଡ ହେଲା । ହେଲେ କାର୍ଯ୍ୟାନୁଷ୍ଠାନ କ’ଣ ହେଲା, କିଟରୁ ବିଦା ହୋଇଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେଜଣ ଫେରିଲେଣି, ସେନେଇ କିଛି ବି ସ୍ପଷ୍ଟ ସୂଚନା ନାହିଁ । ଏଭଳି ସ୍ଥିତିରେ ଜାତୀୟ ମାନବାଧିକାର କମିଶନଙ୍କ ଏ ତଦନ୍ତରୁ କି ସୁଫଳ ମିଳୁଛି, ଏବେ ତା ଉପରେ ନଜର ।