ମଣିଷ ତିଆରି ନାଁରେ କିଟ୍ ନେଉଛି ମଣିଷ ମୁଣ୍ଡ । ଭବିଷ୍ୟତ ଗଢ଼ୁଛି ହେଲେ ତିଳତିଳ କରି ପିଲାଙ୍କୁ ମାରୁଛି । ହତ୍ୟା ହେଉ କି ଆତ୍ମହତ୍ୟା । ସବୁ ସତର ମୁକସାଖୀ ପାଲଟୁଛି ଏହି ବିରାଟ ବିରାଟ ବିଲ୍ଡିଂ । ୨୦୨୧ରୁ ୨୦୨୫ ମଧ୍ୟରେ ଗଲାଣି ଚାରି ଚାରି ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ୪ ବର୍ଷ ଭିତରେ କାହାର ଛାତରୁ ପଡ଼ି ମୃତ୍ୟୁ ହୋଇଛି ତ ପୁଣି କିଏ ଝୁଲି ପଡ଼ିଛି । ଏମିତିକି ଗାଡ଼ି ଚକା ତଳୁ ବର୍ତ୍ତିନାହାନ୍ତି କିଟ୍ ଛାତ୍ରୀ । ହେଲେ ଏସବୁ ମୃତ୍ୟୁର ତଦନ୍ତ ଯେମିତି ଅଧା ବାଟରେ ଅଟକିଛି । ନାଁ ତଦନ୍ତ ଆଗଉଛି, ନା ମାମଲା ଉପରୁ ପରଦା ହଟୁଛି ।
Also Read
ଅଧିକ ପଢ଼ନ୍ତୁ: କିଟ୍ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ କଳା ସାମ୍ରାଜ୍ୟ
୨୦୨୧ ମାର୍ଚ୍ଚ ୧୫ରେ ସୁରଜ ଚୌରାସିଆ ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ମଧ୍ୟପ୍ରଦେଶରେ ତାଙ୍କ ଘର । ୧୯ ବର୍ଷୀୟ ବି.ଟେକ୍ ଛାତ୍ର ସୁରଜଙ୍କ ମୃତଦେହ ହଷ୍ଟେଲ ଭିତରୁ ଉଦ୍ଧାର କରାଯାଇଥିଲା । ପରେ ଜଣାପଡ଼ିଥିଲା ସୁରଜ ଡିପ୍ରେସନରେ ରହୁଥିଲେ ତେଣୁ ସେ ଜୀବନ ହାରିଥାଇପାରନ୍ତି । ସେହିଭଳି ସେହି ବର୍ଷ ୨୦୨୧ ନଭେମ୍ବର ୭ରେ ଅନନ୍ୟା ଶର୍ମା ନାମକ ଜଣେ ଛାତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ୨୦ ବର୍ଷୀୟ ଅନନ୍ୟା କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ କରୁଥିଲେ । ତାଙ୍କୁ ହସ୍ପିଟାରେ ଭର୍ତ୍ତି କରିଥିଲେ ମଧ୍ୟ ସେ ଆଖି ବୁଜିଥିଲେ ।
ପୁଣି ୨୦୨୨ ନଭେମ୍ବର ୧୬ ତାରିଖରେ ରକ୍ତରେ ଭିଜିଥିଲା କିଟ୍ କ୍ୟାମ୍ପସ । ସେଦିନ ଠିକ୍ ରାତି ୧୧ଟାରେ ହଷ୍ଟେଲ କୋଠାର ୫ମ ମହଲାରୁ ପଡ଼ି ପ୍ରଥମ ବର୍ଷର ଜଣେ ବି.ଟେକ୍ ଛାତ୍ରଙ୍କ ଜୀବନ ଯାଇଥିଲା । ତାଙ୍କ ନାଁ ଥିଲା ସୁରଜ କୁମାର । ଆଉ ଘର ବିହାରର ମୁଜାଫରପୁରରେ । ସେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ କରି ବାପା-ମା’ଙ୍କ ସ୍ୱପ୍ନ ପୂରଣ କରିବାକୁ ଭାବିଥିଲେ । ହେଲେ ନିମିଷକେ ସବୁ କିଛି ତାଙ୍କ ପରିବାରର ଶେଷ ହୋଇଗଲା ।
ଆଉ ୨୦୨୫ ଫେବ୍ରୁଆରୀ ୧୬ ତାରିଖରେ ପୁଣି ଘଟିଛି ଛାତିଥରା ଘଟଣା । ହଷ୍ଟେଲର ରୁମ୍ ନମ୍ବର 4A-125ରେ ଝୁଲି ପଡ଼ିଛନ୍ତି ବିଟେକ୍ ଛାତ୍ରୀ । ତାଙ୍କ ନାଁ ପ୍ରକୃତି ଲାମସାଲ ଓ ଘର ନେପାଳରେ । ପୂର୍ବରୁ ତିନି ତିନି ଜଣ ଛାତ୍ରଙ୍କ ମୃତ୍ୟୁର ତଦନ୍ତ ହୋଇନଥିବା ବେଳେ ଏବେ ପ୍ରକୃତିଙ୍କ ମୃତ୍ୟୁ ପରେ ତଦନ୍ତ ଓ ନ୍ୟାୟ ପାଇଁ ଦାବି ବଢ଼ିବାରେ ଲାଗିଛି ।