• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଜନ୍ମମାଟିରେ ପଠାଣି ସାମନ୍ତଙ୍କୁ ଅବହେଳା । ଅବହେଳିତ ଅବସ୍ଥାରେ ପଡ଼ିରହିଛି ପଠାଣି ସାମନ୍ତ ସଂଗ୍ରହାଳୟ । ଛାତରୁ ଗଳୁଛି ପାଣି, ନଷ୍ଟ ହେଲାଣି ଅନେକ ଯନ୍ତ୍ରପାତି । ବିଶ୍ଵ ବିଖ୍ୟାତ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ପଠାଣି ସାମନ୍ତ ସଂଗ୍ରହାଳୟ ଅବହେଳିତ ଅବସ୍ଥାରେ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ସଂଗ୍ରହାଳୟରେ ରହିଥିବା ଏକାଧିକ ଯନ୍ତ୍ରପାତି ନଷ୍ଟ ହୋଇଯାଇଥିବା ବେଳେ ଆବଶ୍ୟକ ମରାମତି ଅଭାବରୁ ସଂଗ୍ରହାଳୟ ଗୃହର କାନ୍ଥଗୁଡ଼ିକ ଫାଟି ଆଁ କଲାଣି । ବର୍ଷା ହେଲେ ଛାତରୁ ପାଣି ଗଳୁଛି । କାନ୍ଥବାଡ଼ ସବୁ ଶିଉଳି ଚଢ଼ିଗଲାଣି । ମାତ୍ର ଏଥି ପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ ନଥିବାରୁ ଅନେକ ପର୍ଯ୍ୟଟକ ମୁହଁ ଫେରାଇ ନେଉଛନ୍ତି।

ପଢନ୍ତୁ ଏହି ଖବର: ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍; କେବେ ଖୋଲିବ ଦୋକାନ ତାଲା, ଉଠିଲା ପ୍ରଶ୍ନ

ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ଏହି ସଂଗ୍ରହାଳୟଟି ୨୦୧୬ ମସିହା ଡିସେମ୍ବର ୨୫ ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା । କୋଠାକୁ ସାଢ଼େ ୭ ବର୍ଷ ପୂରିଥିଲେ ମଧ୍ୟ ଆନୁଷଙ୍ଗିକ ମରାମତି କରାଯାଇ ନ ଥିବାରୁ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି । କାନ୍ଥ ଗୁଡ଼ିକରେ ଏକାଧିକ ଫାଟ ହୋଇଥିବାବେଳେ ଝରକା, କବାଟ ସବୁ ଉଇଲାଗି ନଷ୍ଟ ହେଲାଣି । ସେହିପରି ସଂଗ୍ରହାଳୟ ପରିସରରେ ଥିବା ଗୃହଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାବେଳେ ଏକାଧିକ ସ୍ଥାନରୁ ପ୍ଳାଷ୍ଟର ଛାଡ଼ି କୋଠାଟି ସମ୍ପୂର୍ଣ ନଷ୍ଟ ହେବାକୁ ବସିଲାଣି । ବର୍ଷା ହେଲେ ସଂଗ୍ରହାଳୟ କୋଠାରୁ ପାଣିଗଳି ମୂଲ୍ୟବାନ ଯନ୍ତ୍ରପାତିଗୁଡ଼ିକ ନଷ୍ଟ ହୋଇଗଲାଣି ।

ସଂଗ୍ରହାଳୟରେ ବିଭିନ୍ନ ସମସ୍ୟା ଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ପର୍ଯ୍ୟଟକ । ସେହିପରି ସଂଗ୍ରହାଳୟ ପରିସରରେ ସ୍ଥାପନ ହୋଇଥିବା ଜଳଘଡ଼ି ଓ ଚନ୍ଦ୍ରର ଦୂରତା ମାପକ ଯନ୍ତ୍ରଟି ଦୀର୍ଘ ବର୍ଷ ଧରି ଅଚଳ ହୋଇପଡ଼ି ରହିଛି । ପଠାଣି ସାମନ୍ତଙ୍କ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ପର୍ଯ୍ୟଟକମାନେ ଏଠାକୁ ଆସୁଥିବା ବେଳେ ସଂଗ୍ରହାଳୟର ଏଭଳି ଅବ୍ୟବସ୍ଥା ଯୋଗୁଁ ବହୁ ପର୍ଯ୍ୟଟକ ଓ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ପଠାଣି ସାମନ୍ତଙ୍କୁ ନେଇ ସାରା ବିଶ୍ଵ ଗର୍ବ କରୁଥିବା ବେଳେ ତାଙ୍କରି ଜନ୍ମ ମାଟି ଖଣ୍ଡପଡ଼ାରେ ନିର୍ମିତ ସଂଗ୍ରହାଳୟଟି ଆଜି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ସଂଗ୍ରହାଳୟ ପ୍ରତି ଯଦି ପ୍ରଶାସନ ଦୃଷ୍ଟି ନଦିଏ ତେବେ ନିକଟ ଭବିଷ୍ୟତରେ କୋଠାଟି ଭୁଶୁଡ଼ି ପଠାଣି ସାମନ୍ତଙ୍କ ବହୁ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ପାଇଯିବା ଆଶଙ୍କା ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now