/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747893844.jpg)
Rath Yatra 2025
ଗତବର୍ଷ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡିଯିବା ଘଟଣାକୁ ନେଇ ଏ ବର୍ଷ ପୂରା ସଜାଗ ରହିଛି ଶ୍ରୀମନ୍ଦିର ପ୍ରଶାସନ । ଯେପରି ଏହି ଅଘଟଣର ପୁନରାବୃତ୍ତି ନ ହୁଏ ତାହା ନିଶ୍ଚିତ କରିବାକୁ ଛତିଶା ନିଯୋଗ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ବେଳେ ଏଥର ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଏବଂ ଅଧିକାରୀ । ଚାରମାଳ ବନ୍ଧା ହେବା ବେଳେ ବରିଷ୍ଠ ଅଧିକାରୀଙ୍କ ସହ ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ବାବଧାରକ ମଧ୍ୟ ଉପସ୍ଥିତ ରହିବେ । ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜେ ଯାଏଁ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ଢଙ୍ଗରେ ସମାପନ ହେବ, ତା' ଉପରେ ଗୁରୁତ୍ବ ଦିଆଯାଇଛି ।
ରଥଯାତ୍ରା ନୀତି ନିର୍ଘଣ୍ଟ:
ଜୁନ୍ ୨୭ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଏ ବର୍ଷ ରଥଯାତ୍ରା ଦିନ ସକାଳ ୬ଘଟିକା ଠାରୁ ମଙ୍ଗଳା ଆଳତି ନୀତି ଅନୁଷ୍ଠିତ ହେବା ସହ ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି କରାଯିବ । ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯାଇ ସାଢେ ୧୨ଟା ସୁଦ୍ଧା ସରିବ । ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥ ଟଣା ହେବ ।
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ:
ସେହିପରି ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ମଧ୍ୟ ସ୍ଥିରୀକୃତ ହୋଇଛି । ଦେବସ୍ନାନ ଦିନ ଭୋର ୫ଟାରୁ ପହଣ୍ଡି ଆରମ୍ଭ କରାଯାଇ ଦିନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଶ୍ରୀବିଗ୍ରହମାନଙ୍କ ଜଳବିଜେ, ପୂଜା ଓ ସ୍ନାନ ନୀତି କରାଯିବ ।
ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ହେବ ହାତୀ ବେଶ ।
ବାହୁଡା଼ ଯାତ୍ରା ନୀତି ନିର୍ଘଣ୍ଟ:
ବାହୁଡା଼ ଦିନ ଅପରାହ୍ନ ୪ଟା ସୁଦ୍ଧା ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଜୁଲାଇ ୬ ତାରିଖ ମହାପ୍ରଭୁଙ୍କର ରଥ ଉପରେ ସନ୍ଧ୍ୟା ୫ଟାରୁ ୬ଟା ୩୦ ମଧ୍ୟରେ ସୁନା ବେଶ ପାଇଁ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି ।