• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଶଙ୍କାରେ ପୂର୍ଣ୍ଣଛେଦ । ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ମୁଣ୍ଡ ଟେକିବ ନିପ୍ପନ ଷ୍ଟିଲ ପ୍ଲାଣ୍ଟ । ଆନ୍ଧ୍ରରେ ଏକ ନୂଆ ଷ୍ଟିଲ ପ୍ଲାଣ୍ଟ ଘୋଷଣା ପରେ କେନ୍ଦ୍ରାପଡ଼ାରେ ପ୍ଲାଣ୍ଟକୁ ନେଇ ଦ୍ୱନ୍ଦରେ ଥିଲେ ଜିଲ୍ଲାବାସୀ । ରାଜସ୍ୱ ବିଭାଗ ବିଜ୍ଞପ୍ତି ପରେ ବଢିଲା ଆଶା । ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ଉକ୍ତ ମୌଜାର କୌଣସି ଜମି ବିକ୍ରିଖର୍ଦ୍ଦି ଓ ହସ୍ତାନ୍ତର ଉପରେ ରୋକ ଲଗାଇଛି ରାଜସ୍ୱ ବିଭାଗ । ଅନ୍ୟପଟେ ଜନଶୁଣାଣୀ ମାଧ୍ୟମରେ ଖରନାଶିର ୧୦୦ ଏକର ଜମିକୁ ଇଡ୍‌କୋକୁ ହସ୍ତାନ୍ତର କରାଯାଇଛି । ତେଣୁ ଖୁବ୍‌ଶୀଘ୍ର ଷ୍ଟିଲପ୍ଲାଣ୍ଟ ନେଇ ଆଶାବାଦୀ ଜିଲ୍ଲାବାସୀ ।

ଦୂର ହେଲା ଦ୍ୱନ୍ଦ୍ୱ । ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ଜାଗିଲା ଶିଳ୍ପବିକାଶ ପାଇଁ ଆଶାର କିରଣ । ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ । ନଜର ପକାନ୍ତୁ ରାଜସ୍ୱ ବିଭାଗ ଏହି ବିଜ୍ଞପ୍ତି ଉପରେ । ଯେଉଁଥିରେ ପ୍ରକାଶ ପାଇଛି ତହସିଲର ବଡଟୁବି ମୌଜାର ଜମି ବିକ୍ରି, ଖରଦି ଓ ହସ୍ତାନ୍ତର ଉପରେ ରୋକ ଲଗାଯାଇଛି । ନିପ୍ପନ୍ ଷ୍ଟିଲ କାରଖାନା ପାଇଁ ଆବଶ୍ୟକୀୟ ୩୮୩ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢନ୍ତୁ:ରାଜ୍ୟରେ ମୁଣ୍ଡ ପିଛା ଋଣ ୨୦ ହଜାରରୁ ଅଧିକ ...

ଏହାସହ ଜମି ମାଲିକାନା ସତ୍ତ୍ୱ ଉପରେ କାହାର ଆପତ୍ତି ଅଭିଯୋଗ ଥିଲେ ୬୦ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରେ ଆବଦେନ କରିବାକୁ ବିଜ୍ଞପ୍ତିରେ ସୂଚାଯାଇଛି । ଆର୍ସେଲର ମିତ୍ତଲ ନିପନ ଆନ୍ଧ୍ରପ୍ରଦେଶ ଠାରେ ଶିଳ୍ପ ଘୋଷଣା କଲା ପରଠୁ ରାଜ୍ୟରେ ନିପ୍ପନ ଷ୍ଟିଲ୍ କେନ୍ଦ୍ରପଡ଼ା କାରଖାନା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ବିରୋଧୀ ସରକାରକୁ ଘେରିଥିଲେ । ଅଭିଯୋଗ କରିଥିଲେ ନିପ୍ପନ୍‌କୁ ରଖି ପାରିଲେନି ନୂଆ ସରକାର ।

ଆଉ ସେତେବେଳେ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା କୌଣସି ଶିଳ୍ପ ଫେରିଯିବନି । ଏବେ ବି ଶିଳ୍ପ ମନ୍ତ୍ରୀ କହିଛନ୍ତି କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବିରୋଧୀ ଅପପ୍ରଚାର କରିଥିଲେ । ନିପ୍ପନ୍ ଷ୍ଟିଲ କାରଖାନା ପାଇଁ ରାସ୍ତା ନିର୍ମାଣ ହେଉଛି । ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ ହେଉଛି। ୧୮ ମାସରେ ବିଦ୍ୟୁତ ଯୋଗାଯୋଗ ପାଇଁ ସରକାର କାମ ଆରମ୍ଭ କରିଛନ୍ତି । ପରିବେଶ ମଞ୍ଜୁରୀ ମିଳିଲେ ପ୍ରକଳ୍ପ ଆଗକୁ ବଢିବ ।

ଅନ୍ୟପଟେ କଂପାନି ପକ୍ଷରୁ ୪ ହଜାର ୭୧୨. ୫୨ ଏକର ଜମି ଅଧିଗ୍ରହଣ ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିବା ଜଣାପଡିଛି । ମହାକାଳପଡା ତହସିଲର ଖାରନାଶି, ବଡଟୁବି, ସାନଟୁବୀ, ସରଳିକୁଦ, ହେତମୁଣ୍ଡିଆ, ନିପାଣିଆ, ବହାକୁଦ ବତୀଘର, ବରକୋଳିଖଳା, ବନବିହାରୀପୁର, ହରିଆବାଙ୍କ ଅଞ୍ଚଳରୁ ଜମି ଅଧିଗ୍ରହଣ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଜନଶୁଣାଣି କରାଯାଇ ଖରନାଶି ଗ୍ରାମରେ ପ୍ରାୟ ଶହେ ଏକର ଜମିକୁ ଇଡ୍‌କୋକୁ ହସ୍ତାନ୍ତର କରାଯାଇଛି । ବଡ଼ କଥା ହେଲା ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେନ୍ଦ୍ରାପଡାବାସୀଙ୍କ ଭିତରେ ବେଶ୍ ଉତ୍ସାହ। ଶିଳ୍ପ ପାଇଁ ସବୁ ସହଯୋଗ ପାଇଁ ସେମାନେ ରାଜିଥିବା କହିଛନ୍ତି । ମାର୍ଚ୍ଚ ୨୦୨୧ରେ କେନ୍ଦ୍ରାପଡାରେ ୫୦ ହଜାର କୋଟି ଟଙ୍କା ନିବେଶ କରି ୨୪ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏକ ଷ୍ଟିଲ ପ୍ଲାଣ୍ଟ ପାଇଁ ସରକାରଙ୍କ ସହ ଏମଓୟୁ କରିଥିଲା ନିପ୍ପନ୍‌ ଷ୍ଟିଲ । ୨୦୨୩ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ୍ ଯାଇ ନିପ୍ପନ୍ ଷ୍ଟିଲ ପ୍ଲାଣ୍ଟ ବୁଲି ଦେଖିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବାକି ପ୍ରକ୍ରିୟା ମନ୍ଥର ପଡ଼ିଯାଇଥିଲା ।

ଅଧିକ ପଢନ୍ତୁ:ମାଣବସାରେ ଲକ୍ଷ୍ମୀ ସ୍ୱରୂପା ବୋହୂକୁ ମାରିଲେ ! ଶାଶୁ ଘର ଆଗରେ ଜଳିଲା ଜୁଇ

OTV is now on Whatsapp

Join and get latest news update delivered to you via whatsapp

Join Now