• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭିତର ରତ୍ନ ଭଣ୍ଡାର ଭିତରୁ ବାହାରିବା ପରେ ସୂଚନା ଦେଇଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ । ସେ କହିଛନ୍ତି ଆମେ ସେହି ଭିତରେ ଯାହା ଦେଖିଲୁ ତାହା କହିବୁନି । କେହି କାହାର ସମ୍ପତ୍ତି କଥା କୁହନ୍ତି ନାହିଁ । ତେଣୁ ଏହା ମହାପ୍ରଭୁଙ୍କ ସମ୍ପତ୍ତି । ସରକାର ଅନୁମତି ଦେଲେ ଏହି ପ୍ରକ୍ରିୟା ଆଗକୁ ଚାଲିବ ।

ଏହାସହ ଜଷ୍ଟିସ ଆହୁରି କହିଛନ୍ତି, ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ । ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହେଲା । ସ୍ଥାନାନ୍ତରଣ ପାଇଁ ଆମ ୧୧ ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ । କେବଳ କଟର ଓ ଇଲେକ୍ଟ୍ରି ସହାୟକଙ୍କ ଛଡ଼ା ଆଉ କାହାର ସହଯୋଗ ଲୋଡ଼ା ପଡ଼ିଲାନି । ପ୍ରାୟ ସାଢେ ୭ ଘଣ୍ଟା ପରେ ସରିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ।

ଅଧିକ ପଢ଼ନ୍ତୁ: ରତ୍ନ ଭଣ୍ଡାର ଭିତରୁ ଆସିଲା ଖବର, ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ କହିଲେ...

ଭିତର ରତ୍ନ ଭଣ୍ଡାରରେ ୩ଟି କାଠ, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ଓ ଗୋଟିଏ ଲୁହା ସିନ୍ଦୁକ ଥିଲା । ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ସ୍ଥାନାନ୍ତରିତ ହେଲା ଅଳଙ୍କାର । ତେବେ ରତ୍ନଭଣ୍ଡାର ନେଇ କୌଣସି ଉଡ଼ା ଓ ମନଗଢ଼ା ଖବର ପରିବେଷଣ ନକରିବାକୁ ନିବେଦନ କରିଛନ୍ତି ଶ୍ରୀ ରଥ । ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ । କାନ୍ଥକୁ ଆଉଜି ଥିବା ସବୁ ଆଲମାରି, ସିନ୍ଦୁକ କଢ଼ା ଯାଇଛି । ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ଦେଖିପାରିଲୁନି । ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବସିତ ନୁହେଁ ।

ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି ଗୁପ୍ତ ସୁଡ଼ଙ୍ଗ ନାହିଁ । ତଥାପି ଲେଜର ସ୍କାନିଂ ପାଇଁ ସରକାରଙ୍କୁ କହିବୁ କହିଲେ ଜଷ୍ଟିସ ରଥ । ଏସ୍‌ଓପିରେ ଏନେଇ ବ୍ୟବସ୍ଥା ନଥିବାରୁ ସରକାରଙ୍କୁ ଅନୁରୋଧ କରିବୁ । ସରକାର ଏନେଇ ଅନୁମତି ଦେଲେ ଲେଜର ସ୍କାନିଂ ପାଇଁ ଆଗେଇବୁ । ସ୍କାନିଂର ଆବଶ୍ୟକତା ପଡ଼ିଲେ, ସରକାରଙ୍କ ଅନୁମତିରେ କରାଯିବ ।

ଅନ୍ୟପଟେ ପ୍ରଥମେ ଶ୍ରୀମନ୍ଦିର ବାହାରକୁ ଆସିଥିବା ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ କହିଛନ୍ତି ଭିତର ଭଣ୍ଡାରରେ ନାହିଁ ସାପ । ଭିତର ରତ୍ନଭଣ୍ଡାରରେ ଆଦୌ ଦେଖାଗଲେନି ସାପ । ସ୍ନେକ ହେଲ୍‌ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ‘ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ପ୍ରସ୍ତୁତ ହୋଇ ରହିଥିଲୁ । ହେଲେ ସାପ ନଥିଲେ । ଆମେ ବାହାରେ ବସି ରହିଥିଲୁ, ଆମକୁ ଡକା ଗଲା ନାହିଁ । ଆମକୁ ଡକା ଗଲା ନାହିଁ ମାନେ ଭିତରେ ସାପ ନାହାନ୍ତି । ସାପ ଥିଲେ ଆମକୁ ନିଶ୍ଚିତ ଭାବେ ଡକା ଯାଇଥାନ୍ତା ।

ସ୍ନେକ୍‌ ହେଲ୍ପଲାଇନ୍‌ ପରେ ଶ୍ରୀମନ୍ଦିର ପରିସରରୁ ବାହାରିଥିଲେ ଓଡ୍ରାଫ୍‌ ଟିମ୍‌ । ଆଜିର କାର୍ଯ୍ୟ ଶେଷ ହେଲା ପରେ ଟିମ୍‌ ବାହାରିଲେ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ ।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାରରେ ରହିଛି କି ସୁଡ଼ଙ୍ଗ ? ଖଣ୍ତନ କଲେନି ଗଜପତି; ବଢ଼ୁଛି ଚର୍ଚ୍ଚା, ହେବ ଯାଞ୍ଚ

ସୂଚନାଯୋଗ୍ୟ, ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାର ଖୋଲିଥିଲା । SOP ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିଥିଲେ । କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଯାଇ ନଥିଲେ ।

ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ଜଉମୁଦ ସିଲ୍ କରାଯାଇଛି ଏବଂ ଚାବିକୁ ପୁଣି ଟ୍ରେଜେରୀରେ ରଖାଯାଇଛି ।

ଏହା ପରେ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବ ASI। ଅଳଙ୍କାର ଗୁଡ଼ିକୁ ଷ୍ଟ୍ରଙ୍ଗରୁମରେ ନୂଆ ସିନ୍ଦୁକରେ ରଖିବା ପରେ ଭିତର ରତ୍ନଭଣ୍ଡାରର ପ୍ରାଚୀନ ସିନ୍ଦୁକ ଓ ଆଲମିରା ଗୁଡ଼ିକୁ ମ୍ୟୁଜିୟମରେ ରଖିବାକୁ ଯୋଜନା କରାଯାଉଛି। 

ତେବେ ଆଜି ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଥିଲା । ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ଯାଇନଥିଲା । ସିଂହଦ୍ୱାରକୁ ଛାଡ଼ି ବାକି ୩ ଦ୍ୱାର ବନ୍ଦ ରହିଛି । କେବଳ ଅଧିକୃତ ସେବକମାନଙ୍କୁ ଛଡ଼ା ଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now