• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି । ପ୍ରତୀକ୍ଷାର ଅବସାନ ହୋଇଛି । ରତ୍ନଭଣ୍ତାରକୁ ନେଇ ଯେତେ ସବୁ କଳ୍ପନାଜଳ୍ପନା ସତେ ଯେପରି ସତେଜ ହୋଇଯାଇଛି । ମହାପ୍ରଭୁଙ୍କର ଭଣ୍ତାର ଘରକୁ ନେଇ ଯେତେ ବିଶ୍ୱାସ ... କିଏ କହୁଥିଲା ଏହାକୁ ଲୋକନାଥ ଜଗି ରହିଛନ୍ତି ।

କିଏ କହୁଥିଲା ପ୍ରଭୁଙ୍କ କାର୍ଯ୍ୟରେ ହାତ ଦେଉଛନ୍ତି ସରକାର । ଓଡ଼ିଆ ଜାତିର ବିଶ୍ୱାସ, ପ୍ରାଣ ଓ ପିଣ୍ତ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ବିଶ୍ୱ ନିୟନ୍ତାଙ୍କ ବିନା ଗଛରେ ପତ୍ରଟିଏ ମଧ୍ୟ ହଲେ ନାହିଁ । ସୃଷ୍ଟିର ଆରମ୍ଭରେ ସେ, ଅନ୍ତରେ ମଧ୍ୟ ସେ । ତାଙ୍କୁ ଛାଡ଼ି ଦେଲେ ଜୀବସତ୍ତା ଅସମ୍ଭବ । ଏପରି ସ୍ଥଳେ ତାଙ୍କ ଭଣ୍ତାରରେ ହାତ ମାରିବାକୁ କିଏ ବା କିପରି ସାହସ କରିବ ।

ତେବେ ଅତ୍ୟନ୍ତ ଭକ୍ତ ଓ ସମର୍ପଣ ଭାବ ପାଇଁ ଏସବୁ ସମ୍ଭବପର ହୋଇପାରିଛି ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ମହାପ୍ରଭୁଙ୍କ ଲୀଳା ଅପାର । ତେବେ ରତ୍ନଭଣ୍ତାର ଖୋଲିବା ଓ ତତ୍ ମଧ୍ୟରେ କାର୍ଯ୍ୟ କରିବା ନିହାତି ଏକ ଅଲୌକିକ ବିଷୟ ବୋଲି ବିଶ୍ୱନାଥ ରଥ କହିଛନ୍ତି ।

ଦୀର୍ଘ ୯ରୁ ୧୦ ଘଣ୍ଟା ରତ୍ନଭଣ୍ତାର ଭିତରେ ରହିବା... ଭୋକ ଶୋଷ ଭୁଲି ପ୍ରଭୁଙ୍କର କାର୍ଯ୍ୟ କରିବା, ଏସବୁ କେବଳ ଜଗନ୍ନାଥଙ୍କର କୃପା ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ଏହା ଭିତରେ କୌଣସି କାର୍ଯ୍ୟକର୍ତ୍ତାଙ୍କୁ କିଛି ମଧ୍ୟ ଅସୁବିଧା ହୋଇନଥିଲା ବୋଲି ସେ କହିଛନ୍ତି । ବିନା ଖିଆ ପିଆରେ ଏତେ ଏତେ ଘଣ୍ଟା ଧରି ପ୍ରଭୁଙ୍କ କାର୍ଯ୍ୟ କରିବା ନିହାତି ଏକ ଅଲୌକିକ କଥା ।

ସବୁ ଜଗନ୍ନାଥଙ୍କ କୃପାରୁ ସମ୍ଭବ ହେଉଛି ବୋଲି ସେ କହିଛନ୍ତି । ଏହା ଭିତରେ ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ ରତ୍ନଭଣ୍ତାର ଭିତରେ ଥିବା କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ସୁନା ଅଳଙ୍କାର ସହ ସମସ୍ତ ଅସ୍ତ୍ରଶସ୍ତ୍ରକୁ ସିଲ୍ କରାଯାଇ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇଛି ବୋଲି ଜଷ୍ଟିସ କହିଛନ୍ତି । ବର୍ଚ୍ଛା ଓ ତେଣ୍ଟା ସହ ଅନେକ ଯୁଦ୍ଧ ସାମଗ୍ରୀ ରହିଥିବା କଥା କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।

ଗଜପତି ଜୟ କରିଥିବା ଅନେକ ରାଜ୍ୟରେ ବ୍ୟବହୃତ ହୋଇଥିବା ଅନେକ ଯୁଦ୍ଧାସ୍ତ୍ର ରତ୍ନଭଣ୍ତାରରେ ରହିଛି ବୋଲି କହିଥିଲେ ଜଷ୍ଟିସ ବିଶ୍ୱନାଥ ରଥ । ତେବେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ିନଥିଲେ ବି ଏହା କଳା ପଡ଼ିଯାଇଥିବା ସେ କହିଛନ୍ତି । ଅନ୍ୟପଟେ ମରାମତିକୁ ନେଇ କହିଛନ୍ତି, ରତ୍ନଭଣ୍ତାର ମରାମତିର ଦାୟିତ୍ୱ ASI ର । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ASI ଏହାକୁ ନେଇ ଯାଞ୍ଚ ଆରମ୍ଭ କରିନାହିଁ ।

ରତ୍ନ ସବୁ ସ୍ଥାନାନ୍ତର ହୋଇସାରିଛି । ବର୍ତ୍ତମାନ ASI ଯାଞ୍ଚ କରିବା ପରେ ଯାହା ମରାମତି କରିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ଏହା ଭିତରେ ହିଁ ରତ୍ନ ଅଳଙ୍କାରଗୁଡ଼ିର ଗୁଣବତ୍ତା ଯାଞ୍ଚ ହେବ ବୋଲି ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଥିଲେ ଜଷ୍ଟିସ । ବାହାରେ ଗୋଟେ ଭୟର କୁହେଳିକା ଥିଲା । ଭିତରେ ସାପ କି ଅନ୍ୟ କାହାର ଭୟ ରହିଥିଲା । ଏହାକୁ ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲା ବୋଲି କହିଛନ୍ତି ଜଷ୍ଟିସ ।

ଭଗବାନଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ହୋଇଛି । ଭିତରେ ପହଞ୍ଚିବା ପରେ ଭୟ କଟିଯାଇଥିଲା ବୋଲି ମଧ୍ୟ କହିଥିଲେ ଜଷ୍ଟିସ ବିଶ୍ୱନାଥ ରଥ । ଗତକାଲି ରତ୍ନଭଣ୍ଡାର ଭିତରେ ୧୧ ଜଣିଆ ଅଧିକୃତ ଟିମ ଭଣ୍ଡାରର ଘର ଭିତରକୁ ଯାଇ ଦ୍ୱିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ଓ ୩ଟି ସିନ୍ଦୁକ ଥିବା ଦେଖିଥିଲେ ଅଧିକୃତ ଟିମ୍‌ । ଏହାଛଡ଼ା ଭିତର ରତ୍ନଭଣ୍ଡାରରେ ଠାକୁର ରଖିବା ଖଟୁଲି ମଧ୍ୟ ରହିଛି । ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ।

କପିଳେନ୍ଦ୍ର ଦେବଙ୍କ ଅମଳରେ ଦାକ୍ଷିଣାତ୍ୟ ବିଜୟ ବେଳେ ୧୬ଟି ହାତୀରେ ରତ୍ନ ଅଳଙ୍କାର ବୋହି ଆଣିଥିଲେ ରାଜା । ସେ ଏହି ସବୁ ସଂପତ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟି ଦେଇଥିବା କିମ୍ବଦନ୍ତୀରେ ରହିଛି । ଉତ୍କଳ ପ୍ରଦେଶର ବିଭିନ୍ନ ଗଜପତି ସେତେବେଳେ ଅନେକ ରାଜ୍ୟ ଜୟ କରି ସେହି ରାଜ୍ୟର ରାଜାଙ୍କ ମୁକୁଟ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିଥିଲେ । ସେ ସବୁ ମଧ୍ୟ ରତ୍ନଭଣ୍ଡାରରରେ ଥିବା ବିଶ୍ୱାସ ରହିଛି ।

ତେବେ ସବୁଠୁ ବଡ଼ କଥା ହେଉଛି ଗତକାଲି ରତ୍ନଭଣ୍ଡାର ପରିଦର୍ଶନ ପରେ ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ପ୍ରସଙ୍ଗକୁ ସିଧା ମନା କରିନଥିଲେ ଗଜପତି । ସେ କହିଥିଲେ ASI ଏହାର ଲେଜର ସ୍କାନିଂ କଲେ ସବୁ ତଥ୍ୟ ପଦାକୁ ଆସିବ ।

OTV is now on Whatsapp

Join and get latest news update delivered to you via whatsapp

Join Now