• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ । ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ ।

ଦୁଇ ଦିନ ତଳେ କମିଟିର ପ୍ରଥମ ବୈଠକ ପରେ ଜଷ୍ଟିସ୍ ରଥ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ୯ ତାରିଖ ଅର୍ଥାତ୍ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ଚାବି ଉପସ୍ଥାପନ ହେଲା ପରେ, ରତ୍ନଭଣ୍ଡାର କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ ।

ତେବେ ବହୁ ଦଶନ୍ଧିରୁ ଖୋଲା ଯାଇନଥିବା ପୁରୁଣା ତାଲା କଳଙ୍କି କିମ୍ବା ଅନ୍ୟ କୌଣସି କାରଣରୁ ଡୁପ୍ଲିକେଟ ଚାବିରେ ନଖୋଲିଲେ, ତାଲାକୁ ଭାଙ୍ଗି ଦିଆଯିବ । ଏସବୁ ପ୍ରକ୍ରିୟା କେମିତି କରାଯିବ, ସେନେଇ ଏସ୍ଓପି ପ୍ରସ୍ତୁତ କରି ସରକାରଙ୍କଠାରେ ଉପସ୍ଥାପନ କରାଯିବ ।

ସେହିପରି ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହେବ । ତଦାରଖ କମିଟି ଆଗରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ଚାବି ଉପସ୍ଥାପନ ହୋଇପାରିନି । ଚାବି କାମ କରୁ ବା ନକରୁ ନିଶ୍ଚିତ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି ।

ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି । ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ । ସେହିପରି ରତ୍ନଭଣ୍ଡାର ଗହଣା ରଖିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ପରିଚାଳନା କମିଟି ମନ୍ଦିର ଭିତରେ ସ୍ଥାନ ଚିହ୍ନଟ କରିଛନ୍ତି । ଅସ୍ଥାୟୀ ଭଣ୍ଡାର ଭିତରେ ଗହଣା ସିଡ୍ୟୁଲ ଅନୁସାରେ ରଖାଯିବ ବୋଲି ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ।

ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ରାଜୀବ ସାହୁ କହିଛନ୍ତି, ୧୪ ତାରିଖରେ ଯେମିତି ହେଲେ ରତ୍ନ ଭଣ୍ତାର ଖୋଲିବାକୁ ଚେଷ୍ଟା କରାଯିବ । ସରକାରଙ୍କ ସହ ମ୍ୟାନେଜିଂ କମିଟିର ଅନୁମତି ମିଳିଲେ ଏହି ଦିନ ହିଁ ରତ୍ନ ଭଣ୍ତାର ଖୋଲାଯିବ । ରତ୍ନ ଭଣ୍ତାର ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସରକାର ନେବେ ବୋଲି କହିଛନ୍ତି ରାଜୀବ ସାହୁ ।

ଗଣତି, ମଣତି ବେଳେ କିଏ କିଏ ରହିବେ? କ୍ୱାଲିଟି ଚେକ୍ କେମିତି ହେବ? କେଉଁ ଉପାୟରେ ଖୋଲାଯିବ? ଏସବୁ ଉପରେ ସରକାର ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ବାହାର ରାଜ୍ୟରୁ କି ଓଡ଼ିଶାରୁ ଯୋହରୀ ଆସିବେ ସେ ନିଷ୍ପତ୍ତି ମଧ୍ୟ ରାଜ୍ୟ ସରକାର ନେବେ । ଯଥା ଶୀଘ୍ର ରତ୍ନ ଭଣ୍ତାର ଖୋଲାଯିବା ନେଇ ଚେଷ୍ଟା କରାଯିବ ବୋଲି କହିଛନ୍ତି ତଦାରଖ କମିଟି ସଦସ୍ୟ ରାଜୀବ ସାହୁ ।

OTV is now on Whatsapp

Join and get latest news update delivered to you via whatsapp

Join Now