• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଏମିତି ଏକ ଲୁକ୍କାୟିତ ଜଳପ୍ରପାତ ରହିଛି, ଯାହା କି ଆଜି ଯାଏ ଲୋକ ଲୋଚନକୁ ଆସିପାରିନି । ଯୋଗୀ ମଠ ଜଳପ୍ରପାତ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସରାମୂଳି ପଂଚାୟତ ନିକଟରେ ଥିବା ଏହି ଜଳପ୍ରପାତ ଦେଖିବାକୁ ଅତି ସୁନ୍ଦର । କିନ୍ତୁ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଯୋଗୁଁ ସେଠାକୁ ଯିବା ଲାଗି ଭଲ ରାସ୍ତାଟିଏ ନାହିଁ । ସ୍ଥାନୀୟ ଲୋକଙ୍କ ଦାବି ପରେ ଏବେ ସେହି ଜଳପ୍ରପାତର ଉନ୍ନତି ଲାଗି ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ ବୋଲି ପ୍ରଶାସନ କହିଛି ।

ଚାରିଆଡେ ଘଂଚ ଜଙ୍ଗଲ, ଆଉ ତାରି ଭିତରେ ଘୋ ଘୋ ଶଦ୍ଦ କରି ସୁଉଚ୍ଚ ବିରାଟ ଥର ଉପରୁ ଖସି ପଡୁଛି ଝରଣା ପାଣି । ପଥରର ଛାତିକୁ ଚିରି ଅନବରତ ଭାବେ ଜଙ୍ଗଲ ଭିତରେ ଅଙ୍କା ବଙ୍କା ହୋଇ ବୋହି ଯାଉଛି ଝରଣା ପାଣି । ତାକୁ ଯିଏ ଥରେ ଦେଖିବ, ସେହି ଜଙ୍ଗଲ ଭିତରେ ଘଡିଏ ଅଟକି ଯିବ । ଆଉ ତାର ରୂପ ଲାବଣ୍ୟକୁ ଥରେ ଯିଏ ଦେଖିବ ତା ପ୍ରେମରେ ପଡିଯିବ। ଏଭଳି ଭାବେ ଜଙ୍ଗଲ ଭିତରେ ଲୁଚି ରହିଛି ଯୋଗୀ ମଠ ଜଳପ୍ରପାତ ।

ଏହି ଜଳପ୍ରପାତ ଯେତିକି ସୁନ୍ଦର ସେତିକି ଅପହଂଚ ମଧ୍ୟ । କାହିଁକି ନା ଜଳପ୍ରପାତ ନିକଟକୁ ଯିବା ଲାଗି ଆଜି ଯାଏ କୌଣସି ରାସ୍ତାଘାଟର ସୁବିଧା ନାହିଁ । ବିପଦପୂର୍ଣ୍ଣ ପାଦ ଚଲା ରାସ୍ତାରେ ଗଲେ ହିଁ ଯୋଗୀ ମଠ ଜଳପ୍ରପାତର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିହେବ । ହେଲେ ପ୍ରଶାସନର ଦୃଷ୍ଟି ପଡୁନଥିବା ଯୋଗୁଁ ପର୍ଯ୍ୟଟକ ନିରାଶ ହେଉଛନ୍ତି । ଅନେକ ସମୟରେ ଯୋଗୀମଠର ଉନ୍ନତି ଲାଗି ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି, ହେଲେ କୌଣସି ସୁଫଳ ମିଳୁନଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଯୋଗୀ ମଠ ଜଳପ୍ରପାତ ଯେତିକି ସୁନ୍ଦର ତା’ର କାହାଣୀ ମଧ୍ୟ ସେତିକି ରୋମାଞ୍ଚକର । ଲୋକକଥା ଅନୁଯାୟୀ ଏହି ଯୋଗୀ ମଠ ଜଳପ୍ରପାତରେ ବହୁ ବର୍ଷ ପୂର୍ବେ ମୁନୀଋଷି ମାନେ ଘଂଚ ଜଙ୍ଗଲ ଭିତରେ ତପସ୍ୟା କରୁଥିଲେ । ଏମିତି କି ସେଠାରେ ଏକ ବହୁ ପୁରାତନ ମନ୍ଦିର ମଧ୍ୟ ନିର୍ମାଣ ହେଉଥିବା ଜଣାଯାଏ , ଯାହା କାଳକ୍ରମେ ଭାଙ୍ଗି ଯାଇଛି। ସେହି ଜଳପ୍ରପାତରେ ଯେଉଁ ବଡ ବଡ ପଥର ଅଛି, ସେ ସବୁକୁ ଯେମିତି କେହି ସାଇତି କି ରଖିଥିବା ଭଳି ଦେଖାଯାଏ । ମୁନୀଋଷିଙ୍କ ତପସ୍ୟାସ୍ଥଳ ହୋଇଥିବା ଯୋଗୁ କାଳକ୍ରମେ ତାହାକୁ ଯୋଗୀମଠ ଜଳପ୍ରପାତ ନାମକରଣ ହୋଇଥିବା ଜଣାପଡିଛି ।

ଏହି ଐତିହାସିକ ଜଳପ୍ରପାତର ଉନ୍ନତି ନେଇ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ରତୁରାଜ ନିକଟରେ ପରିଦର୍ଶନ କରିଛନ୍ତି, ଆଉ ସେଥିପାଇଁ ବ୍ୟୟ ବରାଦ ମଧ୍ୟ ସରିଛି, ଖୁବ ଶୀଘ୍ର ତାର ଉନ୍ନତି କରାଯିବ ବୋଲି ଦାରିଙ୍ଗବାଡି ବିଡିଓ ସୂଚନା ଦେଇଛନ୍ତି । ଯୋଗୀମଠ ଜଳପ୍ରପାତର ବିକାଶ ହେଲେ ସେ ଅଂଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ଆଉ ସ୍ଥାନୀୟ ଅଂଚଳର ଆର୍ଥିକ ମାନଦଣ୍ଡ ମଧ୍ୟ ସୁଦୃଢ ହେବ ।

 

OTV is now on Whatsapp

Join and get latest news update delivered to you via whatsapp

Join Now